ବିଧାୟକଙ୍କ ନାମରେ ଏତଲା : ଆକ୍ରମଣ ଅଭିଯୋଗ ଆଣିଲେ ରାଜସ୍ୱ ସହାୟକ

 ଯାଜପୁର-ବରୀ : ବରୀ ବିଧାୟକ ବିଶ୍ୱରଂଜନ ମଲିକଙ୍କ ନାମରେ ବରୀ ରାମଚନ୍ଦ୍ରପୁର ଥାନାରେ ହୋଇଛି ଏତଲା । ଏତଲାକାରୀ ବରୀ ବ୍ଲକରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅମର ରଂଜନ ନାୟକ ହୋଇଥିବା ବେଳେ ପୁଲିସ ଏତଲାକୁ ଗ୍ରହଣ କରିଛି । ଏତଲାକାରୀ ଏତଲାରେ ବିଧାୟକ ବିଶ୍ୱ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ନେଇ ଦର୍ଶାଇଛନ୍ତି । ପୁଲିସ ଏହା ଉପରେ ତଦନ୍ତ କରୁଥିବା କଥା କହିଛି । ଏତଲାରେ ରାଜସ୍ୱ ନିରୀକ୍ଷକ ଦର୍ଶାଇଛନ୍ତି କି ଗତକାଲି ସେ ତାଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡ଼ି ତାଙ୍କୁ ଫୋନ କରି ତାଙ୍କ କଚ୍ୟାମ୍ବରକୁ ଡ଼ାକିଥିଲେ । ସେ ଅଧ୍ୟକ୍ଷଙ୍କ ଚ୍ୟାମ୍ବରକୁ ଗଲା ବେଳେ ସେଠାରେ ବିଧାୟକ, ଉପାଧ୍ୟକ୍ଷଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ବିଧାୟକ ତାଙ୍କୁ କାହିଁକି ଫାଇଲ କିଛି ଖୋଲାଯାଉନି, ବୋଲି ପ୍ରଶ୍ନ କରିବାରୁ ମୁଁ ଉନ୍ନୟନ ମୂଳକ କାର୍ଯ୍ୟ ବିଭାଗରେ କାର୍ଯ୍ୟ କରୁନାହିଁ । ଯାହାକୁ ନେଇ ବିଧାୟକ ରାଗିଯାଇ ହାତରେ ଧରିଥିବା କିଛି ଫାଇଲ ମୋ ମୁହଁକୁ ଫିଙ୍ଗିବା ସହ ଜାତିଗୋତ୍ର ନେଇ ଗାଳିଗୁଲଜ କରିଥିଲେ । ପାଟିଶୁଣି ବରିଷ୍ଠ ରାଜସ୍ୱ ସହାୟକ ଅଶ୍ୱିନ କୁମାର ସାହୁ ଘଟଣାସ୍ଥଳରେ ପହଁଚିବାରୁ ବିଧାୟକ ତାଙ୍କୁ କିଛି ପ୍ରଶ୍ନ କରିଥିଲେ । ସେ ଉତର ଦେଉଥିବା ସମୟରେ ବିଧାୟକ ବସିଥିବା ଚେୟାରରୁ ଉଠି ପୂନର୍ବାର ମୋତେ ଗାଳିଗୁଲଜ କରିବା ସହ ଚଟକଣି ମାରିଥିଲେ । ମୁଁ ପାଟି କରିବାରୁ ଉକ୍ତ ସ୍ଥାନରେ ଥିବା ଅନ୍ୟମାନେ ମୋତେ ବିଧା ଗୋଇଠା ମାରିଥିଲେ । ରାଜସ୍ୱ ସହାୟକଙ୍କ ଅଭିଯୋଗ ଉପରେ ବିଧାୟକ ବିଶ୍ୱଙ୍କୁ ପଚାରିବାରେ ସେ ଏହାକୁ ଖଣ୍ଡନ କରିଥିଲେ । କହିଥିଲେ କି ମୁଁ ଜଣେ ଦାୟିତ୍ୱ ସଂପର୍ଣ୍ଣ ବ୍ୟକ୍ତି । କାହାକୁ ଗାଳିଗୁଲଜ କରିବା କି ମାରଧର କରିବାକୁ ଲୋକେ ମୋତେ ନିର୍ବାଚିତ କରି ନାହାନ୍ତି । ରାଜସ୍ୱ ସହାୟକ ବ୍ଲକ ଉପାଧ୍ୟକ୍ଷ ଅର୍ଚନା ମଲିକଙ୍କୁ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ । ଏକଥା ମୁଁ ଜାଣିବା ପରେ ତାଙ୍କୁ ପଚରା ଉଚରା କରିବାରୁ ସେ ମିଛରେ ମୋ ନାମରେ ଅଭିଯୋଗ କରିଛନ୍ତି । ଉପାଧ୍ୟକ୍ଷ ଅର୍ଚନା ରାଜସ୍ୱ ସହୟକଙ୍କ ନାମରେ ଏତଲା କରିଥିବାରୁ ନିଜର ସୁରକ୍ଷା ପାଇଁ ମୋ ନାମରେ ଏତଲା କରିଥିବା କଥା ବିଧାୟକ ବିଶ୍ୱ କହିଛନ୍ତି ।