ବିଜେଡ଼ିର ମହାବିକାଶ, ବିଜେପି ପରିବର୍ତ୍ତନ, କଂଗ୍ରେସର ଗ୍ୟାରେଣ୍ଟି ନାରା
ଯାଜପୁର:ପାଖେଇ ଆସୁଛି ଶେଷ ପର୍ଯ୍ୟାୟ ନିର୍ବାଚନ । ଜୁନ ପହିଲାରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ମଇଦାନ ପୁରା ସରଗରମ । ପ୍ରାର୍ଥୀଙ୍କ ରୋଡ଼ ସୋ, ଶୋଭାଯାତ୍ରା, ସମାବେଶ ଭିତରେ ପ୍ରଚାର ଗାଡ଼ି ଗାଁ ଗାଁରେ ଭୋଟରଙ୍କ କର୍ଣ୍ଣଭେଦ କରିବାରେ ଲାଗିଛି । ଯାଜପୁର ଜିଲାର କୋରେଇ ବିଧାନସଭା କ୍ଷେତ୍ରଟି ଏବେ ସବୁଠାରୁ ଚର୍ଚ୍ଚାରେ । କାରଣ କାହାକୁ ଅଛପା ନୁହେଁ । ସ୍ୱାଭୀମାନୀ ନେତା ତଥା ମୁକୁଟ ବିହୀନ ସମ୍ରାଟ ବୋଲି କୁହାଯାଉଥିବା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ତଥା ଏବର ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବା ପରେ କୋରେଇ ବିଧାନସଭା କ୍ଷେତ୍ର ଉପରେ ରହିଛି ସଭିଁଙ୍କ ନଜର । ସନ୍ଧ୍ୟାରାଣୀଙ୍କ ପାଇଁ ପୁରା ବିଜେଡ଼ି ବଳ ଖଟାଇ ଚାଲିଛି । ସନ୍ଧ୍ୟାରାଣୀଙ୍କ ପାଇଁ ପୁତୁରା ଭବପ୍ରସାଦ ଦାସ ଦିନ ରାତିକୁ ଏକକରି ଦେଇଛନ୍ତି ।
ବ୍ୟାସନଗର ପୌରାଞ୍ଚଳର ୨୬ ୱାର୍ଡ଼ ସହ କୋରେଇର ୨୮, ରସୁୁଲପୁର ବ୍ଲକର ୯ ପଞ୍ଚାୟତକୁ ନେଇ ଗଠିତ କୋରେଇ ବିଧାନସଭା କ୍ଷେତ୍ର ଉପରେ ଫୋକସ କରୁଛି ବିଜେଡ଼ି । ରସୁଲପୁର ବ୍ଲକ ଅନ୍ତର୍ଗତ ୯ପଞ୍ଚାୟତର ଦାୟିତ୍ୱ ବିଧାୟକ ଅଶୋକ ବଳଙ୍କ ଉପରେ ନ୍ୟସ୍ତ ରହିଛି । ଅଶୋକ ଟିକେଟରୁ ବଞ୍ଚିତ ହୋଇଥିଲେ ବି ଦଳର ନିଷ୍ପତ୍ତିକୁ ସମ୍ମାନ ଦେଇ ସନ୍ଧ୍ୟାରାଣୀଙ୍କୁ ଜିତାଇବାର ସଙ୍କଳ୍ପ ନେଇଥିବା ବେଳେ ନିଜର ଦୃଢ ସମର୍ଥକଙ୍କୁ କାର୍ଯ୍ୟରେ ଲଗାଇ ଦେଇଛନ୍ତି । ତା ସହ ଉକ୍ତ ବ୍ଲକ ଅଞ୍ଚଳର କିଛି ବରିଷ୍ଠ ନେତା ସନ୍ଧ୍ୟାରାଣୀଙ୍କ ପାଇଁ ମଙ୍ଗଧରିଛନ୍ତି । କୌଣସି ବି ପ୍ରାର୍ଥୀଙ୍କ ବିଜୟରେ ୯ ପଞ୍ଚାୟତ ଭୁମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ବିଜେଡ଼ି ଗୋଟିଏ ବି ଭୋଟ ହାତଛଡ଼ା କରିବାକୁ ଚାହୁଁନି । ବିଶେଷ କରି ଗଲା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଜିଲା ପରିଷଦ ପ୍ରାର୍ଥୀ ପାଇଥିବା ୧୮ହଜାରରୁ ଅଧିକ ଭୋଟ ଯେଭଳି ସନ୍ଧ୍ୟାରାଣୀଙ୍କ ଖାତାକୁ ଯିବ ସେଥିପାଇଁ ସମସ୍ତେ ଲାଗିପଡ଼ିଛନ୍ତି । କେବଳ ରସୁଲପୁର ବ୍ଲକ ନୁହେଁ କୋରେଇ ବ୍ଲକ ଅନ୍ତର୍ଗତ ୩ଟି ଜୋନରେ ଜିଲା ପରିଷଦ ପ୍ରାର୍ଥୀ ପାଇଥିବା ଭୋଟ ସନ୍ଧ୍ୟାରାଣୀଙ୍କ ସପକ୍ଷରେ ଯିବ ସେଥିପାଇଁ କଳ କୌଶଳ ଲଗାଇ ଦେଇଛନ୍ତି ବିଜେଡ଼ିର ପଞ୍ଚାୟତ ପ୍ରତିନିଧି । ବିଜେଡ଼ି ୧ନଂ ଜୋନରୁ ୨୦ ହଜାରରୁ ଅଧିକ, ୨ନଂଜୋନରୁ ୧୭ହଜାରରୁ ଅଧିକ ଏବଂ ୩ନଂ ଜୋନରୁ ଜିଲା ପରିଷଦ ନିର୍ବାଚନରେ ବିଜେଡ଼ି ପାଇଥିବା ୨୩ହଜାରରୁ ଅଧିକ ଭୋଟ ହାତେଇବା ପାଇଁ ରଣନୀତି କରିଛି ।
ପୌର ନିର୍ବାଚନରେ ବ୍ୟାସନଗରରୁ ବିଜେଡ଼ି ପାଇଥିବା ଭୋଟ ୧୫୭୨୦ରୁ ଅଧିକ ଭୋଟ ପାଇବାକୁ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ଠରୁ ଆରମ୍ଭ କରି ପାରିଷଦ ଏବଂ ପରାଜିତ ପାରିଷଦ ପ୍ରାର୍ଥୀଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ବିଜେଡ଼ି ପ୍ରାର୍ଥିନୀ କୋରେଇର ମହାବିକାଶ ନାରା ଦେଇ ଭୋଟରଙ୍କୁ ଭେଟୁଥିବା ବେଳେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ପରିବର୍ତ୍ତନର ନାରା ଦେଇ ଭୋଟରଙ୍କୁ ଭେଟୁଛନ୍ତି । ୨୦୧୪ରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିବା ଆକାଶଙ୍କୁ ୨୦୧୯ରେ ଦଳ ପ୍ରାର୍ଥୀ କରିନଥିଲା । ଆକାଶଙ୍କୁ ଷ୍ଟାର ପ୍ରଚାରକ କରି ଦଳ ଦଳୀୟ କାର୍ଯ୍ୟରେ ଲଗାଇବା ପରେ ମୋ’ କଲେଜ ଅଧ୍ୟକ୍ଷ କରିଥିଲା । ମୋ’ କଲେଜ ଅଧ୍ୟକ୍ଷ ସମୟରେ ଆକାଶ କୋରେଇରୁ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରିଥିଲେ । ସବୁଜ କୋରେଇ ଅଭିଯାନ ଆରମ୍ଭ କରି ଭୋଟରଙ୍କ ନିକଟତର ହୋଇଥିଲେ । ନିର୍ବାଚନ ଲଢିବାକୁ ଗୋଟିଏ ପ୍ଲାଟଫର୍ମ ତିଆରି କରିବାକୁ ସମର୍ଥ ହୋଇଥିଲେ ଆକାଶ । ହେଲେ ଦଳ ତାଙ୍କୁ ପ୍ରାର୍ଥୀ କରିବାକୁ ସୁଯୋଗ ଦେଲାନି । ବିଜେଡ଼ିରୁ ନିରାଶ ହେବା ପରେ ବିଜେପିକୁ ଲମ୍ପ ଦେଇଥିଲେ । ଆଉ ବିଜେପି ବାବୁ ନାୟକ ହୁଅନ୍ତୁ କି ଆଲେଜାଣ୍ଡାରଙ୍କୁ ଭରସା କରିବା ବଦଳରେ ଆକାଶଙ୍କୁ ଯୋଗ୍ୟ ପ୍ରାର୍ଥୀ ବୋଲି ଧରି ନେଇ ପ୍ରାର୍ଥୀ କରିଥିଲା । ଆକାଶ ବିଜେପିକୁ ଯିବା ପରେ ନବୀନ ବନ୍ଦନାକୁ ଭୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଏବଂ ପରିବର୍ତ୍ତନ ନାରା ଦେଇ ପ୍ରଚାରକୁ ଓହ୍ଲାଇଲେ ।
ଆକାଶଙ୍କ ହାତମୁଠାକୁ ଟାଣ କରିବାକୁ ଯୁବ ଗୋଷ୍ଠୀ ଆଗେଇ ଆସିଥିବା ବେଳେ ମଙ୍ଗଧରିଲେ ପ୍ରାକ୍ତନ ବିଧାୟୀକା ସଞ୍ଚିତା ମହାନ୍ତି । ସଞ୍ଚିତାଙ୍କ ବଳ ସାଙ୍ଗକୁ ପରିବର୍ତ୍ତନ ନାରା ଦେଇ ଭୋଟରଙ୍କୁ ଭେଟି ସମର୍ଥନ ହାସଲ କରୁଥିବା ଆକାଶଙ୍କୁ ଝଟକା ଦେବାକୁ ବାବୁ ଏବଂ ଆଲେକ୍ସ ବିଜେଡ଼ି କ୍ୟାମ୍ପକୁ ଚାଲିଗଲେ । ବାବୁ ଏବଂ ଆଲେକ୍ସଙ୍କ ବିଜେପି ତ୍ୟାଗ ଦଳ ଉପରେ କ’ଣ ପ୍ରଭାବ ପକାଇବ ତାହାତ ସମୟ କହିବ କିନ୍ତୁ ଆକାଶ ଏଥର ପରିବର୍ତ୍ତନ ନାରାକୁ ଗାଁ ଗାଁରେ ପହଞ୍ଚାଇବାକୁ ସମର୍ଥକ ପୁରାଦମରେ ଲାଗିପଡ଼ିଛନ୍ତି । କଂଗ୍ରେସ ପ୍ରାର୍ଥିନୀ ବନ୍ଦିତା ପରିଡ଼ା ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଭେଟିବାରେ ଲାଗିଛନ୍ତି । କଂଗ୍ରେସ ସରକାର ଆସିଲେ ଦେଉଥିବା ପ୍ରତିଶ୍ରୁତି ପୂରଣ ହେବ । ବିଜେଡ଼ି-ବିଜେପି ଜନମତକୁ ପ୍ରଭାବିତ କରିବାକୁ ମିଛ ପ୍ରତିଶ୍ରୁତିି ଦେଉଥିବା କଥା ଭୋଟରଙ୍କୁ ବୁଝାଉଛନ୍ତି । କଂଗ୍ରେସ ପ୍ରାର୍ଥିନୀ ବନ୍ଦିତା କୋରେଇର ଜଣେ ଜଣାଶୁଣା ଚେହେରା । ବ୍ୟାସନଗର ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷା ବନ୍ଦିତା ୨୦୧୯ରେ ନିର୍ବାଚନ ଲଢି ୨୮ହଜାରରୁ ଅଧିକ ଭୋଟ ହାତେଇଥିଲେ । ଯେତେ ବେଳେକି ଜିଲାର କୌଣସି ବିଧାୟକ ପ୍ରାର୍ଥୀ ୨୦ହଜାର ଟପିବା ମୁସ୍କିଲ ହୋଇପଡ଼ିଥିଲା, ସେତେ ବେଳେ କୋରେଇର ୨୮ ହଜାର ଭୋଟର ସମର୍ଥନ ଜଣାଇଥିଲେ । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ କାର୍ଯ୍ୟ କରିଥିବା ବନ୍ଦିତା କଂଗ୍ରେସକୁ ଭୋଟ ଦେଇ ଗ୍ୟେରେଣ୍ଟିର ଭାଗିଦାରୀ ହେବାକୁ ପ୍ରବର୍ତ୍ତାଉଛନ୍ତି । ବିଜେଡ଼ିର ମହା ବିକାଶ ନାରାକୁ ବିଜେପିର ପରିବର୍ତ୍ତନ ସ୍ୱର ଏବଂ କଂଗ୍ରେସର ଗ୍ୟାରେଣ୍ଟି ପ୍ରତିଶ୍ରୁତି ଗାଁ ଗାଁରେ ପ୍ରତିଧ୍ୱନୀ କରୁଛି । ଭୋଟର ମହାବିକାଶରେ ସାମିଲ ହେବେ ନାଁ ପରିବର୍ତ୍ତନକୁ ସମର୍ଥନ ଦେବେ ନାଁ ଗ୍ୟାରେଣ୍ଟିକୁ ବିଶ୍ୱାସ କରିବେ ତାହାକୁ ନେଇ ଦ୍ୱନ୍ଦରେ ଫସିଛନ୍ତି । କୋରେଇ ଆସନ ନିମନ୍ତେ ସନ୍ଧ୍ୟାରାଣୀ, ଆକାଶ, ବନ୍ଦିତାଙ୍କୁ ବାଦ ଦେଲେଅଟଳ କୁମାର ଜେନା (ବହୁଜନ ସମାଜ ପାର୍ଟି), ତ୍ରିନୟନ ରଥ (ଆମ ଆଦମି ପାର୍ଟି), ଗୋପାଳ କୃଷ୍ଣ ମହାନ୍ତି (ଆମ୍ୱେଦକରାଇଟ ପାର୍ଟି ଅପଂ୍ ଇଣ୍ଡିଆ), ସରୋଜ କର (ପ୍ରଜା ଏକଥା ପାର୍ଟି), ବିନୋଦ ବିହାରୀ ଜେନା, ମନୋଜ କୁମାର ପଣ୍ଡା, ରାମଚନ୍ଦ୍ର ବାରିକ, ସହଦେବ ଜେନା (ସ୍ୱାଧୀନ) ରହିଥିବା ବେଳେ ମୁଖ୍ୟତ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖି ଲଢେଇ ହେବ । ୨ଲକ୍ଷ ୭ହଜାର ୨୮୩ ଭୋଟର ଜୁନ ପହିଲାରେ ନିଜର ନେତା ବାଛିବାକୁ ମତଦାନ କରିବେ