ସୁଧୁରୁନି ବିଦୁ୍ୟତ୍ କାଟ ସମସ୍ୟା
ବ୍ରହ୍ମବରଦା: ବର୍ତ୍ତମାନ ଲାଗିରହିଥିବା ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଘିଅରେ ନିଆଁ ଢ଼ାଳିବା ସଦୃଶ ହୋଇଛି । ଫଳରେ ବିଦ୍ୟୁତ୍ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ଅସହ୍ୟ ଗରମ ଯୋଗୁ ଲୋକମାନେ ଖଇ ପରି ଭାଜି ହେଉଥିବା ବେଳେ ଅନ୍ୟପଟେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦୁ୍ୟତକାଟ ଗ୍ରାହକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ସୂଚନା ଥାଉ କି ବାରମ୍ବାର ଅଘୋଷିତ ବିଦୁ୍ୟତ କାଟ ସମସ୍ୟାକୁ ଦୂର କରିବା ପାଇଁ ବ୍ରହ୍ମ ବରଦା ଅଞ୍ଚଳରେ ଦୀର୍ଘ ୧୧ ମାସ ପୂର୍ବରୁ ଏକ ବିଦ୍ୟୁତ ସବ ଷ୍ଟେସନ ଉଦଘାଟନ କରାଯାଇ ଗତ ମେ ମାସ ୪ ତାରିଖରେ କାର୍ଯ୍ୟକ୍ଷମ କରାଯାଇଥିଲା । ଗ୍ରାହକ ମାନଙ୍କ ଧାରଣା ଥିଲାକି ସବ ଷ୍ଟେସନର କାର୍ଯ୍ୟକ୍ଷମ ପରେ ଆଉ ପୂର୍ବପରି ବିଦ୍ୟୁତ କାଟ ସମସ୍ୟା ଉପୁଜିବ ନାହିଁ । କିନ୍ତୁ ଫଳ ହେଲା ଓଲଟା । ଏଠାରେ ବିଦ୍ୟୁତ କାଟ ସମସ୍ୟା ସୁଧୁରିବା ପରିବର୍ତେ ଦିନକୁ ଦିନ ଆହୁରି ସଙ୍ଗିନ ହେବାରେ ଲାଗିଛି । ସାମାନ୍ୟ ବର୍ଷା କିମ୍ୱା ହାଲକା ପବନ ହେଲେ ବିଦ୍ୟୁତ ବିଭାଗ ଦ୍ୱାରା ଘଣ୍ଟା ଘଣ୍ଟା ଧରି ବିଦୁ୍ୟତ କାଟ କରାଯାଉଛି । ଗୋଟେ ପ୍ରକାର କହିବାକୁ ଗଲେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ସୁଧାରିବାର ନାଁ ଧରୁନି । ତେଣୁ ତୁରନ୍ତ ବିଦ୍ୟୁତ କାଟ ସମସ୍ୟାକୁ ସମାଧାନ କରିବା ପାଇଁ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଦାବି କରିଛନ୍ତି ।