ଶରତଙ୍କ ନେତୃତ୍ୱରେ କଂଗ୍ରେସର ପ୍ରଦର୍ଶନ ରାଜ୍ୟରେ ଖରାପ ରହିଲା:ପଂଚାନନ

ଭୁବନେଶ୍ୱର:  ସାଧାରଣ ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି।  ପିସିସି ସଭାପତି  ଶରତ ପଟ୍ଟନାୟକ ତାଙ୍କ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ମହଲରେ ଦାବି ଜୋର ଧରିଲାଣି । ଏଭଳି ସ୍ଥିତିରେ ଶରତ ନୈତିକତା ଆଧାରରେ ତୁରନ୍ତ ପିସିସି ସଭାପତି ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ବରିଷ୍ଠ ନେତାପଂଚାନନ କାନୁନଗୋ ଦାବି କରିଛନ୍ତି ।ପଂଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟରେ ଚଳିତ ନିର୍ବାଚନରେ କଂଗ୍ରେସର ଆସନ ସଂଖ୍ୟା ବିଧାନସଭାରେ ୯ରୁ ୯୦ରେ ପହଂଚିବ ବୋଲି ପିସିସି ସଭାପତି କହିଥିଲେ । କିନ୍ତୁ ତାଙ୍କ ନେତୃତ୍ୱରେ କଂଗ୍ରେସର ପ୍ରଦର୍ଶନ ରାଜ୍ୟରେ ଖରାପ ରହିଲା । ଯଦିଓ ସବୁଆଡ଼େ ପରିବର୍ତ୍ତନର ହାୱା ରହିଥିଲା ।

 ରାଜ୍ୟରେ ସରକାରବିରୋଧୀ ହାୱାର ଫାଇଦା ବିଜେପିକୁ ମିଳିଲା । ଚଳିତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କ’ଣ ଓ କାହିଁକି ରହିଲା ତାହା ସମସ୍ତେ ଜାଣିଛନ୍ତି । ପିସିସି ସଭାପତି ନିଜେ ମଧ୍ୟ ଶୋଚନୀୟ ପରାଜୟ ବରଣ କଲେ । ତେଣୁ ସେ ନୈତିକତା ଦୃଷ୍ଟିରୁ ଦଳ ଓ ନିଜର ପରାଜୟ ପାଇଁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଦେବା ଉଚିତ୍ । ଅବଶ୍ୟ ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି କି ନାହିଁ ତାହା ଜାଣିନାହାନ୍ତି ।


ସେ ନିଜେ ମଧ୍ୟ ପିସିସି ସଭାପତିଙ୍କୁ ଚିଠି ଲେଖି କଂଗ୍ରେସର ଏଭଳି ନିର୍ବାଚନ ବିପର୍ୟ୍ୟୟର ସମୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଚାରିଆଡ଼େ ପରିବର୍ତ୍ତନର ହାୱା ରହିଥିଲାବେଳେ ରାଜ୍ୟରେ କଂଗ୍ରେସକୁ କାହିଁକି ଆଶାନୁରୂପକ ସଫଳତା ମିଳିଲା ନାହିଁ ତା’ର ତର୍ଜମା ହେବା ଜରୁରୀ ବୋଲି କହିଥିଲି । କିନ୍ତୁ ସେ ଏହି ଚିଠିର କୌଣସି ଉତ୍ତର ଦେଲେ ନାହିଁ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।