ବାପା ଜମି ବିକା ଟଙ୍କାରେ ଲଢ଼ିବ ଝିଅ
odisha politics
ଭୁବନେଶ୍ୱର : ସମସ୍ତଙ୍କ ଧାରଣା ରହିଛି, ନେତା ହେଲେ କୋଟି କୋଟି ଟଙ୍କା ରୋଜଗାର ହୁଏ । ହେଲେ ନେତା ହେବା ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ବି ବିକ୍ରି କରିବାକୁ ପଡ଼ିଥାଏ । ଏହାର ଅନେକ ନଜିର ରହିଥିବାବେଳେ ସଦ୍ୟତମ ଉଦାହରଣଟି ଆଳିରେ ଦେଖିବାକୁ ମିଳିଛି । ଏବେ ପିଲାମାନଙ୍କ ପାଇଁ ବାପା ପ୍ରଚାର ମଇଦାନକୁ କୁଦି ପଡ଼ିଲେଣି । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଅସୁସ୍ଥ ଥିବାରୁ ଏଥର ନିର୍ବାଚନ ଲଢୁନାହାନ୍ତି । ସେଠାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ଦେବେନ୍ଦ୍ରଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା । ସେପଟେ ବିଜେଡ଼ିର ହେଭିୱେଟ ନେତା ତଥା ମନ୍ତ୍ରୀ ପ୍ରତାପ ଦେବବି ପ୍ରାର୍ଥୀ ହୋଇଛନ୍ତି । ପ୍ରତାପଙ୍କୁ ଟକ୍କର ଦେବା ପାଇଁ ବିପୁଳ ଅର୍ଥର ବି ଆବଶ୍ୟକତା ରହିଛି । ତେଣୁ ଝିଅ ନିର୍ବାଚନ ଲଢ଼ିବ ବୋଲି ଦେବେନ୍ଦ୍ର ତାଙ୍କ ପୈତୃକ ସମ୍ପତ୍ତି ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ନିଆଳି ଗାଁରେ ଥିବା ତାଙ୍କ ଘର ଢିହରୁ ସେ ୫ ଡିସିମିଲ୍ ଜାଗା ବିକ୍ରି କରିଛନ୍ତି । ଖାଲି ଏବେ ନୁହେଁ ପ୍ରତି ନିର୍ବାଚନରେ ସେ ଜମି ବିକ୍ରି କରିଥା’ନ୍ତି । ପୈତୃକ ସମ୍ପତ୍ତିରୁ ସେ ୭ ଏକର ମୂଲ୍ୟବାନ ଜମି ପାଇଥିବାବେଳେ ତାହା ନିର୍ବାଚନ ପାଇଁ ବିକ୍ରି ହୋଇହୋଇ ଚାଲିଛି । ଦେବେନ୍ଦ୍ରଙ୍କ ବାପା ଦିବାକର ଶର୍ମା ମଧ୍ୟ ୧୯୬୭ ମସିହାରେ ବିଧାୟକ ହୋଇଥିଲେ । ଦେବେନ୍ଦ୍ର ବହୁବାର ନିର୍ବାଚନ ଲଢ଼ିଥିଲେବି ୨୦୧୪ରେ ବିଧାୟକ ହେବାରେ ସଫଳ ହୋଇଥିଲେ । ବାରବାର ପରାଜୟ ସତ୍ତେ୍ୱ ବି ସେ ଲଢ଼ିଚାଲିଛନ୍ତି । ଆଳିରେ ମଧ୍ୟ ତାଙ୍କର ମଜବୁତ ସଂଗଠନ ରହିଛି ।