ଏସବୁ ଜିଲାକୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା : ସତର୍କ ସୂଚନା ଜାରି
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି। ଗୁରୁବାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ ଏବଂ ଭଦ୍ରକ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷା ନେଇ ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି। ବଜ୍ରପାତ ପାଇଁ ସତର୍କ ରହିବାକୁ କଟକ, ଜଗତ୍ସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅଗଷ୍ଟ ୧ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ସତର୍କ କରାଯାଇଛି। ସୂଚନା ଥାଉକି, ବୁଧବାର ଭଦ୍ରକରେ ସର୍ବାଧିକ ୪୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଯାଜପୁରରେ ୨୫ ମିମି. ଚାନ୍ଦବାଲିରେ ୨୪.୪ ମିମି, କେନ୍ଦୁଝରରେ ୮.୮ ମିମି, ବାରିପଦାରେ ୫.୮ ମିମି, କେନ୍ଦ୍ରାପଡ଼ାରେ ୬ ମିମି ଏବଂ ବାଲେଶ୍ୱରରେ ୩ ମିମି ବର୍ଷା ହୋଇଛି।