ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ସୁଶୀଳା କାର୍କି

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ସୁଶୀଳା କାର୍କି। ସେ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।ନେପାଳ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଦେଶର ସଂସଦକୁ ଭଙ୍ଗ କରାଯିବା ସହ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ଏହି ପଦକ୍ଷେପକୁ ଶନିବାର ଦେଶର ଅନେକ ରାଜନୈତିକ ଦଳ ଓ ଆଇନଜୀବୀ ସଙ୍ଗଠନ ନିନ୍ଦା କରିଛନ୍ତି। ଏହା ଏକ ଅସାମ୍ବିଧାନିକ, ସ୍ବେଚ୍ଛାଚାରୀ ପଦକ୍ଷେପ। ଏହି ପଦକ୍ଷେପ ଦ୍ୱାରା ଗଣତନ୍ତ୍ରକୁ ଗଭୀର ଭାବେ ଆଘାତ ଲାଗିଥିବା ସେମାନେ କହିଛନ୍ତି। ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ନେପାଳୀ କଂଗ୍ରେସ (ଏନ୍ସି) କହିଛି, ସମ୍ବିଧାନକୁ ଉଲ୍ଲଂଘନ କରୁଥିବା ଯେକୌଣସି ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ। ଏହି ପଦକ୍ଷେପ ସମ୍ବିଧାନର ଆତ୍ମାକୁ ଆଘାତ ଦେଇଛି। ସିପିଏନ୍-ୟୁଏମ୍ଏଲ୍ର ସାଧାରଣ ସମ୍ପାଦକ ଶଙ୍କର ପୋଖରେଲ କହିଛନ୍ତି, ଅଧାରୁ ନେପାଳ ସଂସଦକୁ ଭଙ୍ଗ କରାଯିବା ଅତ୍ୟନ୍ତ ଚିନ୍ତାଜନକ ଓ ନିନ୍ଦା ଯୋଗ୍ୟ ପଦକ୍ଷେପ। ସେହିପରି ସଂସଦକୁ ମନଇଚ୍ଛା ଭଙ୍ଗ କରାଯିବା ସମ୍ବିଧାନର ଗୁରୁତ୍ୱକୁ କ୍ଷୁଣ୍ଣ ପହଞ୍ଚାଇଛି ବୋଲି ନେପାଳ ବାର୍ ଆସୋସିଏଶନ କହିଛି।
ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ନେପାଳର ପରବର୍ତ୍ତୀ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶନିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନବନିଯୁକ୍ତ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଜେନ୍ ଜେଡ୍ର ହିଂସାତ୍ମକ ବିରୋଧ ପ୍ରଦର୍ଶନରେ ଦେଶର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଗୁଡ଼ିକ ନଷ୍ଟ ହୋଇଯାଇଥିବା ନେଇ ଶନିବାର ନେପାଳ ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି। ଆନ୍ଦୋଳନରେ ହୋଇଥିବା ପୋଡ଼ାଜଳା, ପଥର ଫିଙ୍ଗା, ଭଙ୍ଗାରୁଜା ଏବଂ ଲୁଟ୍ପାଟ୍ ଆଦି ଯୋଗୁ ସୁପ୍ରିମକୋର୍ଟ ବିଲ୍ଡିଂ ଓ ପରିସର କ୍ଷତିଗ୍ରସ୍ତ ହୋଇଥିବା କହି ପ୍ରଧାନ ବିଚାରପତି ପ୍ରକାଶମାନ ସିଂ ରାଉତ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ନେପାଳ କର୍ତ୍ତୃପକ୍ଷ କାଠମାଣ୍ଡୁ ଉପତ୍ୟକା ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଲାଗିଥିବା କର୍ଫ୍ୟୁକୁ ହଠାଇ ଦେଇଛନ୍ତି, ଯାହାଫଳରେ ପ୍ରାୟ ସପ୍ତାହେ ପରେ ଦେଶରେ ଜନଜୀବନ ସ୍ବାଭାବିକ ହୋଇଛି।