ଅସରାଏ ବର୍ଷାରେ ତିହିଡି ବଜାରରେ ପାଣି ଲହଡି ମାରୁଛି


 ତିହିଡି, : ଅସରାଏ ବର୍ଷାରେ ଭଦ୍ରକ ଜିଲ୍ଲା ତିହିଡି ବଜାରରେ ଆଣ୍ଠୁଏ ପାଣି । କେବଳ ଯେ ବର୍ଷା ପାଣି ଜମାଟ ବାନ୍ଧି ରହିଛି ତାହା ନୁହେଁ ବରଂ ଲହଡି ମାରୁଛି । ବାହାର ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେବା ସ୍ୱାଭାବିକ । ବର୍ଷା ଜଳ ନିଷ୍କାସନର ବାଟ ବନ୍ଦ ହୋଇଯାଇଛି । ରାସ୍ତା ନିର୍ମାଣ ସମୟରେ ଯେଉଁ ସ୍ଲୋପ୍ ହୋଇଥିଲା ତାହା ପର୍ଯ୍ୟାୟକ୍ରମେ ପୋତା ଯାଇଛି । ଆଉ କେତେକ ସ୍ଥାନରେ ବନ୍ଦ ମଧ୍ୟ କରାଯାଇଛି । ଉଠା ଦୋକାନୀମାନେ ମଧ୍ୟ ରାସ୍ତାକୁ ମାଡି ବସିଛନ୍ତି । ଏପରିସ୍ଥଳେ ବର୍ଷା ଜଳ ଢେଉ ଖେଳୁଛି । ଗାଡିରୁ ଉହ୍ଲାଇ ଲୋକେ ପାଶ୍ୱର୍ ଦୋକାନ, ବ୍ୟାଙ୍କ ଓ ମେଡିକାଲକୁ ଯିବାକୁ ସକ୍ଷମ ହୋଇ ପାରୁନାହାଁନ୍ତି । ପୁରୁଷ ଲୋକେ ଯେମିତି ହେଲେ ଡେଇଁଡାଇଁ ପଳେଇ ଯାଉଛନ୍ତି ହେଲେ ମହିଳାମାନେ ଲୁଗା ଟେକି ଯାଉଛନ୍ତି ଏବଂ ଯୁବତୀମାନଙ୍କ ପୋଷାକ ଅଧା ଓଦା ହୋଇଯାଉଛି । ଏହାରି ମଧ୍ୟରେ ରାସ୍ତାରେ ଗାଡିଟିଏ ଗଲେ ପାଣି ଛିଟିକାରେ ଲୋକେ ଭିଜି ଯାଉଛନ୍ତି । ଛକାପଞ୍ଝା ମଧ୍ୟରେ କେଇ ଘଣ୍ଟା ଲୋକେ ନାନାଦି ହଇରାଣ ହୋଇଛନ୍ତି । ବୁଧବାର ଦିବା ପ୍ରାୟ ୧୦.୩୦ ଘଟିକାରେ ସାମାନ୍ୟ ବର୍ଷା ହେବାପରେ ତିହିଡି ବଜାରରେ ଏପରି ଅବସ୍ଥା ଦେଖା ଦେଇଥିଲା । ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ରେ ଆଣ୍ଠୁଏ ଲେଖାଏଁ ପାଣି ଜମାଟ ବାନ୍ଧିଥିଲା । ବ୍ଲକ ହେଉ ଅଥବା ପଞ୍ଚାୟତ ପ୍ରଶାସନର ଏଥିପ୍ରତି କାହାରି ନିଘା ନାହିଁ । ବାରମ୍ବାର ଏପରି ହେଉଛି ଏବଂ ଅଭିଯୋଗ ମଧ୍ୟ ହେଉଛି ହେଲେ କହିବ କିଏ ଶୁଣିବ ବା କିଏ । ବାସୁଦେବପୁର, ଧାମନଗର ଓ ·ନ୍ଦବାଲି ତିନି ନିର୍ବାଚନ ମଣ୍ଡଳୀର ପେଣ୍ଠସ୍ଥଳି ତିହିଡି । ଏଠାକାର ନେତା ରାଜ୍ୟ ସ୍ତରରେ ମଧ୍ୟ ବେଶ ପରିଚିତ । ଏହି ବଜାରରେ ଟ୍ରାଫିକ୍ ସମସ୍ୟା ଠାରୁ ଆରମ୍ଭ କରି ଡ୍ରେଜେନ୍ ବ୍ୟବସ୍ଥା ବେହାଲ ହୋଇଥିବା ସଭିଁଙ୍କୁ ଜଣା ଥିଲେ ମଧ୍ୟ କାହାରି ଆଖିରୁ ଲୁହ ବାହାରେ ନାହିଁ । କାମଚଳା କଥା ଦେଇ ବାଆଁରେଇ ଯାଆନ୍ତି ନେତାମାନେ । ଦୀର୍ଘ ବର୍ଷ ପରେ ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥ ନିର୍ମାଣ ହୋଇଛି ଏବଂ ରାସ୍ତା ପାଶ୍ୱର୍ର୍ରେ ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ହେଲେ ଜଳ ନିଷ୍କାସନ ହୋଇ ନପାରିବାରୁ ତାକୁ ପୋତି ଦିଆଯାଇଛି । ଯାହାକୁ ନେଇ ଏପରି ସମସ୍ୟା ଦେଖା ଦେଉଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।