ସତର୍କ ରହିବା ଏବଂ ଅନ୍ୟମାନଙ୍କୁ ସତର୍କ କରାଇବା : ମନମୋହନ ସାମଲ

manmohan samal

ସତର୍କ ରହିବା ଏବଂ ଅନ୍ୟମାନଙ୍କୁ ସତର୍କ କରାଇବା : ମନମୋହନ ସାମଲ

    ବାତ୍ୟା “ଦାନା” ପାଇଁ ବିଜେପିର ସମସ୍ତ କାର୍ୟ୍ୟକ୍ରମ ବନ୍ଦ ରହିବ
    ପ୍ରଶାସନ, ସରକାର, ଅଗ୍ନିଶମ, ଏନଡିଆରଏଫ, ଏସଡିଆରଏଫ ଉଦ୍ଧାରକାରୀ ଦଳ ସହଯୋଗରେ ବାତ୍ୟାର ପୂର୍ବ ଓ ପରବର୍ତୀ ପରିସ୍ଥିତିର ମୁକାବିଲା କରିବା ପାଇଁ ପାର୍ଟିର କାର୍ୟ୍ୟକର୍ତାମାନଙ୍କୁ ପରାମର୍ଶ
    ପାର୍ଟିର ସମସ୍ତ ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧି, ରାଜ୍ୟ ପଦାଧିକାରୀ ଏବଂ କାର୍ୟ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ କାର୍ୟ୍ୟରେ ସହଯୋଗ କରିବେ
    ତଳି ଓ ତଟକୁଳ ଅଂଚଳରେ ବାସ କରୁଥିବା ଲୋକମାନଙ୍କୁ ସର୍ବପ୍ରଥମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାରେ ପ୍ରଶାସନ ଓ ସରକାରକୁ ସହଯୋଗ କରିବା ହେଉଛି ଆମ ସମସ୍ତଙ୍କ ପ୍ରାଥମିକତା
    ମିଛ ଓ ଗୁଜବରୁ ଦୁରେଇ ରହିବା ସହିତ ଅଯଥା ଆତଙ୍କିତ ଓ ଭୟଭିତ ନହେବାକୁ ଅନୁରୋଧ
    ଜାରୀ ହେଲା ରାଜ୍ୟ ହେଲ୍ପ ଲାଇନ ନମ୍ବର ୦୬୭୪-୨୩୯୩୯୮୪

ଭୁବନେଶ୍ୱର, ତା.୨୩/୧୦ : ବାତ୍ୟା ‘ଦାନା’ର ପ୍ରଭାବ ଓଡିଶା ଉପରେ ପଡିବ ବୋଲି ଆକଳନ କରାଯାଇଛି । ଆମେ ସତର୍କ ରହିବା ଏବଂ ଅନ୍ୟମାନଙ୍କୁ ସତର୍କ କରାଇବା । ଏହି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ଓ ପ୍ରସ୍ତୁତି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଶାସନ, ସରକାର, ଅଗ୍ନିଶମ, ଏନଡିଆରଏଫ, ଏସଡିଆରଏଫ ଉଦ୍ଧାରକାରୀ ଦଳ ସହଯୋଗରେ ବାତ୍ୟାର ପୂର୍ବ ଓ ପରବର୍ତୀ ପରିସ୍ଥିତିର ମୁକାବିଲା କରିବା ପାଇଁ ପାର୍ଟିର କାର୍ୟ୍ୟକର୍ତାମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପରାମର୍ଶ ଦେଇଛନ୍ତି ।
ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ବାତ୍ୟା ମୁକାବିଲା ପ୍ରସଙ୍ଗରେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ସେହିପରି ପାର୍ଟିର ସମସ୍ତ କାର୍ୟ୍ୟକର୍ତାମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି । ବାତ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ କାର୍ୟ୍ୟକୁ ପ୍ରାଧାନ୍ୟ ଦିଆଯାଇ ଏହି ସମୟରେ ପାର୍ଟିର ସମସ୍ତ ଅନ୍ୟାନ୍ୟ କାର୍ୟ୍ୟକ୍ରମ ସ୍ଥଗିତ ରଖାଯାଇଛି । ପାର୍ଟିର ସମସ୍ତ ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧି, ରାଜ୍ୟ ପଦାଧିକାରୀ ଏବଂ କାର୍ୟ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ କାର୍ୟ୍ୟରେ ସହଯୋଗ କରିବେ । ସାମାଜିକ ସଂଗଠନଗୁଡିକ ସମେତ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଏହି ବିପର୍ୟ୍ୟୟକୁ ମୁକାବିଲା କରିବା । ଉଦ୍ଧାର ଓ ରିଲିଫ କାର୍ୟ୍ୟରେ ପ୍ରଶାସନିକ କଳ ଲାଗିବ କିନ୍ତୁ ସାମାଜିକ ସଂଗଠନମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଜଣାଇଛନ୍ତି ।
ପ୍ରତ୍ୟେକଟି ଜୀବନ ଆମ ପାଇଁ ଅମୁଲ୍ୟ । ତଳି ଓ ତଟକୁଳ ଅଂଚଳରେ ବାସ କରୁଥିବା ଲୋକମାନଙ୍କୁ ସର୍ବପ୍ରଥମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାରେ ପ୍ରଶାସନ ଓ ସରକାରକୁ ସହଯୋଗ କରିବା ହେଉଛି ଆମ ସମସ୍ତଙ୍କ ପ୍ରାଥମିକତା ।  “ଦାନା” ବାତ୍ୟା ସଂପର୍କିତ ସମସ୍ୟାର ସମାଧାନ ପାଇଁ ରାଜ୍ୟ କାର୍ୟ୍ୟାଳୟ ତରଫରୁ ଏକ ୨୪ ଘଂଟିଆ ହେଲ୍ପ ଲାଇନ ନମ୍ବର ୦୬୭୪-୨୩୯୩୯୮୪ ଜାରୀ କରାଯାଇଛି । ପ୍ରଭାବିତ ଅଂଚଳବାସିନ୍ଦାମାନେ ଏହି ନମ୍ବରରେ ଯୋଗାଯୋଗ କରି ଅଭିଯୋଗ କରିପାରିବେ । ସେହିପରି ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ତରଫରୁ ବାତ୍ୟା ସଂପର୍କିତ ସମସ୍ୟା ତଥା ଅଭିଯୋଗ ପାଇଁ ସତର୍କ ଆପ୍ ଜାରୀ କରାଯାଇଛି । ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କାର୍ୟ୍ୟ ଶେଷ କରିଛନ୍ତି । ନିତ୍ୟ ବ୍ୟବହାର୍ୟ୍ୟ ଖାଦ୍ୟ ସାମଗ୍ରୀ କଳାବଜାରୀଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇଛି । ବିଜେପିର ସମସ୍ତ କାର୍ୟ୍ୟକର୍ତା ସକ୍ରିୟ ରହି ଲୋକଙ୍କ ପାଖେ ପହଁଚିବେ । ମିଛ ଓ ଗୁଜବରୁ ଦୁରେଇ ରହିବା ସହିତ ଅଯଥା ଆତଙ୍କିତ ଓ ଭୟଭିତ ନହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର, ବିରଂଚି ନାରାୟଣ ତ୍ରିପାଠୀ ଓ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।