ଜୋର୍ ଧରିଲା ରେଳ ସଂଯୋଗ ଦାବି

ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର/ସିଂହପୁର: ରାଜ୍ୟରେ ପର୍ଯ୍ୟଟନ ଓ ଐତିହ୍ୟ କ୍ଷେତ୍ରର ଏକ ପ୍ରମୁଖ ପେଣ୍ଠ ସ୍ଥଳ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲା । ଯାଜପୁରରେ ବୌଦ୍ଧ କିର୍ତ୍ତି ସମ୍ପର୍ଣ୍ଣ ଉଦୟଗିରି, ରତ୍ନଗିରି ସମେତ ବରୀ ଠାରେ ସହୀଦପୀଠ, ବିଞ୍ଝାରପୁର ଠାରେ ପ୍ରସିଦ୍ଧ ଶୈବ କ୍ଷେତ୍ର ସାମେଶ୍ୱର, ପୁରାଣ ପ୍ରସିଦ୍ଧ ବରୁଣେଶ୍ୱର କ୍ଷେତ୍ର, ଦରିଆ ନାହାକାଣୀ ପୀଠ, କେନ୍ଦ୍ରାପଡା ଜିଲା ଆଳି ଠାରେ ପ୍ରସିଦ୍ଧ ବରାହଜୀୟୁ, ପଟ୍ଟାମୁଣ୍ଡାଇ, ଭିତର କନିକା ଭଳି ଅନେକ ଐତିହ୍ୟ ଓ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଓ କିର୍ତ୍ତି ଆଦି ରହିଛି । ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ଐତିହ୍ୟ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଉଥିବା କୁହାଯାଉଥିବା ବେଳେ ଏହି ସ୍ଥାନ ଗୁଡିକୁ ଉପଯୁକ୍ତ ଗମନାଗମନର ବ୍ୟବସ୍ଥା ନଥିବାରୁ ଯାଜପୁର ଓ କେନ୍ଦ୍ରାପଡାରେ ଥିବା ପର୍ଯ୍ୟଟନ କ୍ଷେତ୍ର ଓ ଐତିହ୍ୟ ସମ୍ପର୍ଣ୍ଣ ସ୍ଥାନ ଗୁଡିକର ଉପଯୁକ୍ତ ବିକାଶ ହୋଇପାରୁନହିଁ । ଏହିସବୁ ସ୍ଥାନକୁ ରେଳପଥ ସଂଯୋଗ କରିବା ଦାବି ଏବେ ବରୀ, ବିଞ୍ଝାରପୁର, ଆଳି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତିବ୍ର ହେବାରେ ଲାଗିଛି । ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତ ସ୍ଥିତ ସୋନୀ ମଣ୍ଡପ ଠାରେ ହରିଦାସପୁର-ପଟ୍ଟାମୁଣ୍ଡାଇ ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ କଂଗ୍ରେସ ନେତା ପଦ୍ମାକର ଗୁରୁଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ ବରୀ, ବିଞ୍ଝାରପୁର, ଆଳି, କନିକା, ପଟ୍ଟାମୁଣ୍ଡାଇ ଆଦି ବିଭିନ୍ନ ଅଞ୍ଚଳରୁ ଶତାଧିକ ବୁଦ୍ଧିଜୀବୀ, ସମାଜସେବୀ, ସଂଗଠକ, ଲୋକପ୍ରତିନିଧି, ରାଜନେତା ପ୍ରମୁଖ ଯୋଗଦେଇ ହରିଦାସପୁର ଠାରୁ ପଟ୍ଟାମୁଣ୍ଡାଇ ଭାୟା ଉଦୟଗିରି, ରତ୍ନଗିରି, ବରୀ, ସହୀଦପୀଠ, ସାମେଶ୍ୱର, ବିଞ୍ଝାରପୁର, ବରୁଣେଶ୍ୱର ପୀଠ, ପ୍ରିତୀପୁର, ବାଳମୁକୁଳି, ମା’ବରୁଣେଇଁ ପୀଠ, ଦରିଆ ନାହାକାଣି ପୀଠ, ଗୋବିନ୍ଦପୁର, ଜରୀ, କଣ୍ଡିଆ ହାଟ, ଓଳାଭର, ରାଜକନିକା, ଆଳି ବରାହ ପୀଠ, ସିଙ୍ଗିରି ବଜାର, ପଟ୍ଟାମୁଣ୍ଡାଇ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ରେଳପଥ ସଂଯୋଗ ପାଇଁ ଦାବି କରିଥିଲେ । ସଂଗ୍ରାମ ପରିଷଦ ଆଗାମି ଦିନରେ ରେଳ ବିଭାଗର ମନ୍ତ୍ରୀ, ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଦାବି ସମ୍ପର୍କରେ ଅବଗତ କରିବା ନେଇ ନିସ୍ପତି ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁଧିର ଆଚାର୍ଯ୍ୟ, ରବିନ୍ଦ୍ର କୁମାର ପରିଡା, ଶ୍ରୀଧର ସାହୁ, ଶଶାଙ୍କ ଶେଖର ଖିଲାର, ପ୍ରକାଶ ଦାସ, ସରୋଜ ନାୟକ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ସୁଶାନ୍ତ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା, ରିଙ୍କୁ ନାୟକ, ମାଧବାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ ।