ୟୁପି: ବିଜେପିକୁ କଣ୍ଟା ହେଲା ବିଶ୍ୱାସଘାତକତା
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୪ ନିର୍ବାଚନରେ ବିଜେପିକୁ ଝଟକା ଲାଗିଛି । ରାମ ମନ୍ଦିର ନିର୍ମାଣର ଅପୂର୍ବ ସଫଳତା ପରେ ବି ବିଜେପିକୁ ସେତେଟା ସଫଳତା ମିଳି ପାରି ନାହିଁ । ୮୦ଟି ଲୋକସଭା ଆସନ ଥିବା ଏହି ରାଜ୍ୟରେ ବିଜେପି ୨୦୧୯ରେ ୬୨ଟି ଆସନରେ ବିଜୟୀ ହୋଇଥିଲା । ଏଥର ଅଯୋଧ୍ୟା ରାମ ମନ୍ଦିର, ତିନି ତଲାକ ଆଇନ, ଆଇନ ଶୃଙ୍ଖଳା ଭଳି ପ୍ରସଙ୍ଗରେ ବିଜେପି ପୂର୍ବ ଅପେକ୍ଷା ଅଧିକ ଆସନ ଜିତିବ ବୋଲି ଆକଳନ କରିଥିଲେ ମଧ୍ୟ ଦଳ ମାତ୍ର ୩୩ଟି ଆସନ ପାଇବାରେ ସକ୍ଷମ ହୋଇଛି । ଏହାପରେ ଦଳ ଭିତରେ ହଇଚଇ ସୃଷ୍ଟି ହୋଇଛି । ବିଜେପି ନେତୃତ୍ୱ ଦଳରେ ବ୍ୟାପକ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ସୁରାକ ପାଇବା ପରେ ଏହାକୁ ନେଇ ଖୋଳତାଡ ଆରମ୍ଭ କରିଛନ୍ତି । ରାଜ୍ୟରେ ଅନେକ ଦଳୀୟ ନେତାଙ୍କ ବିଶ୍ୱାସଘାତକତା ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।
ଏନେଇ ସଭାପତି ଭୁପେନ୍ଦ୍ର ଚୌଧୁରୀଙ୍କ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦରେ ପରିବର୍ତ୍ତନ ହୋଇପାରେ । ଏଥର ବିଜେପି ଟିକେଟ ପାଇନଥିବା ଅନେକ ସାଂସଦ ମଧ୍ୟ ଦଳ ପ୍ରତି ବିଶ୍ୱାସଘାତକତା କରିଥିବା ପ୍ରମାଣ ମିଳିବା ପରେ କେନ୍ଦ୍ରୀୟ ନେତୃବୃନ୍ଦ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ୟୁପିରେ ବିଜେପିର ସହଯୋଗୀ ଦଳମାନେ ମଧ୍ୟ ଏହି ପରାଜୟ ପାଇଁ ବିଜେପିର ଆଭ୍ୟନ୍ତରୀଣ ମତଭେଦକୁ ଦାୟୀ କରିଛନ୍ତି । ନିଶାଦ ପାର୍ଟି ନେତା ତଥା ରାଜ୍ୟ ମନ୍ତ୍ରୀ ସଞ୍ଜୟ ନିଶାଦ ଅଭିଯୋଗ କରିଛନ୍ତି ଯେ ଯେଉଁ ସାଂସଦଙ୍କୁ ବିଜେପି ଟିକେଟରୁ ବଞ୍ଚିତ କରିଥିଲା ସେମାନେ ଲଗାତାର ଦଳ ବିରୋଧୀ ଷଡ୍ୟନ୍ତ୍ରରେ ଲିପ୍ତ ଥିଲେ । ଲୋକସଭା ନିର୍ବାଚନରେ ବର୍ତ୍ତମାନର ଯୋଗୀ ଆଦିତ୍ୟନାଥ ସରକାରର ୧୬ ମନ୍ତ୍ରୀଙ୍କୁ ସାଂସଦ ପ୍ରାର୍ଥୀ କରାଯାଇଥିଲା ।
ଏହି ମନ୍ତ୍ରୀମାନେ ନିଜ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଦଳକୁ ବିରୋଧୀଙ୍କଠାରୁ ପଛରେ ପଡ଼ିବାରୁ ରକ୍ଷା କରିବାରେ ସକ୍ଷମ ହୋଇନାହାନ୍ତି । ଏହି ମନ୍ତ୍ରୀମାନଙ୍କୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ । ରାଜ୍ୟ କ୍ୟାବିନେଟରେ ମଧ୍ୟ ବହୁତ ବଡ ଅଦଳବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି । ଭୁପେନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ସୁନୀଲ ବଂଶଲ ରାଜ୍ୟ ସଭାପତି ହୋଇପାରନ୍ତି । ବିଜେପି ନେତୃତ୍ୱ ଉତ୍ତରପ୍ରଦେଶର ପରାଜୟ ପଛରେ ଦଳୀୟ ବିଶ୍ୱାସଘାତ ତଥା ଅନ୍ତର୍ଘାତୀ କାର୍ଯ୍ୟକୁ ମୁଖ୍ୟ କାରଣ ଭାବେ ଗ୍ରହଣ କରିଛନ୍ତି । ଏ ନେଇ ରାଜ୍ୟ ୟୁନିଟ୍ ଠାରୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଅନୁସାରେ ଦଳୀୟ ସଂଗଠନରେ ପରିବର୍ତ୍ତନ କରାଯିବ । କେବଳ ରାଜ୍ୟସ୍ତରରେ ନୁହେଁ, ଆଞ୍ଚଳିକ, ଜିଲ୍ଲା ଓ ମହାନଗରସ୍ତରରେ ମଧ୍ୟ ସଂଗଠନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ । ବିଶେଷ କରି ଟିକେଟ ବଣ୍ଟନରେ ଯେଉଁମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ସେମାନଙ୍କ କାର୍ଯ୍ୟକୁ ସମୀକ୍ଷା କରାଯିବ ଏବଂ ପରାଜୟ ପାଇଁ ସେମାନଙ୍କୁ ମଧ୍ୟ ଦାୟୀ କରାଯିବ । ବିଜେପିର ପରାଜୟରେ ପ୍ରଶାସନିକ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହି କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ବିଭାଗର ବୈଠକ ଡାକି ପ୍ରାୟ ୩ ଘଣ୍ଟା ସମୀକ୍ଷା କରିଛନ୍ତି ।