ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

 ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ଉପରେ ବୀରମହାରାଜପୁର ବ୍ଳକର ଗୋଧନେଶ୍ୱର ଓ ଖଇରମାଳ ସହିତ ଉଲୁଣ୍ଡାର ହରିହର ଜୋର ଏବଂ ବୀରମହାରାଜପୁରର ସୁରୁବାଲି ଠାରେ ୪ଟି ନଦୀଗର୍ଭ ଜଳାଶୟ ନିର୍ମାଣ କରାଯିବ  । ସୁବର୍ଣ୍ଣପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି  । ସେହିପରି ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି  । ସେହିପରି ୨୪୪ କୋଟି ଟଙ୍କା ମୂଲ୍ୟର ୪୫ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି  । 
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ରରେ ସୁବର୍ଣ୍ଣପୁର ଅଞ୍ଚଳ ପୁରାତନ କାଳରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି  । ଏହି ଜିଲ୍ଲା ହେଉଛି ପ୍ରାଚୀନ ଐତିହ୍ୟ, ଧାର୍ମିକ ଭାବନା, ଆଧ୍ୟାତ୍ମିକ ଚିନ୍ତାଧାରା ଓ ଲୋକସଂସ୍କୃତିର ଗୌରବମୟ ପ୍ରତୀକ  । ସନ୍ଥକବି ଭୀମଭୋଇଙ୍କର ଶିକ୍ଷା, ଦୀକ୍ଷା ତଥା ସାଧନାର କ୍ଷେତ୍ର  । ସାହିତ୍ୟ, ଇତିହାସ ଓ କଳା କ୍ଷେତ୍ରରେ ରାଜ୍ୟରେ ଏ ମାଟିର ପ୍ରସିଦ୍ଧି ରହିଛି  । ଜିଲ୍ଲାର ଆକର୍ଷଣୀୟ ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ଓଡ଼ିଶାକୁ ଗୌରବାନ୍ୱିତ କରିଛି  ।  ମୁଖ୍ୟମନ୍ତ୍ରୀ ପୁଣି କହିଥିଲେଯେ, ଆମ ସରକାର ଯାହା କଥା ଦିଅନ୍ତି, ତାହା କରିକି ଦେଖାନ୍ତି  । ଆମେ ପ୍ରତିଶ୍ରୁତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ବର୍ଷକ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ ।  ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାକୁ ସୁନାରେ ପରିଣତ କରାଯିବ  । ଆପଣମାନେ ପ୍ରସ୍ତାବ ଦିଅନ୍ତୁ ମୁଁ ସମସ୍ତ ସହଯୋଗ ଦେବି  । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ସହାୟତା ବଣ୍ଟନ କରିଥିଲେ  ।   ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ କହିଥିଲେଯେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ବିକାଶର ନୂଆ ପର୍ବ ଆରମ୍ଭ ହୋଇଛି  । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ପଛୁଆ ଅଞ୍ଚଳଗୁଡ଼ିକୁ ଆଗକୁ ଆଣିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାରେ ରାଜପଥ ଓ ରେଳପଥର ବିକାଶ ପାଇଁ ସମସ୍ତ ସହଯୋଗ ପ୍ରଦାନ କରାଯାଇଛି  । ରାଜ୍ୟର ପ୍ରଗତି ଓ ବିକାଶ ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ  ।  ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, କଣ୍ଟାମାଳ ବିଧାୟକ କହ୍ନେଇ ଡାଙ୍ଗ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ  । କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ  ରଘୁନାଥ ଜଗଦଲା ସ୍ୱାଗତ ଭାଷଣ ଦେଇଥିଲେ  । ଜିଲ୍ଲାପାଳ ଅନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ  ।