ହତ୍ୟା ଅଭିଯୋଗରେ ୪ ଗିରଫ

 ସୁକିନ୍ଦା  : ସ୍ୱାମୀକୁ ମାରି ପୋତି ଦେବା ଘଟଣାରେ ସୁକିନ୍ଦା ପୁଲିସ ସ୍ତ୍ରୀ ସମେତ ହତ୍ୟା ଘଟଣାର ସହଯୋଗୀ ଶାଶୁ, ଶ୍ୱଶୂର ଏବଂ ଶଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ମୃତ ବାବୁଲିର ସ୍ତ୍ରୀ ଗୁମାରି, ଶ୍ୱଶୁର ମୋରା ଦେଓଗାମ, ଶାଶୁ ସିନି, ଶଳା ରାଜେନ୍ଦ୍ର କାଇକା ବୋଲି ପୁଲିସ କହିଛି । ଖବର ମତେ ପାରିବାରିକ କଳହକୁ କେନ୍ଦ୍ର କରି ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଂଚାୟତ ଅଧୀନସ୍ଥ ଡୁବିଖାଲ ଗ୍ରାମ ମୋରା ଦେଓଗମଙ୍କ ଝିଅ ଗୁମାରୀ ତାଙ୍କ ସ୍ୱାମୀ ବାବୁଲିଙ୍କୁ ହତ୍ୟା କରି ଘର ପଛପଟ ବାଡ଼ିରେ ପୋତି ଦେଇ ଥାନାରେ ଆତ୍ମସମର୍ପଣ କରିବା ସହ ନିଜେ ସ୍ୱାମୀକୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା । ଏନେଇ ସ୍ଥାନୀୟ ସରପଂଚ ରବିବାର ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୪୮/୨୦୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ।