ସାଂସଦଙ୍କ ହସ୍ତକ୍ଷେପ ପରେ ତେଜିଲା ପ୍ରଶାସନ : ଖଣିଜ ସମ୍ପଦ ଚୋରାଚାଲାଣ ଉପରେ ରୋକ୍
ନୀଳଗିରି : ବେଶ୍ କିଛି ମାସ ଧରି ନୀଳଗିରି ଅଞ୍ଚଳରେ ଚୋରା ଖଣିଜ ସମ୍ପଦ ଲୁଟ୍ ଚାଲିଥିବାବେଳେ ଖଣି ବିଭାଗ ନୀଳଗିରି ରାଜସ୍ୱ ବିଭାଗ ଦେଖି ଶୁଣି ଚୁପ୍ ବସିଥିଲେ । କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ କରୁଥିବା ବେଳେ ରାଜସ୍ୱ ବିଭାଗ ମଧ୍ୟ କୋଟି କୋଟି ଟଙ୍କାର ରାଜସ୍ୱ ହରାଇ ଚାଲିଥିଲେ । ଏ ବାବଦରେ ବିଭିନ୍ନ ଗଣମାଧ୍ୟମରେ ବହୁବାର ଖବର ପ୍ରସାରଣ କରାଯାଇଥିଲା । ତା’ ପରେ ବି କୁମ୍ଭନିଦ୍ରାରେ ଶୋଇଥିଲେ ପ୍ରଶାସନ ଅଧିକାରୀ । ଘଟଣାକୁ ଗୁରୁତ୍ୱ ଦେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଖଣିଜ ସମ୍ପଦ ଲୁଟ୍ କ୍ଷେତ୍ରରେ ରୋକ୍ ଦେବା ପାଇଁ ଶୁକ୍ରବାର ବାଲେଶ୍ୱର ଏସପିଙ୍କୁ ଚିଠି କରି ନୀଳଗିରି ଘାଟଘର୍ସାହି, ବାଘମରା ଓ ମିତ୍ରପୁରରେ ପୁଲିସ କ୍ୟାମ୍ପ ପାଇଁ ଉଲ୍ଲେଖ କରିଥିଲେ । ବାଲେଶ୍ୱର ଏସପି ଘଟଣାକୁ ଗୁରୁତ୍ୱ ଦେଇ ଶନିବାର ଦିନ ଉକ୍ତ ସ୍ଥାନ ମାନଙ୍କରେ ପୁଲିସ କ୍ୟାମ୍ପ ଗଠନ କରାଯାଇଛି । ଏହାଦ୍ୱାରା ଖଣିଜ ସମ୍ପଦ ଲୁଟ୍ କ୍ଷେତ୍ରରେ ଅନେକ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଏଥିପାଇଁ ଭୂୟସୀ ପ୍ରଶଂସା କରାଯାଉଛି ।