କେବେ ଗ୍ରାଉଣ୍ଡକୁ ଯିବେ ତିନି ଦଳ?

ଭୁବନେଶ୍ୱର: ରାଜ୍ୟର ତିନି ପ୍ରମୁଖ ଦଳ ଏବେ କେବଳ ରାଜଧାନୀରେ ହିଁ ସୀମିତ ରହିଛନ୍ତି । କୌଣସି ଦଳକୁ ଗ୍ରାଉଣ୍ଡରେ ଦେଖିବାକୁ ମିଳୁନାହିଁ । ବିଜେପି କ୍ଷମତାକୁ ଆସିବା ପରେ କାର୍ଯ୍ୟକର୍ତ୍ତାଙ୍କ ଦେହରେ ପର ଲାଗିଯାଇଛି । କାଁ ଭାଁ କିଛି କରିତକର୍ମା ସଂଗଠକଙ୍କୁ ଛାଡ଼ିଦେଲେ, ବାକି ସମସ୍ତେ କ୍ଷମତାକୁ ବ୍ୟବହାର କରି କିଭଳି ହାତ ଚିକ୍କଣ କରିହେବ ସେଇ ଚିନ୍ତାରେ ଘାରି ହେଉଛନ୍ତି । ଅପରପକ୍ଷରେ ବିଜେଡ଼ି କ୍ଷମତାରୁ ଯିବା ପରେ ଜିତିନଥିବା ନିର୍ବାଚନମଣ୍ଡଳୀରେ ସ୍ଥିତି ଭାରି ସଂଗୀନ । ସେଠି ଆଉ କେହି ବୋଲମାନିବା ଅବସ୍ଥାରେ ନାହାନ୍ତି । କଂଗ୍ରେସ କଥା ନକହିଲେ ଭଲ । ଶତାଧିକ ନିର୍ବାଚନମଣ୍ଡଳୀରେ ଅମାନତ ହରାଇଥିବା କଂଗ୍ରେସ ରାଜନୀତି କେବଳ ରାଜଧାନୀରେ ହିଁ ସୀମିତ ରହିଛନ୍ତି । ଗାଏମୋଟ୍ କହିଲେ ସେମାନେ କେବଳ ମିଡ଼ିଆରେ ହିଁ ସକ୍ରିୟ ଅଛନ୍ତି କହିଲେ ଭୁଲ୍ ହେବନାହିଁ ।
ଯେଉଁ ଯେଉଁ ସ୍ଥାନରେ ବିଜେପି ଜିତିଛି, ସେଠାରେ ବିଧାୟକମାନେ ଗ୍ରାଉଣ୍ଡରେ ରହି ସଂଗଠନକୁ ମଜବୁତ୍ କରୁଥିବା ଦେଖିବାକୁ ମିଳିଛି । ତଥାପିବି ନୂଆ ଓ ପୁରୁଣା ବିଜେପି ନେତାଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳୁଛି । ତେବେ ଯେଉଁ ଯେଉଁ ସ୍ଥାନରେ ବିଜେପି ଜିତିପାରିନାହିଁ ସେଠାରେ ସ୍ଥିତି ବେଶ୍ ସଂଗୀନ । ହାରିଥିବା ବିଧାୟକ ପ୍ରାର୍ଥୀ ହୁଅନ୍ତୁ ବା ଆଗଧାଡ଼ିର କାର୍ଯ୍ୟକର୍ତ୍ତା ସମସ୍ତେ ଏବେ ରାଜଧାନୀରେ ଡେରା ପକାଇଛନ୍ତି । କିଏ ମନ୍ତ୍ରୀଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କରି ପତିଆରା ଦେଖାଉଛନ୍ତି ତ ଆଉ କିଏ କେଉଁ ବାଟରେ ହାତ ଚିକ୍କଣ କରିହେବ ସେହି ଚିନ୍ତାରେ ପଡ଼ିଛି । ସେହି ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ଗତ ନିର୍ବାଚନରେ ଟିକେଟ ପାଇନଥିବା ନେତାଙ୍କ ମଧ୍ୟରେ ପତିଆରା ଲଢ଼େଇ ଆରମ୍ଭ ହୋଇଯାଇଛି । ଯିଏ ଯାହା ହାତରେ ଚଉଦ ପା’ ଦେଖାଇହେବାର ସୁଯୋଗ ହାତଛଡ଼ା କରୁନାହାନ୍ତି । ଏମିତିବି ଦଳର ନୂଆ ଟିମ୍ ଗଠନ ହୋଇନଥିବାରୁ ସମସ୍ତେ ଏବେ ଲବିରେ ହିଁ ବ୍ୟସ୍ତ ଅଛନ୍ତି । କିଛି ନେତା ନିଗମ ଅଧ୍ୟକ୍ଷ ହେବା ପାଇଁ ସବୁଦିନ ପାର୍ଟି ଅଫିସ ଆଡ଼େ ଘେରାଏ ବୁଲିଆସି ମୁହଁ ଦେଖାଇବାରେ ଲାଗି ପଡ଼ିଛନ୍ତି ।
ବିଜେଡ଼ି ଚବିଶ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ହାରିଯିବା ପରେ ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗିଯାଇଛି । ହାରିବା ପାଇଁ ଇଏ ତାକୁ ସିଏ ତାକୁ ଦୋଷ ଦେବାରେ ଲାଗିଛି । ପ୍ରତିଦିନ ବିଜେଡ଼ିରେ ବାଦିପାଲା ଚାଲୁଥିବାରୁ କାହାର ଆଉ ସଂଗଠନ ଉପରେ ଫୋକସ ନାହିଁ । କେବଳ ପଞ୍ଚାୟତ କାମ ଦାମରେ ସେମାନେ ସୀମିତ ଅଛନ୍ତି । ଯେଉଁଠି ବିଜେଡ଼ି ହାରିଯାଇଛି ସେଠାରେ ଏବେ ଡଜନେ ନେତା । କିଏ ବିଜେପି ନେତାଙ୍କ ପାଖକୁ ଯାଇ ଫୁସରୁଫୁସରୁ ହେଉଛନ୍ତି ତ ଆଉ କିଏ ଘରେ ବସି ସ୍ଥିତି ପରଖୁଛି । ହାରିଥିବା ନେତାଙ୍କ ଟିକେଟ ଏବେଠାରୁ କେବେ ଗ୍ରାଉଣ୍ଡକୁ ଯିବେ...
କାଟିବାକୁ ବି ଥୋକେ ଲାଗିଗଲେଣି । ସୋସିଆଲ ମିଡ଼ିଆରେ ଏବେ ନିଜ ଦଳର ନେତାଙ୍କୁ ଟାର୍ଗେଟ୍ କରି ରାଗ ଶୁଝାଇବାରେ ଲାଗିଛନ୍ତି । ସବୁଠାରୁ ମାରାତ୍ମକ କଥାଟି ହେଉଛି, ବିଜେଡ଼ି ଏବେବି ଓଭର କନଫିଡେନ୍ସରେ ଅଛି । ଲୋକେ ବାଉଳାରେ ବିଜେପିକୁ ଭୋଟ୍ ଦେଇଥିଲେ, ଆଗକୁ ନବୀନ ବାବୁଙ୍କୁ ଭୋଟ୍ ଦେବେ, ବିଜେଡ଼ିକୁ ଭୋଟ୍ ଦେବାକୁ ବାଧ୍ୟ ବୋଲି ସେମାନେ ଧରି ନେଇଛନ୍ତି । କିନ୍ତୁ ଅନେକ ରାଜ୍ୟରେ ବିଜେପି ଥରେ କ୍ଷମତାକୁ ଆସିବା ପରେ ପୁଣି ଥରେ ସୁଯୋଗ ପାଇବାର ନଜିର ରହିଛି ବୋଲି ସେମାନେ ଭୁଲି ଯାଉଛନ୍ତି । ଅବଶ୍ୟ ତୃଣମୂଳସ୍ତରର ନେତାଙ୍କ ଟେନସନ ନାହିଁ । ସୁବିଧା ସୁଯୋଗ ଦେଖି ସେମାନେ ବି ପଦ୍ମ ପୋଖରୀରେ ବୁଡ଼ ମାରିପାରିବେ । ଏମିତିବି ରାଜ୍ୟର ପ୍ରାୟ ୨୦ ନିର୍ବାଚନମଣ୍ଡଳୀରେ ଆଗଧାଡ଼ିର ବିଜେଡ଼ି ନେତାମାନେ ପଦ୍ମ ଧରି ନିଜର ଗୁଜୁରାଣ ମେଣ୍ଟାଇବାରେ ଲାଗି ପଡ଼ିଛନ୍ତି । ପିସିସି ସଭାପତି ଭକ୍ତ ଚରଣ ଦାସ ଦାୟିତ୍ୱ ନେବା ପରେ କଂଗ୍ରେସକୁ ଚଳଚଞ୍ଚଳ କରିବାର ବାତାବରଣ ସୃଷ୍ଟି କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଚର୍ଚ୍ଚାରେ ରହୁଛି । ରାଜଧାନୀରେ ନିତି ଧାରଣା, ବିକ୍ଷୋଭ, ମିଡ଼ିଆରେ ଗର୍ଜନ ଦେଖିବାକୁ ମିଳୁଛି । ହେଲେ ଏଯାଏଁ ଟିମ୍ ଗଢ଼ି ପାରିନଥିବାରୁ ଗ୍ରାଉଣ୍ଡରେ କିନ୍ତୁ କଂଗ୍ରେସ ଚଳଚଞ୍ଚଳ ନାହିଁ । ଏମିତିବି ଶତାଧିକ ନିର୍ବାଚନମଣ୍ଡଳୀରେ ଦଳର ଅମାନତ ନଥିଲା । ଅର୍ଥାତ୍ କର୍ମୀ ସଂକଟ ଦେଇ ଦଳ ଗତି କରୁଛି । ଏବେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗାଏମୋଟ୍ କହିଲେ ତିନି ଦଳ ଦଶହରା ପରେ ହିଁ ଚଳଚଞ୍ଚଳ ହେବ । ବିଜେପି ମୋଦିଙ୍କ ଜନ୍ମଦିନରୁ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାବେଳେ ଗାନ୍ଧୀ ଜୟନ୍ତୀରୁ ବିଜେଡ଼ି ଲୋକଙ୍କ ପାଖକୁ ଯିବ । ସେହିପରି ଦଶହରା ପୂର୍ବରୁ କଂଗ୍ରେସ ଜିଲ୍ଲା ସଭାପତି ଚୟନ କରି ଗ୍ରାଉଣ୍ଡକୁ ଯିବବୋଲି ଜାଣିବାକୁ ମିଳିଛି ।