ପ୍ରଶାନ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା, ଜାମିନ ଆବେଦନ ଖାରଜ
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା। ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଶୁକ୍ରବାର ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।
ମେ’ ୨୫ ତାରିଖ ଅପରାହ୍ନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ତାଙ୍କ ପତ୍ନୀ ଭୋଟ୍ ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଇଭିଏମକୁ ଫିଙ୍ଗାଫୋପଡ଼ା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ବେଗୁନିଆରୁ ବିଧାୟକଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପସରେ ଅଟକ ରଖିଥିଲା। ପରେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଇପିସିର ୧୧ଟି ଧାରା ଓ ଜନପ୍ରତିନିଧି ଆଇନର ୫ଟି ଧାରାରେ ଶ୍ରୀ ଜଗଦ୍ଦେବ ଓ ତାଙ୍କର ୪-୫ଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଇଭିଏମ୍ ଭଙ୍ଗା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ସମ୍ପୃକ୍ତି ନଥିବା କହି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହା ପଛରେ ପୁଲିସର ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ କରାଯାଇଛି। ଏହାସହିତ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଉକ୍ତ ମତଦାନ କେନ୍ଦ୍ରର ସିସିଟିଭି ଫୁଟେଜ୍ ଗଣମାଧ୍ୟମକୁ ଜାରି କରି ସେଥିରେ ଇଭିଏମ୍ ଅନ୍ୟ କେହି ଭାଙ୍ଗିଥିବାର ପ୍ରମାଣ ଦେଇଛନ୍ତି।