ମେଘାଳୟରେ ଓଡ଼ିଆ ଯବାନ ଶହୀଦ

ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ବିଏସ୍‌ଏଫ୍‌ ଯବାନ ଖଗେନ୍ଦ୍ର ମହାପାତ୍ର (୩୬)ଙ୍କ ମେଘାଳୟରେ ଶହୀଦ ହୋଇଥିବା ଦୁଃଖଦ ଖବର ବୁଧବାର ଆସି ପହଞ୍ଚିଛି। ଏହା ପରେ ଗାଁରେ କାନ୍ଦବୋବାଳି ପଡିଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ସ୍ବର୍ଗତ ଖଗେନ୍ଦ୍ର ବିଏସ୍‌ଏଫ୍‌ ଯବାନ ଭାବେ ମଣିପୁର ଏବଂ ମେଘାଳୟ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳେ ପଡ଼ିଆରେ ଘାସ ସଫା କରୁଥିବା ବେଳେ ହଠାତ୍‌ ସେଠାରେ କୌଣସି କାରଣ ବଶତଃ ବିଦ୍ୟୁତ ଆଘାତର ସମ୍ମୁଖୀନ ହୋଇଥିଲେ। ତେବେ ସେଠାକାର ଏକ ଡାକ୍ତରଖାନାରେ ଡାକ୍ତର ଖଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେl ଏ ନେଇ ଗୋଡ଼ଭଗାରେ ଥିବା ଯବାନଙ୍କ ପରିବାରବର୍ଗଙ୍କୁ ଫୋନ୍‌ ମଧ୍ୟରେ ଜଣାଇ ଦିଆଯାଇଛି। ଏହି ଖବର ପାଇବା ପରେ ପରିବାର ଲୋକ ଭାଙ୍ଗି ପଡୁଛନ୍ତି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ, ଶହୀଦ ଯବାନ ଖଗେନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ସେଠାରେ ଶେଷ ହୋଇଛି। ତାଙ୍କ ପାର୍ଥିବ ଶରୀର ଜନ୍ମସ୍ଥାନ ଗୋଡ଼ଭଗା ଅଣାଯିବାର ବ୍ୟବସ୍ଥା କରାଯାଉଛି। ତାଙ୍କ ପାର୍ଥିବ ଶରୀର ଏଠାକୁ ପହଞ୍ଚିଲା ପରେ ଆସନ୍ତାକାଲି ଗୁରୁବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୃତଦେହ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଗୋଡ଼ଭଗା ଗ୍ରାମର ଫକୀର ମହାପାତ୍ରଙ୍କ ପୁଅ ସ୍ବର୍ଗତ ଯବାନ ଖଗେନ୍ଦ୍ର ତାଙ୍କ ପଛରେ ବିଧବା ସ୍ତ୍ରୀ ନୀଳମ ଓ ୪ ବର୍ଷର ପୁଅ ରୋନାଲଙ୍କୁ ଛାଡ଼ି ଯାଇଛନ୍ତି। ମଝିରେ ମଝିରେ ପୁଅ ବାପା କୁଆଡ଼େ ଗଲେ ବୋଲି ତା’ ମାଙ୍କୁ ପଚାରୁଛି। ଏହି ଦୃଶ୍ୟ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ଗ୍ରାମବାସୀ କହିଛନ୍ତି। ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।