ବିଶ୍ୱ ଜଳ ଦିବସ ପାଳିତ
ବଡସାହି : ବଡ଼ସାହି ବ୍ଲକ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର, ମୟୂରଭଞ୍ଜ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫୋର୍ଡର ମିଳିତ ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ଫୋର୍ଡର ସନ୍ତୋଷ କୁମାର ଖଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା, ମୁଖ୍ୟବକ୍ତା ଭାବେ ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ପୁହାଣ, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଉମାକାନ୍ତ ସାସମଲ ଯୋଗ ଦେଇ ଜଳକୁ ସଂରକ୍ଷଣ କରିବା , ବିଶୁଦ୍ଧ ପାନୀୟ ଜଳର ବ୍ୟବହାର, ଗ୍ରୀଷ୍ମ ଦିନରେ ବିଭିନ୍ନ ସ୍ଥାନରେ ପଶୁପକ୍ଷୀମାନଙ୍କ ପାଇଁ ଜଳ ସଂରକ୍ଷିତ ରଖିବା, ଜଳକୁ ଅଯଥାରେ ଅପବ୍ୟୟ ନ କରିବା ତଥା ନଦୀ, ନାଳ, ବନ୍ଧ, ପୋଖରୀର ଜଳକୁ ପରିସ୍କାର ରଖିବା ସହିତ ସଂରକ୍ଷଣ କରିବା ନିମନ୍ତେ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଚନା ଲିଖନ ପ୍ରତିଯୋଗିତା କରାଯିବା ସହିତ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ସାଧାରଣଜନତାଙ୍କୁ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୁବସମାଜ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଫୋର୍ଡର ସଭ୍ୟସଭ୍ୟା ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସର୍ବଶେଷରେ ପ୍ରମୋଦ କୁମାର ବିନ୍ଧାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।