କହ୍ନେଇଙ୍କ ‘ଦିଲ୍ଲୀ ଡିଲ୍‌’ : ଶ୍ରୀମୟୀ

କହ୍ନେଇଙ୍କ ‘ଦିଲ୍ଲୀ ଡିଲ୍‌’ : ଶ୍ରୀମୟୀ

ଭୁବନେଶ୍ୱର : ପୂର୍ବତନ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ଭିକେ ପାଣ୍ଡିଆନଙ୍କ ପ୍ରତି କଟାକ୍ଷ ଜାରି ରଖିଛନ୍ତି । ସାମାଜିକ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହେଉଛି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡ଼ି ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଗିନୀ ଛୁରୀଆଙ୍କୁ ପ୍ରାର୍ଥୀ କରିବା ପରେ ସେ ତେରେଛା ବାଣ ମାରିଛନ୍ତି  ।

 ନିଜ ଫେସବୁକ୍‌ ପୋଷ୍ଟରେ ସେ ଉଲ୍ଳେଖ କରିଛନ୍ତିଯେ, ଜିଲ୍ଲା ବାହାରର ପରାଜିତ ନେତ୍ରୀଙ୍କୁ ବିଜେଡି ଟିକେଟ୍‌ ଦେଇ ପରୋକ୍ଷରେ ‘କହ୍ନେଇ’ଙ୍କ ସ୍ଥାୟିତ୍ୱ ଓ ଡିଲକୁ କାର୍ଯ୍ୟକାରୀ କରାଇଛି । ଯେଉଁ ନେତ୍ରୀଙ୍କୁ ବିଜେଡି ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି କହିଛି ସେ ଗତ ମାସରେ କହ୍ନେଇଙ୍କୁ ନବୀନବାବୁଙ୍କ ‘ମାନସ ପୁତ୍ର’ କହିବା ପରେ ହିଁ ତାଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପଦବୀରେ ପୁରସ୍କୃତ କରାଯାଇଥିଲା । ଯେଉଁ ମହିଳା ନିଜ ଦଳର ନେତ୍ରୀଙ୍କୁ ଅପମାନିତ ହେବାର ଦେଖି ଚୁପ୍‌ ରହିଥିଲେ ଓ ପାଣ୍ଡିଆନଙ୍କ ଚାପରେ ବାରମ୍ବାର ବୟାନ ବଦଳାଇଥିଲେ ଏବେ ତାଙ୍କୁ ନୂଆପଡାରେ ବିଜେଡିର ପ୍ରାର୍ଥୀ କରାଯାଇଛି । ବରଗଡର ଏହି ନେତ୍ରୀ ଗତ ସାଧାରଣ ନିର୍ବାଚନରେ ନିଜ ପାରମ୍ପରିକ ଆସନରୁ ୨୯ହଜାର ଭୋଟ୍‌ ବ୍ୟବଧାନରେ ଶୋଚନୀୟ ପରାଜିତ ହୋଇଥିଲେ । ଏବେ ସିଏ ନୂଆପଡାରେ ଦଳର ପ୍ରାର୍ଥୀ ହେବାପରେ ସ୍ପଷ୍ଟ ପ୍ରମାଣିତ ହେଲାଯେ, ବିଜେଡି କିଭଳି ନୂଆପଡାରେ ତୃତୀୟ ସ୍ଥାନରେ ରହିବ ସେଥିପାଇଁ ବିରାଟ ଷଡଯନ୍ତ୍ର ଗତ ସପ୍ତାହରେ ଦିଲ୍ଲୀରେ ହୋଇସାରିଥିଲା । ଦଳର କୋର ଟିମ୍‌ ସଦସ୍ୟମାନେ ସେହି କହ୍ନେଇଙ୍କୁ ନବୀନ ନିବାସରେ ଭେଟି ମଙ୍ଗଳବାର ସନ୍ଧ୍ୟାରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ବି ଦେଲେ ।

ମାତ୍ର ହେଲା କ’ଣ ? ନୂଆପଡାର ହଜାର ହଜାର ବିଜୁପ୍ରେମୀ ଓ ଦଳୀୟ କର୍ମୀଙ୍କ ପ୍ରତି ଏହା ଅପମାନ ନୁହେଁ ତ ଆଉ କ’ଣ ? ଯେଉଁ  ଅଣଓଡ଼ିଆ ବ୍ୟକ୍ତି ପାଇଁ ବିଜେଡିର ୨୪ବର୍ଷର ସରକାର ଚାଲିଗଲା, ଆଉ ଏବେ ନୂଆପଡାରେ ତୃତୀୟ ସ୍ଥାନରେ ରହିବାର ଷଡଯନ୍ତ୍ର ହେଲା, ତାକୁ କେତେଦିନ ସହିବେ ବିଜେଡିର ନେତାମାନେ, ସେ ବିଚାର ଆପଣମାନଙ୍କ ଉପରେ ଛାଡିଲି ବୋଲି ଶ୍ରୀମୟୀ ଉଲ୍ଲେଖ କରିଛନ୍ତି  ।