୧୨ ଘଣ୍ଟାରେ ଅବପାତ; ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ୱେଲ୍ ମାର୍କଡ ଲୋ- ପ୍ରେସର ବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ୪ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କିଛି ଜିଲ୍ଲାରେ ମୂଷଳଧାରାରେ ବର୍ଷା ହୋଇପାରେ। ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ବୌଦ୍ଧ ଓ ପୁରୀ। ଏହି ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏତବ୍ୟତିତ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଆଉ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କାଲି ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।