ରାମ ନବମୀ, ଶୁଭ ମୁହୂର୍ତ୍ତରେ ପୂଜାର୍ଚ୍ଚନା କଲେ ହେବ ସୌଭାଗ୍ୟ ପ୍ରାପ୍ତି
ଚୈତ୍ର ମାସର ଶୁକ୍ଳ ପକ୍ଷ ନମବୀ ତିଥିରେ ଭଗବାନ ବିଷ୍ଣୁଙ୍କ ୭ମ ଅବତାର ଭାବେ ଶ୍ରୀ ରାମ ଧରାବତରଣ କରିଥିଲେ । ଏହି ଶୁଭ ଅବସରରେ ଶ୍ରୀ ରାମଙ୍କ ବିଶେଷ ପୂଜାର୍ଚ୍ଚନା କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତ ହେବା ସହ ପ୍ରଭୁଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ରାମ ନବମୀ ଦିନ ଘର ସଫା ସୁତୁରା କରି ଘରକୁ ଫୁଲ ଏବଂ ଆମ୍ବ ପତ୍ରରେ ସଜାନ୍ତୁ । ଏହା ବ୍ୟତୀତ ମନ୍ଦିର ସହ ଘରର ମୁଖ୍ୟ ଦ୍ୱାରରେ ରଂଗୋଲି କରନ୍ତୁ ।
ଶ୍ରୀ ରାମଙ୍କ ପିତ୍ତଳ ମୂର୍ତ୍ତି ଥିଲେ ଗଙ୍ଗାଜଳ, କ୍ଷୀର, ଦହି, ଘିଅ, ମହୁ ଏବଂ ଚିନିରେ ଅଭିଷେକ କରନ୍ତୁ । ପରେ ଜଳରେ ସ୍ନାନ କରାନ୍ତୁ । ଶ୍ରୀ ରାମଙ୍କ ଫଟୋ ଥିଲେ ଏହି ସବୁ ଜିନିଷ କେବଳ ଅର୍ପଣ କରିପାରିବେ ।
ଏହା ପରେ ହଳଦୀ, କୁମ୍କୁମ୍, ଚନ୍ଦନ, ଅକ୍ଷତ ଏବଂ ଫୁଲ ଅର୍ପଣ କରନ୍ତୁ । ଅନ୍ୟ ସମସ୍ତ ଦେବାଦେବୀଙ୍କ ପାଇଁ ସମାନ ପ୍ରକ୍ରିୟା ରହିବ ।
ଶ୍ରୀ ରାମଙ୍କ ଜନ୍ମ କଥା ପଢ଼ିବା କିମ୍ବା ଶ୍ରବଣ କରିବା ଉଚିତ । ଏହା ସହ ଘରେ ସୁନ୍ଦରକାଣ୍ଡ କିମ୍ବା ରାମାୟଣ ପାଠ କରିବା ଶୁଭ ହୋଇଥାଏ । ଶ୍ରୀ ରାମଙ୍କ ଜନ୍ମ କଥା ଶୁଣିବା ସମୟରେ ନିଜ ହାତରେ ବାଜରା, ଗହମ କିମ୍ବା ଅନ୍ୟ ଅନ୍ନର ଦାନା ରଖନ୍ତୁ । ଶ୍ରୀ ରାମ କଥା ଶେଷ ହେବା ପରେ ହାତରେ ଥିବା ଦାନାକୁ ଅନ୍ୟ ଅନ୍ନ ସହ ମିଶାଇ ଅଭାବୀ ଲୋକଙ୍କୁ ଦାନ କରନ୍ତୁ । ଏହା ପରେ ଶୁଭ ମୁହୂର୍ତ୍ତରେ ଶଙ୍ଖ ବଜାଇ ଘିଅ ଦୀପ ଜାଳିବା ସହ ଖିରୀ ଏବଂ ଅନ୍ୟାନ୍ୟ ମିଷ୍ଠାନ ଭୋଗ ଲଗାନ୍ତୁ । ଶେଷରେ ପ୍ରଭୁଙ୍କ ଆଳତୀ କରନ୍ତୁ ।ଏହା ବ୍ୟତୀତ ଏହି ଦିନ ରାମ ନାମର ଜପ, ହନୁମାନ ଚାଳିଶା ୧୦୮ ଥର ପାଠ କରିବା ଦ୍ୱାରା ଜୀବନରୁ ସମସ୍ତ ସଂକଟ ଦୂରେଇଥାଏ ।