ସମସ୍ୟା ଘେରରେ ସିଏଚ୍ସି
ଭୁବନେଶ୍ୱର: ସମସ୍ୟା ଘେରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ହସ୍ପିଟାଲରେ ସବୁ ଉପକରଣ ଅଛି ହେଲେ ରୋଗୀଙ୍କ କାର୍ଯ୍ୟରେ ଆସୁନି । ସାମାନ୍ୟ ଚିକିତ୍ସା ପାଇଁ ରୋଗୀଙ୍କୁ ବାହାରକୁ ଯିବାକୁ ପଡୁଛି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଦେଖିବାକୁ ମିଳିଛି । କେନ୍ଦ୍ର ପରିସରରେ ଦୀର୍ଘ ମାସ ହେଲା ଏକ ନୂଆ ଏକ୍ସରେ ମେସିନ ଆସି ରହିଛି । ହେଲେ ଏହା ରୋଗୀଙ୍କ କାର୍ଯ୍ୟରେ ଲାଗୁନି । ସ୍ଥାନୀୟ ଅଞ୍ଚଳର ରୋଗୀମାନେ ଏକ୍ସରେ କରିବା ପାଇଁ ଫୁଲବାଣୀ କିମ୍ବା ବାଲିଗୁଡା ଯାଇ ଅଯଥା ଅର୍ଥ ବ୍ୟୟ କରୁଥିବା ଅଭିଯୋଗ ହେଉଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ବିକଳ ଚିତ୍ର ନା ସ୍ୱାସ୍ଥ୍ୟ ବିଭାଗ ନଜରକୁ ଆସୁଛି ନା ଲୋକ ପ୍ରତିନିଧି ଶୁଣୁଛନ୍ତି । ୫-ଟି ଯୋଜନା ମାଧ୍ୟମରେ ମେଡ଼ିକାଲର ରୂପାନ୍ତରଣ ହେବ ବୋଲି ପ୍ରଚାର ପ୍ରସାର କରାଗଲା କିନ୍ତୁ କୌଣସି ପରିବର୍ତ୍ତନ ହେଲାନି । ସାରଙ୍ଗଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପାଖାପାଖି ୪ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ସେସବୁ ପଞ୍ଚାୟତ ମଧ୍ୟରେ ଚାଞ୍ଚଡ଼ି, ଗାନ୍ଦ୍ରିଗାଁ, ବଣ୍ଡଗୁଡ଼ା ଏବଂ ସାରଙ୍ଗଗଡ଼ ଆଦି ରହିଛି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ରୋଗୀମାନେ ଆବଶ୍ୟକ ଚିକିତ୍ସା ନ ପାଇ ନିରାଶ ହେଉଛନ୍ତି । ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । କିନ୍ତୁ ସାରଙ୍ଗଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ନ କହିବା ଭଲ ହେବ । ପୁରୁଷ ଇନଡୋର୍ ହଲ, ମହିଳା ଇନଡୋର ହଲ, ସେବିକା କକ୍ଷ, ରକ୍ତ ନମୁନା ପରୀକ୍ଷାଗାର, ଏକ୍ସରେ ପରୀକ୍ଷାଗାର ଏମିତିକି ପ୍ରତୀକ୍ଷା କକ୍ଷର ଅବସ୍ଥା ନ କହିବା ଭଲ । ଦୁଇ ମାସ ହେଲା ରୋଗୀଙ୍କୁ ଖାଦ୍ୟ ଖାଦ୍ୟ ମିଳୁନି । ଏହାର ସ୍ଥାୟୀ ସମାଧାନ ପାଇଁ ନୂଆ ରାଜ୍ୟ ସରକାରଙ୍କୁ ଏହି ଅଞ୍ଚଳବାସୀ ନିବେଦନ କରିଛନ୍ତି ।