ଏକାଠି ହେଲେ ବବି ଓ ମାନସ
pranab prakash das manas mangaraj
କରିବେ ସମାଜସେବା, ଖୋଲିଲେ ଫାଉଣ୍ଡେସନ
।। ପ୍ରଭାନ୍ୟୁଜ ।। ଭୁବନେଶ୍ୱର : ଚବିଶ ନିର୍ବାଚନ ପୂର୍ବରୁ ପ୍ରଣବ ପ୍ରକାଶ ଦାସଙ୍କ ମୁହଁ ଉତ୍ତର ଦିଗକୁ ଥିବାବେଳେ ମାନସ ମଙ୍ଗରାଜଙ୍କ ମୁହଁ ଦକ୍ଷିଣ ଦିଗକୁ ଥିଲା । ପ୍ରଣବ ଓ ମାନସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ବି ଚାଲିଥିଲା । ମାନସଙ୍କ ପଛରେ ଥିଲେ ଭିକେ ପାଣ୍ଡିଆନ୍ ଓ ଡିଏସ କୁଟ୍ଟେ । କିନ୍ତୁ ନିର୍ବାଚନ ପରେ ଦଳର ପରାଜୟ ନେଇ ପାଣ୍ଡିଆନ୍, କୁଟ୍ଟେଙ୍କ ସହ ପ୍ରଣବ ଓ ମାନସଙ୍କୁ ବି ଦାୟୀ କରାଯାଉଛି । ଏଭଳି ଏକ ସମୟରେ ବବି ଓ ମାନସ ଏକାଠି ହୋଇ ସମାଜସେବା ପାଇଁ ଆଗକୁ ବାହାରିବା ଘଟଣା ରାଜନୀତିକ ମହଲରେ ହଜମ ହେଉନାହିଁ । ଏହାପଛରେ କ’ଣ ରହସ୍ୟ ରହିଛି ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି ।
ଏବେ ଆସିବା ବବି ଓ ମାନସଙ୍କ ସମାଜସେବା ଆଡକୁ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହୁଛନ୍ତି ଆମ ଦଳର ଉଦ୍ଦେଶ୍ୟ ହେଉଛି ସମାଜସେବା । ଯଦି ସମାଜସେବା କରିବା ପାଇଁ ବିଜେଡ଼ି ନେତାମାନେ ଏତେ ଆଗ୍ରହୀ ତାହେଲେ ବିଜେଡ଼ି ଜରିଆରେ କରିପାରିବେ । ଏହାଦ୍ୱାରା ସମାଜ ବି ମଜବୁତ୍ ଓ ଦଳ ବି ମଜବୁତ୍ ହୋଇପାରିବ । ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବର ୩ରେ ଚତୁର୍ଦ୍ଧା ଫାଉଣ୍ଡେସନ ନାମରେ ଏକ କମ୍ପାନୀ ଗଢ଼ା ଯାଇଛି । ଯାହାର ସିଆଇଏନ ନମ୍ବର ହେଉଛି ୟୁ୮୮୯୦୦ଓଡ଼ି୨୦୨୪ଏନପିଏଲ୦୪୬୯୯୮ । କଟକର ରେଜିଷ୍ଟ୍ରାର ଅଫ କମ୍ପାନୀଜରେ ଏହା ପଞ୍ଜୀକୃତ ହୋଇଛି । ଯାହାର ଅଥରାଇଜଡ଼ ସେୟାର କ୍ୟାପିଟାଲ୍ ୧୫ ଲକ୍ଷ ଟଙ୍କା ଥିବାବେଳେ ପେଡ଼ ଅପ କ୍ୟାପିଟାଲ ହେଉଛି ୧ ଲକ୍ଷ ଟଙ୍କା । ସବୁଠାରୁ ବଡ଼ କଥା ହେଉଛି, ଉଭୟ ବବି ଓ ମାନସଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ଯଦି ଫାଉଣ୍ଡେସନ କରି ଜନସେବା କରିବାର ଥାଆନ୍ତା ତେବେ ମାନସ ଓ ବବି ଭିନ୍ନ ଭିନ୍ନ ତରିକାରେ ବି କରିପାରିଥା’ନ୍ତେ । କିନ୍ତୁ ବିଜେଡ଼ିର ଏହି ତୁଙ୍ଗନେତା ଏହି ଫାଉଣ୍ଡେସନର ନିର୍ଦ୍ଦେଶକ ଅଛନ୍ତି । ମାନସ ରଞ୍ଜନ ମଙ୍ଗରାଜ ଏହାର ନିର୍ଦ୍ଦେଶକ ଥିବାବେଳେ ଅନ୍ୟତମ ନିର୍ଦ୍ଦେଶକ ହେଉଛନ୍ତି ସୌମ୍ୟ ପ୍ରକାଶ ଦାସ । ସୌମ୍ୟ ହେଉଛନ୍ତି ପ୍ରଣବ ପ୍ରକାଶଙ୍କ ଭାଇ ।
ଯେଉଁ ଦୁଇ ନେତାଙ୍କ ମଧ୍ୟରେ ପାୱାର ଲଢେ଼ଇ ଚାଲିଥିଲା ସେହି ଦୁଇ ନେତା ଏକାଠି ହୋଇ ସମାଜସେବା ଆଳରେ ଫାଉଣ୍ଡେସନ କରିବା ପଛରେ କ’ଣ ରହସ୍ୟ ରହିଛି ? ତାହାକୁ ନେଇ ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମାନସଙ୍କ ହାତରେ ଦୁଇ ଦୁଇଟି ଗଣମାଧ୍ୟମ ସଂସ୍ଥା ରହିଛି । ସମ୍ବାଦ, ସମାଜ ଓ ପ୍ରମେୟ ଭଳି ମାନସ ଚାହିଁଥିଲେ ସେହି ଗଣମାଧ୍ୟମ ସଂସ୍ଥା ଜରିଆରେ ଦାତବ୍ୟ କାର୍ଯ୍ୟ, ସମାଜସେବା ଆଦି କରିପାରିଥା’ନ୍ତେ । ଯାହାଫଳରେ ତାଙ୍କ ଗଣମାଧ୍ୟମ ସଂସ୍ଥାର ଭାବମୂର୍ତ୍ତି ବି ବଢ଼ିପାରିଥା’ନ୍ତେ । ବବି ବି ଚାହିଁଥିଲେ ଅଶୋକ ଦାସଙ୍କ ନାମରେ ବି ସମାଜସେବା କରି ନିଜର ବ୍ୟକ୍ତିତ୍ୱର ପରିପ୍ରକାଶର କରିପାରିଥା’ନ୍ତେ ବୋଲି ଲୋକେ କହୁଛନ୍ତି । ଏଭଳି ଏକ ଫାଉଣ୍ଡେସନ ପଛରେ କିଛି ରାଜନୀତିକ ଉଦ୍ଦେଶ୍ୟ ରହିଛି । ରାଜ୍ୟର ଏକ ପ୍ରମୁଖ ୱେବ୍ ଗଣମାଧ୍ୟମରେ ବିଜେଡ଼ି ଟଙ୍କା ଏହା ଜରିଆରେ ଏପଟସେପଟ ହେବବୋଲି ଇସାରା ଦିଆଯାଇଛି । ତେବେ ଏହି ସଂସ୍ଥାର ପ୍ରକୃତ ଉଦ୍ଦେଶ୍ୟ ଧିରେଧିରେ ସ୍ପଷ୍ଟ ହୋଇଯିବ । ସେ ଯାହାହେଉନା କାହିଁକି ନିର୍ବାଚନରେ ହାରିବା ପରେ ମାନସ ଓ ବବିଙ୍କ ମହାମିଳନ ଘଟଣା ବିଜେଡ଼ି ରାଜନୀତିରେ କିନ୍ତୁ ଆଲୋଡ଼ନ ସୃଷ୍ଟିକରିଛି ।