ମତଦାନ ଅପେକ୍ଷାରେ ୨ଲକ୍ଷ ଭୋଟର
ବିଞ୍ଝାରପୁର: ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ତାରିଖ ସରିସରି ଆସୁଥିବା ବେଳେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବେଶ ପ୍ରସାର ବ୍ୟାପୀ ହୋଇଛି । ନିର୍ବାଚନମଣ୍ଡଳୀରେ ବିଜେଡି, ବିଜେପି, କଂଗ୍ରେସ ଓ ଏସୟୁସିଆଇ(ସି) ମଧ୍ୟରେ ଚଳିତ ନିର୍ବାଚନରେ ଲଢେଇ ହେଉଛି । ବିଜେଡିରୁ ୬ ଥରର ବିଧାୟିକା ପ୍ରମିଳା ମଲ୍ଲିକ ନିର୍ବାଚନ ଲଢୁଥିବା ବେଳେ ବିଜେପିରୁ ଅଭିଜ୍ଞ ତଥା ଜିଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ବବିତା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଦଳର ପୁରୁଣା ସଂଗଠକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା କନକଲତା ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏସୟୁସିଆଇ(ସି) ରାଧାବଲ୍ଲବ ମଲ୍ଲିକଙ୍କୁ ଠିଆ କରାଇଛି । ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଏହି ନିର୍ବାଚନ ମଣ୍ଡଳି ଏଥର କାହା ସପକ୍ଷରେ ଯିବ ତାକୁ ନେଇ ରାଜନୈତିକ ମହଲ ଦ୍ୱନ୍ଦରେ ରହିଛନ୍ତି । ନିର୍ବାଚନମଣ୍ଡଳୀଟି ବିଞ୍ଝାରପୁର ବ୍ଲକର ୨୯ଟି ଓ ଦଶରଥପୁର ବ୍ଲକର ୧୫ଟି ପଞ୍ଚାୟତକୁ ନେଇ ଗଠିତ । ଚଳିତଥର ୨ଲକ୍ଷ ୨୮ ହଜାର୨୦୫ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ କରିବେ । ଭୋଟରଙ୍କ ମଧ୍ୟରେ ୧ଲକ୍ଷ ୧୭ ହଜାର୭୪୯ ପୁରୁଷ ଭୋଟର ରହିଥିବା ବେଳେ ୧ଲକ୍ଷ୧୦ହଜାର ୪୪୮ ମହିଳା ଭୋଟର ଓ ୮ଜଣ କ୍ରୀବଲିଙ୍ଗି ଭୋଟର ରହିଛନ୍ତି । ମୋଟ ୨୩୯ଟି ବୁଥରେ ଜୁନ ୧ ତାରିଖ ଦିନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ୩୨ଟି ସଖି ବୁଥ ପ୍ରସ୍ତୁତ ହେଉଥିବା ବେଳେ ୬୦ ପ୍ରତିଶତ ମତଦାନ କେନ୍ଦ୍ର ସିସିଟିଭି ପରିସର ମଧ୍ୟରେ ରହିବ ବୋଲି ଜଣାପଡିଛି । ୨୦୧୯ ସାଧାରଣ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା ୨ଲକ୍ଷ ୧୬ ହଜାରରୁ ଊଦ୍ଧ୍ୱର୍ ରହିଥିବା ବେଳେ ଚଳିତ ଥର ୨ଲକ୍ଷ ୨୮ ହଜାର ୨୦୫ ରହିଛି । ପ୍ରାୟ ୧୧ ହଜାରରୁ ଊଦ୍ଧ୍ୱର୍ ଭୋଟର ଚଳିତ ନିର୍ବାଚନରେ ବୃଦ୍ଧି ପାଇଛି । ତେବେ ଏହି ନୂତନ ଭୋଟର କାହା ସପକ୍ଷରେ ମତଦାନ କରିବେ ତା ଉପରେ ସବୁ ଦଳ ନଜର ରଖିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ପ୍ରମିଳା ମଲ୍ଲିକ ୭୯୦୮୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବବିତା ମଲ୍ଲିକ ୫୭୮୬୧ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ ଗତ ନିର୍ବାଚନରେ ୩୯୯୭ ଖଣ୍ଡ, ଏସୟୁସିଆଇର ରାଧାବଲ୍ଲବ ୯୧୧, ସ୍ୱାଧିନ ରଶ୍ମିତା ଯେନା ୫୫୭ ଖଣ୍ଡ ଭୋଟ ପାଇଥିଲେ । ଭୋଟର ୯୦୬ ଖଣ୍ଡ ନୋଟାକୁ ଭୋଟ ଦେଇଥିବା ବେଳେ ୧୦୭ ଖଣ୍ଡ ଭୋଟ ନାକଚ ହୋଇଯାଇଥିଲା । ପାଖାପାଖି ହଜାରେ ଭୋଟ ନୋଟାକୁ ଯାଇଥିଲା । ଫଳରେ ଏଠାରେ ପ୍ରାର୍ଥିଙ୍କୁ ୧ ପ୍ରତିଶତ ଭୋଟର ପସନ୍ଦ କରୁନଥିବା ସ୍ପଷ୍ଟ ହୋଇଥିଲା । ନିର୍ବାଚନକୁ ଅବାଧ ଓ ନିରପେକ୍ଷ ପରିଚାଳନା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।