ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଣଦେଖା: ୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

 ନୂଆପଡା : ନୂଆପଡ଼ା ଜିଲ୍ଲାରେ ଆଦିବାସୀ ହଷ୍ଟେଲରେ ଅବ୍ୟବସ୍ଥା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ସୁରକ୍ଷା ଦିଆଯାଉନଥିବାରୁ ଆଦିବାସୀ ସଂଘ ଅସନ୍ତୋଷ ପ୍ରକାଶ କରିଛି । ଏହି ଘଟଣାକୁ ନେଇ ଆସନ୍ତା ୩୦ତାରିଖ ଦିନ ନୂଆପଡ଼ା ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଏ ନେଇ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ସଭା କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଆଦିବାସୀ ସଂଘ ସଭାପତି ବାଳକୃଷ୍ଣ ଶବର, ନୂଆପଡ଼ା ଆଦିବାସ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝି, ସମ୍ପାଦକ ଭକ୍ତବନ୍ଧୁ ଧରୁଆ, କମଲେଶ ଠାକୁର, କୋମନା ବ୍ଳକ ସଭାପତି ଜ୍ଞାନେଶ୍ୱର ମାଝି, ବୋଡ଼େନ ବ୍ଲକ ସଭାପତି ଭୁବନେଶର ମାଝି, ଜୟରାମ ଶବର, ସୁଜନ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନରେ ସଂଘ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆଦିବାସୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଥିଲା । ତେଣୁ ଆସନ୍ତା ୩୦ତାରିଖ ଦିନ ଜିଲ୍ଲାପାଳ ହଟାଓ ଆଦିବାସୀ ବଞ୍ଚାଓ ନେଇ ନୂଆପଡ଼ା ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସେହିପରି କୋମନା ବ୍ଲକ ସାହାଜେଟ ସେବାଆଶ୍ରମରେ ଗତ ୧୭ତାରିଖ ଅଷ୍ଟମ ଶ୍ରେଣୀ ଛାତ୍ର ଅଶ୍ୱିନୀ ଦାସ ବନଛୋରଙ୍କ ମୃତୁ୍ୟ ଘଟିଥିଲା । ଏହାକୁ ନେଇ ମୃତ ଛାତ୍ରଙ୍କ ମା’ବାପା ହତ୍ୟା ଅଭିଯୋଗ ଆଣିଛନ୍ତି । ଏ ନେଇ ଜିଲ୍ଲାପ୍ରଶାସନ ପ୍ରଧାନଶିକ୍ଷକ ହରଦେବ ହଂସ, ସହାୟକ ଶିକ୍ଷକ ଜଗଦୀଶ ନାଗ ଓ ମେଟ୍ରାନଙ୍କୁ ନିଲମ୍ବିତ କରିଛି । ବିଦ୍ୟାଳୟ ଇନଚାର୍ଜ ଶିକ୍ଷକ ଲୋଚନ ଶବରଙ୍କ ଅନ୍ୟତ୍ର ବଦଳି କରାଯାଇଛି । ହେଲେ ଜିଲ୍ଲା ପ୍ରଶାସନ ସେମାନଙ୍କ ଦୋଷ ଲୁଚାଇବା ପାଇଁ ଛୋଟ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି । ହଷ୍ଟେଲରେ ଅଣଆଦିବାସୀ ଛାତ୍ର କେମିତି ଆସିଲା କିଏ ଆଣିଲା ଏବଂ ଆଶ୍ରମ ନିକଟରେ ଏଭଳି ଘଟଣା କାହିଁକି ଘଟିଲା  ଏହାର ସତ୍ୟାସତ୍ୟ ସର୍ବସମ୍ମୁଖକୁ ଆସିବା ଆବଶ୍ୟକ ବୋଲି ପ୍ରଶ୍ନ ଉଠାଇଛନ୍ତି । ଘଟଣାରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମ୍ପୂର୍ଣ୍ଣ ଅବହେଳା ଯୋଗୁଁ ଛାତ୍ରଙ୍କ  ମୃତୁ୍ୟ ଘଟିଥିବା ସଂଘ ଅଭିଯୋଗ କରିଛି  । ସେଥିପାଇଁ  ଜିଲ୍ଲାପାଳ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସଂଘ କହିଛି । ସେହିପରି ଜିଲ୍ଲାର ଆଦିବାସୀ ଆଶ୍ରମ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି, ପୋଷାକ ନାହିଁ, ହଷ୍ଟେଲରେ ବେଡ଼ ଅଭାବ ରହିଛି । ଘଟଣା ପରେ ଛାତ୍ରଛାତ୍ରୀ ସ୍କୁଲ ଛାଡି ପଳାଉଛନ୍ତି । ହେଲେ ଏ ଦିଗରେ ପ୍ରଶାସନ ଚୁପ୍ ରହିବାର କାରଣ କଣ ବୋଲି ସଂଘ ପ୍ରଶ୍ନ କରିଛି । ତେଣୁ ଆସନ୍ତା ୩୦ ତାରିଖ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ନେତା ଆସିବେ ଓ ଆନେ୍ଦାଳନରେ ସାମିଲ ହେବେ ବୋଲି ସଂଘର ସଭାପତି ଶ୍ରୀ ମାଝି କହିଛନ୍ତି ।