ନାରୀ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

 ଭୁବନେଶ୍ୱର: ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ସହ ନାରୀ ନ୍ୟାୟ ପାଇଁ ଏକ ଗୃହକମିଟି ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେବାପାଇଁ ଅନୁରୋଧ କରିଥିଲେ । ପ୍ରକାଶଥାଉକି ଗତ ୧ ମାସ ଧରି ରାଜ୍ୟ କଂଗ୍ରେସର ବିଧାୟକ ଦଳ ଓ ପ୍ରଦେଶ କଂଗ୍ରେସ ନାରୀ ନ୍ୟାୟ ପାଇଁ କ୍ରମାଗତ ଭାବରେ ଆନେ୍ଦାଳନ ଜାରି ରଖିଛନ୍ତି । ମହିଳାମାନଙ୍କ ସୁରକ୍ଷା ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ବିଧାନସଭାରେ କଂଗ୍ରେସ ନେତୃବୃନ୍ଦ ଗୃହ କମିଟି ଦାବି କରିଆସୁଥିବା ବେଳେ ସରକାରୀ ଦଳର ମନ୍ତ୍ରୀ ଓ ବିଧାୟକମାନେ କଂଗ୍ରେସ ବିଧାୟକମାନଙ୍କୁ ଆକ୍ରମଣ କରିବା ସହିତ ବିଧାନସଭାର ଅଧ୍ୟକ୍ଷାଙ୍କ ଉପରେ ଚାପ ପ୍ରୟୋଗ କରି କଂଗ୍ରେସ ବିଧାୟକମାନଙ୍କୁ ଗୃହର ନିଲମ୍ବନ କରାଗଲା । ଏହା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ଅଟେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର କାଡାମ, ତାରା ପ୍ରସାଦ ବାହିନୀପତି, ଶ୍ରୀକାନ୍ତ ଜେନା, ରାଜନ ଏକ୍କା, ଦାସରଥି ଗମାଙ୍ଗୋ, ଶରତ ରାଉତ, ଦେବାଶିଷ ପଟ୍ଟନାୟକ ଓ ପବିତ୍ର ସାଉଁଟାଙ୍କ ସମେତ ଅନ୍ୟ ବିଧାୟକମାନେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ରାଜ୍ୟପାଳଙ୍କୁ କହିଥିଲେ । ଗତ ଗୁରୁବାର ବିଧାନସଭା କାର୍ଯ୍ୟକ୍ରମରେ ପୁଲିସ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଅମାନୁଷିକ ଭାବରେ ଯେଉଁଭଳି ମାଡମାରି ଲହୁ ଲୁହାଣ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ପୋଲିସର ଏଭଳି ହିଂସ୍ର ଆଚରଣ ଗଣତାନ୍ତ୍ରିକ ବ୍ୟବସ୍ଥାର ସଂପୂଣ୍ଣ ପରିପନ୍ଥି ବୋଲି ସେ କହିଛନ୍ତି । ପୁଲିସ୍ର ଲାଠି ପ୍ରହାରର ସଂପୂର୍ଣ୍ଣ ଭିଡିଓକୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୁଲିସ ମହାନିଦେ୍ର୍ଦଶକଙ୍କ ଆଚରଣ ଓ ଉଚାରଣକୁ ରାଜ୍ୟବାସୀ ନାପସନ୍ଦ କରୁଛନ୍ତି । ରାଜ୍ୟରେ ୯ ମାସ ଭିତରେ ମହିଳାମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ସଂପୂର୍ଣ୍ଣ ତଥ୍ୟ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଏକ ସ୍ମାରକପାତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ରାଜ୍ୟପାଳ କଂଗ୍ରେସ ପ୍ରତିନିଧି ଦଳକୁ ଗୃହ କମିଟି ଗଠନ କରିବା ପାଇଁ  ପ୍ରତିଶ୍ରୁତି ଦେବା ସହିତ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ଖୁବଶୀଘ୍ର ନିଷ୍ପତି ନେବେ ବୋଲି କହିଛନ୍ତି । ବିଧାୟକମାନଙ୍କ ନିଲମ୍ବନ ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରିବା ସହିତ ଏହା ଉପରେ ବିଚାର କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କାଡରାକା ଆପାଲାସ୍ୱାମୀ, ସୋଫିଆ ଫିଦେ୍ର୍ଦାଶ, ପ୍ରଫୁଲ ପ୍ରଧାନ, ସସ୍ମିତା ବେହେରା, ସୁଧାଂଶୁ ଦେଓ, ରଜନୀ ମହାନ୍ତି ଉପସ୍ଥିତ ଥିଲେ ।