ଇ-ଶ୍ରମ କାର୍ଡଧାରୀଙ୍କୁ ରାସନକାର୍ଡ ପ୍ରଦାନରେ ଅନିୟମିତତା

 ଆସିକା:  ଆସିକା ପଂଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନାମ ଲେଖା ଥିବା ଇ ଶ୍ରମ କାର୍ଡଧାରୀଙ୍କୁ ରାସନ କାର୍ଡ ପ୍ରଦାନରେ ପାତର ଅନ୍ତର ହୋଇଥିବା ଅଭିଯୋଗ ହେଉଛି । କେନ୍ଦ୍ରରେ ଏନଡିଏ ସରକାର ତୃତୀୟଥର ଦାୟିତ୍ୱ ନେବା ପରେ ଇ ଶ୍ରମ ଯୋଜନାରେ ନାମ ପଞ୍ଜିକୃତ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ସାମିଲ ପାଇଁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ସେହି କ୍ରମରେ ଆସିକା ଏନଏସି ର ୧୮  ଗୋଟି ୱାର୍ଡ ଏବଂ ପଂଚାୟତ ସମିତି ଅଧୀନରେ ଥିବା ୨୭ ଗୋଟି ପଂଚାୟତରେ ଇଶ୍ରମ କାର୍ଡ ହିତାଧିକାରୀଙ୍କ ଏକ ତାଲିକା ବ୍ଲକର ମାର୍କେଟିଙ୍ଗ ଇନ୍ସପେଟର ତଥା ଯୋଗାଣ ଅଧିକାରୀ ଏନଏସିକୁ ପ୍ରଦାନ କରି ସେଥିରୁ ଯୋଗ୍ୟ ହିତାଧିକାରୀଙ୍କ ନାମ ଚିହ୍ନଟ କରି ଦେବାକୁ ଚିଠି ଲେଖିଦେଲେ । କିନ୍ତୁ ଯୋଗାଣ ଅଧିକାରୀ ଦେଇଥିବା ତାଲିକାରେ ଏନଏସିର ୧୮ ଗୋଟି ୱାର୍ଡର ପଞ୍ଜିକୃତ ଇ ଶ୍ରମ କାର୍ଡ ହିତାଧିକାରୀଙ୍କ ନାମ ପରିବର୍ତ୍ତେ ପଂଚାୟତ ସମିତିର ଚଢେୟାପଲ୍ଲୀ, ନିମିନା, ଖରିଆ,ଗ୍ରାମ ପଂଚାୟତର ଅନେକ ଗ୍ରାମର ହିତାଧିକାରୀଙ୍କ ନାମ ତାଲିକାରେ ଆସିଛି । ଯୋଗାଣ ଅଧିକାରୀ ବ୍ଲକ ଓ ଏନଏସିର ତାଲିକା ଅଲଗା ଅଲଗା କରିଛନ୍ତି ନା ମୋଟାମୋଟୀ ଭାବେ ସବୁ ତାଲିକା ପ୍ରଦାନ କରୁଛନ୍ତି । ଯାହାଫଳରେ ବହୁ ଯୋଗ୍ୟ ହିତାଧିକାରୀ ଏନଏସିକୁ ଆସିଥିବା ତାଲିକାରେ ନାମ ନଥିବାରୁ ସେମାନେ କୁଆଡେ ରାସନ କାର୍ଡ ତାଲିକାରୁ ବାଦ ପଡିଛନ୍ତି । ଏହି ବିଷୟରେ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ବାଦ ପଡ଼ିଥିବା ହିତାଧିକାରୀମାନେ ପୁଣି ଆବେଦନ କଲା ପରେ ଏକ ତାଲିକା ଉପରସ୍ଥ ଅଧିକାରୀଙ୍କୁ ପ୍ରେରଣ କରିବୁ କହି ହାଲକା ଭାବେ ଉତ୍ତର ଦେଇ ଲୋକଙ୍କୁ ବୁଝାଇ କାର୍ଯ୍ୟାଳୟରୁ ବିଦାୟ କରୁଛନ୍ତି  । ଏହି ଚୟନ ନିମନ୍ତେ କୌଣସି ଘର ଘର ସର୍ଭେ କରିବା, ୱାର୍ଡ ସଭାରେ ହିତାଧିକାରୀ ଚୟନ ହେବା କିମ୍ବା ଏହାର ତାଲିକା ବିଷୟରେ କାଉନସିଲରେ ଅନୁମୋଦନ ହୋଇ ନଥିବା କୁହାଯାଇଛି । ଜିଲ୍ଲାପାଳ ଏଥି ପ୍ରତି ତୁରନ୍ତ ଧ୍ୟାନ ଦେଇ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ ଦେବା ସହ ଭୁଲ କରିଥିବା ଅଧିକାରୀ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।