ଭିନ୍ନକ୍ଷମ ପରିଚୟ ପତ୍ର ନଥିବାରୁ ଉପଭୋକ୍ତା ହଟହଟା : ଅଧ୍ୟକ୍ଷାଙ୍କ ସହାୟତାରୁ ମିଳିଲା ଟ୍ରାଇସାଇକେଲ୍ 

ବୈଶିଙ୍ଗା: ବୈଶିଙ୍ଗା ଥାନା ତଥା ଗଡଦେଉଳିଆ ପଞ୍ଚାୟତ ଅନ୍ତର୍ଗତ ମହୁଲିଆ ଗ୍ରାମର ରବି ଦଳେଇଙ୍କୁ ବହୁ ବାଦାନୁବାଦ ପରେ ଶୁକ୍ରବାର ମିଳିଛି ଏକ ଟ୍ରାଇ ସାଇକେଲ ।
 ସୂଚନା ମୁତାବକ ହରିପଦ ଦଳେଇଙ୍କ ପୁଅ ୬୫ ବର୍ଷିୟ ରବି ଚାରି ଚାରିଟି ପୁଅଙ୍କର ବାପା ହୋଇଥିଲେ ହେଁ ସେ ଭିନ୍ନକ୍ଷମ ହୋଇଥିବା ଯୋଗୁଁ ପୁଅମାନେ ଅଲଗା ହୋଇଯିବା ପରେ ଏବଂ ତାଙ୍କ ପନôୀ ମୃତୁ୍ୟ ବରଣ କରିବା ପରେ ସେ ସମ୍ପୂର୍ଣ୍ଣ ଭାବେ ଏତେ ବଡ଼ ଦୁନିଆରେ ଏକା ହୋଇଯାଇଥିଲେ । ତାଙ୍କ ଡାହାଣ ପାଖର ହାତ ଓ ଗୋଡ଼ ପକ୍ଷାଘାତ ଗ୍ରସ୍ତ । ବାଧ୍ୟ ହୋଇ ସେ ଭିକ୍ଷାବୃତ୍ତିକୁ ଆପଣେଇ ନେଇଥିଲେ । ଏଭଳି ଏକ ସମୟରେ ବୈଶିଙ୍ଗା ମିଡ଼ିଆ ସେଣ୍ଟର କର୍ମକର୍ତ୍ତା ରତନ ଦାଶଙ୍କ ନଜର ପଡ଼ିଥିଲା ରବିଙ୍କ ଉପରେ । ପଞ୍ଚାୟତ କର୍ତ୍ତୃପକ୍ଷ ଓ ବେତନଟୀ ବ୍ଲକ ପ୍ରଶାସନକୁ ତାଙ୍କ ଅସହାୟତା ବାବଦରେ ଜଣାଇଥିଲେ ହେଁ ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଆଦି ଆବଶ୍ୟକୀୟ କାଗଜପତ୍ର ନଥିବା ଯୋଗୁଁ ସରକାରଙ୍କ ଦ୍ୱାର ତାଙ୍କ ପାଇଁ ବନ୍ଦ ଥିଲା । ତାଙ୍କୁ ଭିନ୍ନକ୍ଷମ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା କିମ୍ବା ରାସନ୍ କାର୍ଡ ଭଳି କୌଣସି ସହାୟତା ମିଳିପାରିନଥିଲା । ପ୍ରାୟ ୧୫ ବର୍ଷ ତଳେ ଏକ ବେସରକାରୀ ସଂସ୍ଥା ପକ୍ଷରୁ ଆୟୋଜିତ ଭିନ୍ନକ୍ଷମ ସହାୟତା ଶିବିରରେ ତାଙ୍କୁ ଏକ ଦୁଇ ଚକିଆ ସାଇକେଲ ମିଳିଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଭାଙ୍ଗିରୁଜି ଗଲାଣି । ତେବେ ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝିଙ୍କୁ ରବିଙ୍କ ଏଭଳି ଦୂରାବସ୍ଥା ସମ୍ପର୍କରେ ଜଣାଇବାରୁ ସେ ସହାୟତାରେ ହାତ ବଢ଼ାଇଥିଲେ । ଏବଂ ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଟ୍ରାଇ ସାଇକେଲ ରବିଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ବ୍ଲକ ସୋସିଆଲ ସର୍ଭିସ୍ ଅଫିସର ରୁଦ୍ରନାରାୟଣ ସିଂହ, ଗଡଦେଉଳିଆ ସରପଞ୍ଚ ବବିତା ସିଂ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ର ଜ୍ୟୋତି ଦାସ, ବୈଶିଙ୍ଗା ସମିତି ସଭ୍ୟା ସବିତା ଦାସ, ସାମାଜିକ କର୍ମୀ ଅନିଲ କୁମାର ସିଂହ, ରାମଚନ୍ଦ୍ର ସିଂ, ଚିନ୍ମୟ ପଣ୍ଡା, ମିଥୁନ ସିଂ, ଶୁଭସ୍ମିତା ସିଂ ଓ ସର୍ବେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।