ଅଶ୍ୱିନୀଙ୍କଠୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କଲେ ମୋଦି
ନୂଆଦିଲ୍ଲୀ : ଭାରତର ସେମିକଣ୍ଡକ୍ଟର ଯାତ୍ରା ଆଜି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କରିଛନ୍ତି । ୨୦୨୧ ଡିସେମ୍ବରରେ ଆରମ୍ଭ ହୋଇଥିବା ସେମିକଣ୍ଡକ୍ଟର ମିଶନ ମାତ୍ର ସାଢେ ତିନି ବର୍ଷ ମଧ୍ୟରେ ଅନୁମୋଦନ ଠାରୁ ଉତ୍ପାଦନ ପର୍ଯ୍ୟନ୍ତ ପହଞ୍ଚି ପାରିଛି । ଏହା ଦେଶ ପାଇଁ ଗୌରବର ବିଷୟ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଏଥିସହିତ ଦୂରଦୃଷ୍ଟି, ଦୃୃଢ ଇଚ୍ଛାଶକ୍ତି ଓ ନିର୍ଣ୍ଣାୟକ ପଦକ୍ଷେପ ଲାଗି ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ୭.୮% ଜିଡିପି ବିକାଶ ହାର ଠାରୁ ଆରମ୍ଭ କରି ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ସହିତ ବୃଦ୍ଧି ପାଉଥିବା ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ ବଳରେ ଭାରତ ସ୍ଥିରତାର ଏକ ଆଲୋକବର୍ତ୍ତିକା ପାଲଟିଛି ।
କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରି କହିଛନ୍ତି, ଭାରତର ସେମିକଣ୍ଡକ୍ଟର ମିଶନ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସମ୍ମାନ ଦେବା, ଯୋଗାଣ ଶୃଙ୍ଖଳା ବିକାଶକୁ ସମର୍ଥନ କରିବା ଏବଂ ବିଶ୍ୱ ଅଂଶୀଦାରମାନଙ୍କ ସହିତ ସହ-ବିକାଶ ମଡେଲଗୁଡ଼ିକୁ ପ୍ରୋସôାହିତ କରିବାର ବିଶ୍ୱାସ ଉପରେ ଆଧାରିତ । ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ୧୨ଟି ବୁଝାମଣାପତ୍ର (ଏମଓୟୁ) ଘୋଷଣା କରାଯାଇଛି । ଅଭିନବ ଉଦ୍ଭାବନକୁ ଆହୁରି ସୁଦୃଢ଼ କରିବା ପାଇଁ, ଶ୍ରୀ ବୈଷ୍ଣବ ଡିପ୍ ଟେକ୍ ମେଣ୍ଟ ଗଠନ ବିଷୟରେ ଘୋଷଣା କରିଛନ୍ତି । ଏଥିରେ ପ୍ରାୟ ଏକ ବିଲିୟନ ଡଲାର ପୁଞ୍ଜିନିବେଶ ହେବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହା ଉଦୀୟମାନ ଡିପ୍ ଟେକ୍ ଶିଳ୍ପ ପାଇଁ ଅତ୍ୟନ୍ତ ଆବଶ୍ୟକ ଭେଞ୍ଚର ପୁଞ୍ଜି ସହାୟତା ପ୍ରଦାନ କରିବ । ଭାରତୀୟ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ୧.୦ର ସଫଳତାକୁ ଆଧାର କରି ସରକାର ଆଇଏସଏମ ୨.୦ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଏହା ସମଗ୍ର ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାକୁ ସାମିଲ କରିବା ପାଇଁ ଫ୍ୟାବ୍ସ, ଓଏସଏଟି ୟୁନିଟ୍, ପୁଞ୍ଜି ଉପକରଣ ଓ ସାମଗ୍ରୀ ପାଇଁ ସମର୍ଥନକୁ ବ୍ୟାପକ କରିବ । ଦଶଟି ଅନୁମୋଦିତ ସେମିକଣ୍ଡକ୍ଟର ପ୍ରକଳ୍ପରେ ରପ୍ତାନୀ ଏକ ଅବିଚ୍ଛେଦ୍ୟ ଅଂଶବିଶେଷ ହେବ । ଭାରତରେ ନିର୍ମିତ ଚିପ୍ସ ଘରୋଇ ଏବଂ ବିଶ୍ୱ ବଜାର ଉଭୟକୁ ସେବା ଯୋଗାଇବ । ସେ କହିଛନ୍ତି, ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ବିଶ୍ୱସ୍ତରରେ ୧୫ରୁ ୩୦% ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇପାରିଥିବା ନିରପେକ୍ଷ ଅଧ୍ୟୟନରୁ ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସେମିକଣ୍ଡକ୍ଟର ପ୍ରୟୋଗଶାଳା (ଏସସିଏଲ)ରେ ଡିଜାଇନ ହୋଇଥିବା ୨୦ଟି ଚିପ୍ସ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ହସ୍ତାନ୍ତର କରିଥିଲେ । ଶ୍ରୀ ବୈଷ୍ଣବ ସୂଚନା ଦେଇଥିଲେ ଯେ ଦେଶର ୭୮ଟି ବିଶ୍ୱବିଦ୍ୟାଳୟ ଉନ୍ନତ ଇଡିଏ ଉପକରଣ ବ୍ୟବହାର କରିବା ସହିତ ଭାରତ ଏକ ଗଭୀର ପ୍ରତିଭା ପୁଲ ସୃଷ୍ଟି କରୁଛି । ଏହା ବିଶ୍ୱ କାର୍ଯ୍ୟଶକ୍ତିର ପ୍ରାୟ ୨୦% ହେବ ।