ଲୁଣାବନ୍ଧ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ବାଲେଶ୍ୱର: ନିର୍ବାଚିତ ହେବାର ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଲୋକଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣରେ ସଫଳତା ସୃଷ୍ଟି କରି ଚାଲିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏହି କ୍ରମରେ ବିଧାୟକ ଶ୍ରୀ ଦତ୍ତଙ୍କ ନେତୃତ୍ୱରେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳର ସୁରକ୍ଷା ନିମିତ୍ତ ଲୁଣା ବନ୍ଧ ନିର୍ମାଣ ପାଇଁ ଜନ ସାଧାରଣଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପରିଖି ଠାରୁ ବାହାର୍ଦ୍ଦା ଏବଂ ପରିଖି ଠାରୁ ଲୁଣାପାହି ପର୍ଯ୍ୟନ୍ତ ପ୍ରସ୍ତାବିତ ଦୁଇଟି ଲୁଣାବନ୍ଧ ପ୍ରକଳ୍ପ ପାଇଁ ଶୁଭ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପରିଖି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦତ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୁଇ ପ୍ରକଳ୍ପ ପାଇଁ ଶୁଭ ଭିତ୍ତପ୍ରସ୍ତର ସ୍ଥାପନ ସହ ଏହାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବିସ୍ତୃତ ଉପକୂଳ ଅଞ୍ଚଳ ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାବେଳେ ସମୁଦ୍ର ଗର୍ଭରୁ ଲୁଣା ପାଣି ସ୍ଥଳଭାଗକୁ ମାଡ଼ି ଆସିବାର ସର୍ବଦା ଭୟ ରହିଛି । ଯାହାର ସ୍ପଷ୍ଟ ଉଦାହରଣ ୟସ୍ ବାତ୍ୟା ସମୟରେ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ଲୁଣାବନ୍ଧ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଜଣାଇ ଆସୁଥିଲେ । ତେବେ ନୂତନ ସରକାର ଗଠନର ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ପ୍ରାୟ ୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଲୁଣା ବନ୍ଧ ନିର୍ମାଣ ପାଇଁ କାର୍ଯ୍ୟାରମ୍ଭ ହୋଇଛି ବୋଲି ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ କହିଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ ବନ୍ଧ ଉପରେ ରାସ୍ତା ମଧ୍ୟ ନିର୍ମାଣ ପ୍ରସ୍ତାବ ଥିବାରୁ ଏହା ଯାତାୟତରେ ସୁବିଧା ଦେବା ହେବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି । ବାଲେଶ୍ୱର ସ୍ଥିତ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନବ କୁମାର ମହାଳିକ କାର୍ଯ୍ୟକ୍ରମରେ ପୌରହିତ୍ୱ କରିବା ସହିତ ଦୁଇ ପ୍ରକଳ୍ପର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ପରିଖି ଠାରୁ ବାହାର୍ଦ୍ଦା ପର୍ଯ୍ୟନ୍ତ ୪.୮କିଲୋମିଟର ଲମ୍ବର ବନ୍ଧ ପାଇଁ ମୋଟ ୧୮କୋଟି ୮୯ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ପରିଖି ଠାରୁ ଲୁଣାପାହି ପର୍ଯ୍ୟନ୍ତ ୧.୮ କିଲୋମିଟର ଲମ୍ବର ଲୁଣାବନ୍ଧ ପ୍ରକଳ୍ପ ପାଇଁ ୭କୋଟି ତାଙ୍କର ଅନୁଦାନ ମଞ୍ଜୁର ହୋଇଛି । ପ୍ରକଳ୍ପ ଗୁଡ଼ିକ ଆସନ୍ତା ୨୦୨୬ ଶେଷ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଥିବା ଶ୍ରୀ ମହାଳିକ ସୂଚନା ଦେଇଛନ୍ତି । ପରିଖି ପଞ୍ଚାୟତର ସମିତି ସଭ୍ୟ ରାମ ସିଂ ଓ ୱାର୍ଡÿ ସଭ୍ୟା ମାମୁନି ହାତୀ ଏଥିରେ ମଞ୍ଚାସୀନ ଥିଲେ । ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଏସଡିଓ ତାପସ କୁମାର ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।