୫ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର

୫ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର

ବିବାହ ଉତ୍ସବରୁ ଫେରୁଥିବାବେଳେ ୫ଜଣ ଆଦିବାସୀ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ଝାଡ଼ଖଣ୍ଡର ଖୁଣ୍ଟି ଜିଲା ରାଣିଆ ପୋଲିସ ଥାନା ଅଞ୍ଚଳରେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରି ସୋମବାର ୧୮ଜଣ ନାବାଳକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ଆଦିବାସୀ ନାବାଳିକାମାନେ ବିବାହ ଉତ୍ସବରୁ ଫେରୁଥିବାବେଳେ ବାଟରେ ସେମାନଙ୍କୁ କେତେଜଣ ନାବାଳକ ଅଟକାଇ ଗଣବଳାତ୍କାର କରିଥିଲେ। ଏପରି କି ଏହି ଘଟଣା ବିଷୟରେ କାହାକୁ ଜଣାଇଲେ ସେମାନଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୀଡ଼ିତା ନାବାଳିକାମାନେ ଘରକୁ ଫେରିବା ପରେ ଶନିବାର ସେମାନଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପୀଡ଼ିତାଙ୍କ ପରିବାର ପକ୍ଷରୁ ଏନେଇ ରାଣିଆ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ଏଏସ୍‌ପି ଖ୍ରୀଷ୍ଟୋଫର କେର୍‌କେଟାଙ୍କ ନେତୃତ୍ୱରେ ଏକ ଏସ୍‌ଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛି। ଏସ୍‌ପି ଅମନ କୁମାରଙ୍କ କହିବା ହେଲା, ୫ଜଣ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ଏବଂ ଗଣବଳାତ୍କାର ଘଟଣା ଘଟିଛି। ଅଭିଯୋଗକୁ ଆଧାର କରି ମାମଲା ରୁଜୁ ହେବା ସହ ୧୮ଜଣ ନାବାଳକଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। ସୂଚନାଯୋଗ୍ୟ, ଗତ ୩ବର୍ଷ ମଧ୍ୟରେ ଖୁଣ୍ଟି ଜିଲାରେ ୧୬ଟି ଗଣବଳାତ୍କାର ଘଟଣା ଘଟିଛି। ୨୦୨୩ରେ କେବଳ ୫ ଗଣବଳାତ୍କାର ଘଟଣା ଘଟିଥିବାବେଳେ ୨୦୨୪ରେ ୩ ଏବଂ ୨୦୨୫ରେ ୫ ଘଟଣା ଘଟିଥଲା। ଖୁଣ୍ଟି ପୋଲିସ ଏହିସବୁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନାବାଳକ ଥିବା ଜଣାପଡ଼ିଛି। ୨୦୨୪ ସେପ୍ଟେମ୍ବରରେ ଜଣେ ଆଦିବାସୀ ନାବାଳିକା ସ୍କୁଲରୁ ଫେରୁଥିବାବେଳେ ତାଙ୍କୁ ୧୦ଜଣ ଯୁବକ ଗଣବଳାତ୍କାର କରିଥିଲେ। ସେହିପରି ଗତ ବର୍ଷ ମାର୍ଚ୍ଚରେ ରାଞ୍ଚତ୍ରେ ଜଣେ ନାବାଳିକାଙ୍କୁ ୪ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।