କଂଗ୍ରେସ ହାତରେ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ଭାଗ୍ୟ

କଂଗ୍ରେସ ହାତରେ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ଭାଗ୍ୟ


ଭୁବନେଶ୍ୱର :ଏଥର ସମ୍ବଲପୁର ଦେଖିବ ସବୁଠାରୁ ବଡ଼ ଲଢ଼େଇ  । ଗୋଟିଏ ପଟେ ପାୱାରଫୁଲ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟପଟେ ନବୀନଙ୍କ ଶ୍ରେଷ୍ଠ ସିପାହୀ ପ୍ରଣବ ପ୍ରକାଶ ଦାସ  । ସାଂଗଠନିକ ଦକ୍ଷତାରେ ଉଭୟ ଧର୍ମେନ୍ଦ୍ର ଓ ପ୍ରଣବ ମାହିର  । ସମ୍ବଲପୁର ଲୋକସଭା କ୍ଷେତ୍ରରେ ମଧ୍ୟ ଉଭୟ ବିଜେଡ଼ି ଓ ବିଜେପିର ମଜବୁତ ସଂଗଠନ ରହିଛି  । ଟାଣୁଆ ନେତା ଓ ମଜବୁତ ସଂଗଠନ ପାଇଁ ସମ୍ବଲପୁର ଲଢ଼େଇ ବେଶ୍ ରୋଚକ ହେବା ନିଶ୍ଚିତ  । ତେବେ ରାଜନୀତିକ ଅଙ୍କ ଅନୁଯାୟୀ, କଂଗ୍ରେସ ଭୋଟରମାନେ ହିଁ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ହାରଜିତର ଫଇସଲା କରିବେ ବୋଲି କୁହାଯାଇପାରିବ  ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମୟରୁ ଧର୍ମେନ୍ଦ୍ରଙ୍କର ସମ୍ବଲପୁର ସହ ପରିଚିତ ରହିଛି  । ପୂର୍ବରୁ ସେ ଦେବଗଡ଼ର ସାଂସଦ ମଧ୍ୟ ଥିଲେ  । ଗତ ନିର୍ବାଚନ ସମୟରେ ପଶ୍ଚିମରେ ହିଁ ବିଜେପି ବିଜୟର ଧ୍ୱଜା ଉଡ଼ାଇଥିଲା  । ସେପଟେ ଧର୍ମେନ୍ଦ୍ରଙ୍କୁ ଅଟକାଇବା ପାଇଁ ଅନେକ ଦିନ ଧରି ପ୍ରଣବ ସମ୍ବଲପୁରରେ ସମରସଜ୍ଜା କରି ଆସୁଛନ୍ତି  । ସେହିପରି ଟାଣୁଆ ବିଜେଡ଼ି ନେତା ମାନସ ମଙ୍ଗରାଜ ବି ସମ୍ବଲପୁର ଦାୟିତ୍ୱରେ ରହିଛନ୍ତି  ।  ଗୋଟିଏ ପଟେ ଧର୍ମେନ୍ଦ୍ର ମୋଦିଙ୍କ ହାୱା ଉପରେ ଭରସା କରିଥିବାବେଳେ ସେପଟେ ସମୀକରଣ ଉପରେ ଆସ୍ଥା ରଖିଛନ୍ତି ପ୍ରଣବ  ।
୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ବାଜିମାତ କରିଥିଲେ ନୀତେଶ ଗଙ୍ଗଦେବ  । ବିଜେପି କୁଚିଣ୍ଡାରେ ୯ ହଜାର, ରେଙ୍ଗାଲୀରେ ୧୭ ହଜାର, ସମ୍ବଲପୁରରେ ୩୫ ହଜାର ଓ ଦେବଗଡ଼ରେ ୧୫ ହଜାର ଅଧିକ ଭୋଟ ପାଇଥିଲା  । ସେପଟେ ବିଜେଡ଼ି ରେଢାଖୋଲରୁ ୪ ହଜାର, ଛେଣ୍ଡିପଦାରୁ ୧୬ ହଜାର ଓ ଆଠମଲ୍ଲିକରୁ ୫୦ ହଜାର ଭୋଟ ଅଧିକ ପାଇବାରେ ସଫଳ ହୋଇଥିଲା  । ଯାହାଫଳରେ ବିଜେପି ପ୍ରାର୍ଥୀ ଗଙ୍ଗଦେବ ୯ ହଜାର ଭୋଟରେ ଜିତିପାରିଥିଲେ  । ବିଜେପିର ଶକ୍ତି ଥିବାରୁ ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ ଧର୍ମେନ୍ଦ୍ର  । ଗତ ୫ ବର୍ଷ ଧରି ସେ ଭିତିରିଆ ଶକ୍ତି ବଢ଼ାଇବାରେ ଲାଗିଛନ୍ତି  । ଏକ୍ଷେତ୍ରରେ ପ୍ରଣବ ବି ପଛରେ ପଡ଼ିନଥିଲେ  । ଉଭୟ ଢେଙ୍କାନାଳ ଓ ସମ୍ବଲପୁରରେ ସେ ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବା ପାଇଁ ରଣନୀତି କରିଥିଲେ  । ଏପରିକି ଧର୍ମେନ୍ଦ୍ରଙ୍କ ସହ ଲଢ଼େଇ କରିବାକୁ ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିବେଦନ ମଧ୍ୟ କରିଥିଲେ  । ଏଭଳି କ୍ଷେତ୍ରରେ କଂଗ୍ରେସ ଭୋଟରଙ୍କ ଉପରେ ଏବେ ଉଭୟ ଧର୍ମେନ୍ଦ୍ର ଓ ପ୍ରଣବ ନଜର ରଖିଛନ୍ତି  । ଗତ ନିର୍ବାଚନରେ ସେଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଏବେକାର ପିସିସି ସଭାପତି ଶରତ ପଟ୍ଟନାୟକ  । ସେ ୧ ଲକ୍ଷ ୩୫ ହଜାରରୁ ଅଧିକ ଭୋଟ ପାଇଥିଲେ  । ବିଜେଡ଼ି ଓ ବିଜେପି ଟାଣୁଆ ପ୍ରାର୍ଥୀ ମଇଦାନକୁ ଛାଡ଼ିଥିବାରୁ ପ୍ରଚାର, ଅର୍ଥ କେଉଁଥିରେ ବି ଅଭାବ ରହିବ ନାହିଁ  । ଫଳରେ ସମ୍ବଲପୁରରେ ଦୁଇମୁଖୀ ପ୍ରତିଦ୍ୱନ୍ଦ୍ୱିତା ହିଁ ଦେଖିବାକୁ ମିଳିବ  । ଯାହାର ପ୍ରଭାବ କଂଗ୍ରେସ ଭୋଟ ବ୍ୟାଙ୍କ ଉପରେ ପଡ଼ିବ  । ଯେଉଁ ଦଳ କଂଗ୍ରେସ ଭୋଟ ଯେତେ ଅଧିକ ଟାଣିପାରିବେ, ସେମାନଙ୍କ ବିଜୟ ସହଜ ହୋଇପାରିବ  । ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସିବେ  । ଏହାଛଡ଼ା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଆସିବାର କାର୍ଯ୍ୟକ୍ରମ ରହିଛି  । ସେହିପରି ଡଜନେରୁ ଅଧିକ କେନ୍ଦ୍ରମନ୍ତ୍ରୀ ବି ଧର୍ମେନ୍ଦ୍ରଙ୍କ ପାଇଁ ହାଇ ଭୋଲଟେଜ ପ୍ରଚାର କରିବେ  । ଅପରପକ୍ଷରେ ପ୍ରଣବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ୍ ମଧ୍ୟ ଜୋରଦାର ପ୍ରଚାର କରିବାକୁ ଯୋଜନା କରିଛନ୍ତି  । ବିଜେଡ଼ି ଓ ବିଜେପିର ଦମଦାର ପ୍ରଚାରରେ କଂଗ୍ରେସ ହଜିଯିବ କହିଲେ ଭୁଲ ହେବନାହିଁ  । ଦୁଇ ନେତା ଏବେଠାରୁ କଂଗ୍ରେସ ଭୋଟକୁ ନେଇ ଅଙ୍କକଷା ଆରମ୍ଭ କରିଦେଇଥିବାବେଳେ କଂଗ୍ରେସ ଭୋଟର କେଉଁପଟକୁ ଢଳୁଛନ୍ତି ତାହା ଉପରେ ନଜର ରହିବ  ।