ଗାଁକୁ ନାହିଁ ରାସ୍ତା; ଯାତାୟାତ ପାଇ ହନ୍ତସନ୍ତ ଗ୍ରାମବାସୀ
କାଳିଆପାଣି,: ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗମନା ଗମନ ବ୍ୟବସ୍ଥାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି । ଗାଁ ଗାଁରେ ପକ୍କା ସଡ଼କ ନିର୍ମାଣ କରାଯାଉ ଥିବା ବେଳେ ଗାଁରୁ ପଞ୍ଚାୟତକୁ ସଂଯୋଗ କରାଯାଉଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ । ହେଲେ ସ୍ୱାଧୀନତାର ୭୬ ବର୍ଷ ପରେବି ଗାଁରେ ନାହିଁ ପକ୍କା ସଡ଼କ ବୋଲି ଅଭିଯୋଗ ହୋଇଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ କଅଁସ ପଞ୍ଚାୟତର ପେଣ୍ଠସାହି(ଝୁଡ଼ି ସାହି)କୁ ସଂଯୋଗ କରୁଥିବା ସଡ଼କ । ଏହି ଗ୍ରାମରେ ପାଖାପାଖି ୩୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ସମସ୍ତ ପରିବାର ଦୈନନ୍ଦିନ ନିଜ କାର୍ଯ୍ୟପାଇଁ ଏହି ମୁଖ୍ୟ ସଡ଼କକୁ ନିର୍ଭର କରିଥାନ୍ତି । ଏହି ସଡ଼କଟି ଗାଁ ପାଇଁ ଏକାନ୍ତ ଅପରିହାର୍ଯ୍ୟ ଅଟେ । ଗାଁ ଆଦିବାସୀ ଅଧ୍ୟୂଷିତ ଅଞ୍ଚଳରେ ଆସୁଛି । ଗ୍ରାମବାସୀ କୁହନ୍ତି କି ରାସ୍ତାରେ ବର୍ଷା ଦିନରେ ପାଦରେ ଚାଲି ଚାଲି ଯିବା ଆସିବା କରିହେଉନଥିବା ବେଳେ ସାଇକେଲ କିମ୍ବା ମୋଟର ସାଇକେଲ ଯିବା ଅସମ୍ଭବ । ଅନ୍ୟପଟେ ବର୍ତମାନ ଟିକିଏ ଖରା ହେବା ସମୟରେ ମୋଟର ସାଇକେଲ ଯିବା ଆସିବା ସମ୍ଭବ ହେଉଛି । ଏମିତି କି ଜରୁରୀକାଳୀନ ଯାନ ଯାତାୟାତ କରିବା ମଧ୍ୟ ଅସମ୍ଭବ ଅଟେ । ଗୋଟିଏ ପଟେ ରାଜ୍ୟ ସରକାର ବିକାଶ ବିକାଶ କହି ନାରା ଦେଉଥିବା ବେଳେ ଏହା କଣ ବିକାଶ କି? ଅନ୍ୟପକ୍ଷରେ ଦେଖିବାକୁ ଗଲେ ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଈଂ ପ୍ରୀତିରଞ୍ଜନ ଘଡାଇଙ୍କ ଖୁଦ୍ ନିଜ ନିର୍ବାଚନ ମଣ୍ଡଳୀର ଘଟଣା ଯାହା କି ଅତ୍ୟନ୍ତ ବ୍ୟଥିତ କରିଛି । ସୁନାର ସୁକିନ୍ଦା ବିକାଶ ହୋଇଛି ବିକାଶ ହୋଇଛି କହି ଦିଣ୍ଡିମ ପିଟୁଥିବା ବେଳେ ଏହା କଣ ବିକାଶ କି? ରାସ୍ତା ନିର୍ମାଣ ପାଇଁ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ଦାବି କରିଆସୁଥିବା ବେଳେ ଆଗାମୀ ଦିନରେ ଏହି ଦିଗରେ ଦୃଷ୍ଟି ନଦେଲେ ଗାଁ କୁ ରାସ୍ତା ନାହିଁ ତ ଭୋଟ ନାହିଁର ନାରା ଦେଇ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ଏହି ଗାଁର ଅଧିବାସୀ । ବାରମ୍ବାର ପକ୍କା ସଡ଼କ ନିର୍ମାଣ କରିବା ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ଚଳିତ ବର୍ଷ ମନରେଗା ଯୋଜନାରେ ରାସ୍ତାରେ ମାଟି ପକ୍କା ହୋଇଥିଲା । କିନ୍ତୁ ପକ୍କା ସଡ଼କ ପାଇଁ ଦାବି କରାଯାଉଥିଲେ ମଧ୍ୟ କେହି କର୍ଣ୍ଣ ପାତ କରୁ ନଥିବା କଥା କୁହନ୍ତି ।