ଅଗ୍ନିବୀରକୁ ନେଇ ଅସନ୍ତୋଷ 

 ନୂଆଦିଲ୍ଲୀ: ଏଥର ତୃତୀୟ ପାଳିରେ ପହଞ୍ଚିଛି ମୋଦି ସରକାର । ଚଳିତ ଥର ନେତାଙ୍କ ଚାପକୁ ନେଇ ଚର୍ଚ୍ଚା ଜୋର ଧରିଛି । । ସେପଟେ ଅଗ୍ନିବୀର ଯୋଜନାକୁ ନେଇ ଜେଡିୟୁ ଅସନ୍ତୋଷ ଥିବା ଜଣାପଡିଛି । ଏନ୍ଡିଏର ପ୍ରମୁଖ ସହଯୋଗୀ ଦଳ ଜେଡିୟୁର ଶୀର୍ଷ ନେତା କେସି ତ୍ୟାଗୀ କହିଛନ୍ତି ଯେ, ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାର ସମୀକ୍ଷା କରାଯିବା ଦଳ ଚାହିଁବ । ଏହା ସହିତ ଜାତି ଜନଗଣନା ଏବଂ ଏ ବାବଦ ବିସ୍ତୃତ ସର୍ଭେ ସହିତ ବିହାରକୁ ସ୍ୱତନ୍ତ୍ର ମାନ୍ୟତା ପାଇଁ ପୂର୍ବ ଦାବିକୁ ଦଳ ଦୋହରାଇବ ବୋଲି ତ୍ୟାଗୀ କହିଛନ୍ତି । 
ମୋଦିଙ୍କ ତୃତୀୟ ପାଳି ଆରମ୍ଭ ନହେଉଣୁ ସହଯୋଗୀ ଦଳ ନେତାଙ୍କ ଦାବି ଓ ସର୍ତ୍ତ ଏବେ ବିଜେପି ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ କେସି ତ୍ୟାଗୀ କହିଛନ୍ତି ଯେ, ଅନେକ ରାଜ୍ୟରେ ଅଗ୍ନିବୀର ଯୋଜନାକୁ ନେଇ ଅସନ୍ତୋଷ ଲାଗି ରହିଛି । ଆମେ ଏହାକୁ ବିରୋଧ କରୁନାହୁଁ, କିନ୍ତୁ ଏହାର ଉପଯୁକ୍ତ ସମୀକ୍ଷା ସାଂପ୍ରତିକ ପରିପ୍ରେକ୍ଷୀରେ ଜରୁରୀ ହୋଇପଡିଛି କହିଛନ୍ତି । ୨୦୨୨ମସିହାରେ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନାରେ ତିନି ସେନାର ବୟସ ସୀମା ହ୍ରାସ କରିବା ଉଦେ୍ଦଶ୍ୟରେ ସଶସ୍ତ୍ର ବାହିନୀରେ ସ୍ୱଳ୍ପକାଳୀନ କର୍ମଚାରୀଙ୍କୁ ସାମିଲ କରାଯିବା ବ୍ୟବସ୍ଥା ରହିଛି । ଏହି ଯୋଜନା ଅଧୀନରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଅଗ୍ନିବୀର କୁହାଯାଏ । ଏହି ଯୋଜନାରେ ୧୭.୫ ବର୍ଷରୁ ୨୧ ବର୍ଷ ବୟସ ବର୍ଗର ଯୁବକଙ୍କୁ ୪ ବର୍ଷ ପାଇଁ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ଆଉ ୧୫ ବର୍ଷ ପାଇଁ ବଜାୟ ରଖିବା ବ୍ୟବସ୍ଥା ରହିଛି । 
ଅବଶିଷ୍ଟ ବ୍ୟକ୍ତିଙ୍କ ସେବା ଶେଷ ହେବାପରେ ସେମାନଙ୍କୁ ଆର୍ଥିକ ପ୍ୟାକେଜ ଦିଆଯିବ । ସଶସ୍ତ୍ର ବାହିନୀରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନେ ସ୍ୱଳ୍ପକାଳୀନ ସେବା ଯୋଜନାକୁ ବିରୋଧ କରିବାରୁ ଏହି ଯୋଜନା ଘୋଷଣା ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରତିବାଦ ଆରମ୍ଭ ହୋଇଥିଲା । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ନୂଆ ଯୋଜନାକୁ ବିରୋଧ କରି ଏହାକୁ ଲୋକସଭା ନିର୍ବାଚନ ପ୍ରଚାରରେ ଏକ ପ୍ରମୁଖ ପ୍ରସଙ୍ଗରେ ପରିଣତ କରିଥିଲା । ଏହି ଯୋଜନା ଅଗ୍ନିବୀରମାନଙ୍କୁ ୨୫ ବର୍ଷ ବୟସରେ ବେକାର କରିଦେବ । ଅଗ୍ନିପଥ ଯୋଜନା ସଶସ୍ତ୍ର ବାହିନୀରେ ଯୁଦ୍ଧ ପ୍ରସ୍ତୁତିରେ ଉନ୍ନତି ଆଣିବା ସହ ଯୁବ ଏବଂ ଅଭିଜ୍ଞଙ୍କ ମଧ୍ୟରେ ସନ୍ତୁଳନ ହାସଲ କରିବା ପାଇଁ ଉଦ୍ଦିଷ୍ଟ । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଅଗ୍ନିବୀରମାନଙ୍କୁ ସେମାନଙ୍କର ଚାରି ବର୍ଷର ଚାକିରି ଶେଷରେ ଏକ ଭଲ ଆର୍ଥିକ ପ୍ୟାକେଜ ଉପଲବ୍ଧ ହେବ ଏବଂ ଏହା ବ୍ୟତୀତ ସେନାରେ କାର୍ଯ୍ୟ କରିବାର ଅନନ୍ୟ ଅଭିଜ୍ଞତା ନିଯୁକ୍ତିର ଅନେକ ରାସ୍ତା ଖୋଲିଦେବ ।  ଅଗ୍ନିପଥ, ଜାତିଗତ ସର୍ଭେ ଏବଂ ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦାବି ସହିତ ନୂଆ ଏନଡିଏ ସରକାରର ସର୍ବନିମ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଜେଡିୟୁ ଜୋର୍ ଦେବା ଆରମ୍ଭ କରିଛି । ମୋଦି ସରକାରଙ୍କ ଗତ ଦୁଇ ପାଳିରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ ନିଷ୍ପତ୍ତି ନେବାକୁ ସ୍ୱାଧୀନ ଥିଲା । କିନ୍ତୁ ମେଣ୍ଟ ଯୁଗର ପ୍ରତ୍ୟାବର୍ତ୍ତନ ପରିସ୍ଥିତିକୁ ବଦଳାଇ ଦେଇଛି । ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ସମ୍ପର୍କରେ ତ୍ୟାଗୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କୁ ସାଙ୍ଗରେ ନେବା ଏବଂ ସେମାନଙ୍କ ମତାମତ ବୁଝିବାର ଆବଶ୍ୟକତା ରହିଛି । ଏ ନେଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମିଳିତ ଭାବେ ନିଷ୍ପତ୍ତି ନିଆଯିବା ଦରକାର ବୋଲି ତ୍ୟାଗୀ କହିଛନ୍ତି ।