ବର୍ଷାରେ ବେହାଲ କେନ୍ଦୁଝର

ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କେନ୍ଦୁଝରରେ ମଧ୍ୟ ଲଗାଣ ବର୍ଷା ଜାରୀ ରହିଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ପ୍ରବଳ ବର୍ଷା ପାଇଁ କେନ୍ଦୁଝର ସହରର ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବର୍ଷା ଜଳ ନିଷ୍କାସନ ନହେବା କାରଣରୁ ସମଗ୍ର କେନ୍ଦୁଝର ସହର ଏକ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ପ୍ରତୀୟମାନ ହୋଇଛି । ସହରର ପ୍ରମୁଖ ତଥା ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାବେଳେ ସାଧାରଣ ଲୋକଙ୍କର ଦୁର୍ଦ୍ଦଶା ବଢିବାରେ ଲାଗିଛି । ଅନେକ ୱାର୍ଡରେ ବର୍ଷା ଓ ନର୍ଦ୍ଦମା ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ବହୁ ଲୋକ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି । କେନ୍ଦୁଝର ସହରର ପାର୍କଲାଇନ, ମଣ୍ଡୁଆ, ମାଗୁରଗାଡିଆ, ଗାୟତ୍ରୀ ମନ୍ଦିର ନିକଟ, ବୁଲାଦୁଆର ସାହି, ସ୍ପଞ୍ଜ କଲୋନୀ, ଭାଲୁକିପତଳା ଶ୍ରୀ ବିହାର ଲେନ-୧,ବଳଦେବଜୀଉ କଲୋନୀ,ବାନାର୍ଜୀ କଲୋନୀ, ବଳଦେବଜୀଉ କଲୋନୀ, ଡିଏଭି ସ୍କୁଲ ଲେନ ୧,୨,୩, ଗାୟତ୍ରୀ ମନ୍ଦିର କଲୋନୀ, ବ୍ୟାଙ୍କ କଲୋନୀ,ଏଲ୍ଆଇସି କଲୋନୀ, ଜଗନ୍ନାଥପୁର, ଫରେଷ୍ଟ କଲୋନୀ, ବଡହଳ, ଆୟକର ଅଫିସ, ଆଟୋପୁର, ଗ୍ରାମଶ୍ରୀ କଲୋନୀ,ମଦନ ମୋହନ କର ଲେନ ଏବଂ କାଶିପୁରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବା ଖବର ମିଳିଛି । ଏଥିସହ ସହରର ଅନେକ ସ୍ଥାନରେ ମଧ୍ୟ ପାଣି ପଶି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ବଳଦେବଜୀଉ କଲୋନୀର ୨ ନମ୍ବର ଲେନର କଳାକାର ଦାସ,୪ନମ୍ବର ଲେନର ବାଂଛାନିଧି ଖଣ୍ଡା,ସ୍ନେହଲତା ମହାନ୍ତି,ଗିତାରାଣୀ ମହାନ୍ତି,ବିଶ୍ୱରଞ୍ଜନ ରାଉତ ଏବଂ ୯ ନମ୍ବର ଲେନର ଡମ୍ବରୁଧର ମହାନ୍ତ,ହେମଲତା ସାହୁ,ସୁବ୍ରତ ମହାନ୍ତି(ବାବୁ), ଅପରାଜିତା ମିଶ୍ର, ଅନିମା ମହାନ୍ତଙ୍କ ଘରେ ବର୍ଷା ଜଳ ପଶି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ସେହିପରି ଲେନ ୮ ଏବଂ ୧୨ ରେ ଅନେକ ଘର ଜଳମଗ୍ନ ହୋଇଛି । ଘର ସମ୍ମୁଖରେ ପାଣି ଜମି ରହିଥିବାରୁ ଘରୁ ବାହାରିବାକୁ ଲୋକମାନେ ଅସୁବିଧାରେ ପଡୁଛନ୍ତି । କେନ୍ଦୁଝରରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ସହ ପ୍ରାକୃତିକ ଉପାୟରେ ଯାଉଥିବା ପାହାଡ ପାଣିକୁ ଗୃହ ନିର୍ମାଣ କରି ଅବରୋଧ କରିବା କାରଣରୁ  ରାସ୍ତା ସମେତ ଅନ୍ୟାନ୍ୟ ଅଞ୍ଚଳରେ ପାଣି ଜମି ରହିଥିବା ଦେଖାଯାଇଛି । ରାସ୍ତାରେ ପାଣି ଜମିବା ଏବଂ ଘରେ ପାଣି ପଶିଯିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସହରର ବିଭିନ୍ନ ଅଞ୍ଚଳର ପାଣି କିପରି ସଠିକ ଭାବେ ନିଷ୍କାସନ କରାଯାଇ ପାରିବ ତାହାର ଏକ ଡିପିଆର ପ୍ରସ୍ତୁତ କରାଯାଇ ଏକ ମାଷ୍ଟରପ୍ଲାନ କରାଯାଇ ଡ୍ରେନ କାର୍ଯ୍ୟ ଆରମ୍ଭ ନ କଲେ ଏହି ଅବସ୍ଥା ପୂର୍ବବତ ଲାଗି ରହିବ ବୋଲି ପୁରୁଖା ନାଗରିକମାନେ ଅଭିଯୋଗ କରିଛନ୍ତି । ପୌରପାଳିକା ପକ୍ଷରୁ ଏହାର ସ୍ଥାୟୀ ସମାଧାନ ନକଲେ ପୁଣି ଏଭଳି ପରିସ୍ଥିତି ସୃଷ୍ଟି ହେବ ।