ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରହାର

DHARMENDRA PRADHAN, ODISHA BJP VK pandian Biju Janata Dal

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରହାର

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ୱାନ ଦେଇଛନ୍ତି  । ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ମାନସ ମାଡକାମି, ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ଓ କୋଟପାଡ ବିଧାନସଭା ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । 

ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ  । ସେ କହିଥିଲେଯେ, ରାଜ୍ୟ ବିଜେପି ମିଶନ ଶକ୍ତିର ମା’ମାନଙ୍କୁ ଅସମ୍ମାନ କରେ  । ଧର୍ମେନ୍ଦ୍ର ପ୍ରଧାନ ଏପର୍ଯ୍ୟନ୍ତ ନୋମିନେସନ୍‌ ମଧ୍ୟ କରିନାହାନ୍ତି, କିନ୍ତୁ ମା’ ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ, ଆପଣ ଚିନ୍ତା କରିପାରୁଛନ୍ତି ତ? କ୍ଷମତାକୁ ଆସିଲେ ସେ କଣ କରିବେ ? ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ  । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ ।

ସେ କହିଥିଲେ ମାଲକାନଗିରି ନିର୍ବାଚନମଣ୍ଡଳୀରେ ୧୨୭ କୋଟି ଟଙ୍କାର କାମ ଚାଲିଛି  । ଲକ୍ଷ୍ମୀ ବସ୍‌ ଯୋଜନାରେ ଜିଲ୍ଲାର ୪.୫୦ ଲକ୍ଷ ଉପକାର ପାଇଛନ୍ତି  । ଜିଲ୍ଲାର ସବୁ ହାଇସ୍କୁଲର ୫ଟି ରୂପାନ୍ତରଣ ହୋଇଛି  । ଚିତ୍ରକୋଣ୍ଡାରେ ବିକାଶର ଚିତ୍ର ଦେଖାଇ ସେ କହିଥିଲେଯେ, ଚିତ୍ରକୋଣ୍ଡା ଓ କରୋକୁଣ୍ଡା ବ୍ଲକ୍‌ର ୧୮ଟି ପଞ୍ଚାୟତରେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଲୋକଙ୍କ ସାମାଜିକ ଓ ଆର୍ଥିକ ରୂପାନ୍ତର କାମ ଚାଲିଛି  । ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର ବିକାଶ ପାଇଁ ୨୦ କୋଟି ଟଙ୍କା, କୋଟପାଡ ଦମୟନ୍ତୀ ସାଗର ପୁନରୁଦ୍ଧାର ପାଇଁ ୧୬.୭୩ କୋଟି ଦିଆଯାଇଛି  । କୋଟପାଡ ଅଞ୍ଚଳରେ ବିଏସକେୱାଇ ଯୋଜନାରେ ୫୦ ହଜାର ହିତାଧିକାରୀ ସାମିଲ ହୋଇଥିବାବେଳେ, କୁନ୍ଦ୍ରା ଗ୍ରାମପଞ୍ଚାୟତର ଗୀତାଞ୍ଜଳୀ ମିଶ୍ର ୮ ଲକ୍ଷ ୫୦ ହଜାର ଟଙ୍କା ଓ କୋଟପାଡ ଏନଏସିର କଳ୍ପନା ଲୋଧା ୭.୯୦ ଲକ୍ଷ ଟଙ୍କା ଜରିଆରେ ବିଏସକେୱାଇ କାର୍ଡ ଯୋଗେ ଉପକୃତ ହୋଇଛନ୍ତି ବୋଲି ସେ କହିଥିଲେ  ।  ଶେଷରେ ସେ ଡବଲ ଶଙ୍ଖରେ ଭୋଟ ଦେଇ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ  ।