ମୃତକ ପାଉଥିଲେ ରାସନ୍ : ବାଦ୍ ପଡ଼ିଲେ ୩.୨୯ ଲକ୍ଷ, ୧୬୧୮୪ ଅଯୋଗ୍ୟ କାର୍ଡ଼ କଟିଲା
ଭୁବନେଶ୍ୱର: ଅଯୋଗ୍ୟ ଓ ମୃତକଙ୍କୁ ମିଳୁଥିଲା ରାସନ୍ । ଇ-କେୱାଇସି ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟର ପ୍ରାୟ ୩ ଲକ୍ଷ ୨୯ ହଜାର ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ଼ରୁ ବାଦ୍ ଦିଆଯାଇଛି । ସେହିପରି ୧୬୧୮୪ ଅଯୋଗ୍ୟ ରାସନ୍ କାର୍ଡ଼ ବି ଠାବ କରାଯାଇଛି । ଯେଉଁ କାର୍ଡ଼ରେ ୬୧୮୮୨ ଜଣ ରାସନ୍ ନେଉଥିଲେ । ସେମାନଙ୍କୁ ବି ସରକାର ବାଦ୍ ଦେଇଛନ୍ତି ।
ବିଧାନସଭାରେ ଏସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତିଯେ, ଇ-କେୱାଇସି ବେଳେ କେନ୍ଦୁଝରରେ ସର୍ବାଧିକ ୩୫୫୫୦ ମୃତକଙ୍କ ନାମ ରାସନ୍ କାର୍ଡ଼ରେ ଥିବା ଜଣାପଡ଼ିଥିଲା । ସେହିପରି ଭଦ୍ରକରେ ୧୦୪୩୭, ବଲାଙ୍ଗୀରରେ ୧୬୮୧୨, କଟକରେ ୧୭୬୨୭, ଗଞ୍ଜାମରେ ୨୫୭୮୯, ଖୋର୍ଦ୍ଧାରେ ୧୩୬୩୦, କୋରାପୁଟରେ ୧୪୧୬୮, ମୟୂରଭଞ୍ଜରେ ୨୩୭୯୯, ପୁରୀରେ ୧୫୫୮୫, ରାୟଗଡ଼ାରେ ୨୨୪୧୧ ଓ ସୁନ୍ଦରଗଡ଼ରେ ୧୬୩୯୨ ଜଣ ମୃତକଙ୍କୁ ଚିହ୍ନଟ କରାଯାଇ ରାସନ୍ କାର୍ଡ଼ରୁ ବାଦ୍ ଦିଆଯାଇଛି । ଅପରପକ୍ଷରେ ବାଲେଶ୍ୱରରେ ୧୧୮୪, କଟକରେ ୧୩୪୬, ମୟୂରଭଞ୍ଜରେ ୧୧୩୧ ଓ ନୟାଗଡ଼ରେ ୧୫୫୫ ଅଯୋଗ୍ୟଙ୍କୁ ତାଲିକାରୁ ହଟାଯାଇଛି । ଏହିପରି ଭାବେ ୧୬୧୮୪ ଅଯୋଗ୍ୟ ବାଦ୍ ପଡ଼ିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତର ରଖିଛନ୍ତି । ଏହାଛଡ଼ା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତିଯେ, ରାଜ୍ୟର ୨ କୋଟି ୯୯ ଲକ୍ଷ ୭୬୮୫୨ ହିତାଧିକାରୀଙ୍କ ମଧ୍ୟରୁ ରାଜ୍ୟ ଭିତରେ ଥାଇ ୨ ଲକ୍ଷ ୯୮ ହଜାର ୪୦୬୬୦ ଜଣ ଇ-କେୱାଇସି କରିଥିବାବେଳେ ବାହାର ରାଜ୍ୟରେ ୧ ଲକ୍ଷ ୩୬ ହଜାର ୧୯୨ ଜଣ ଇ-କେୱାଇସି କରିଛନ୍ତି । ଏଯାବତ୍ ୩୨ ଲକ୍ଷ ୫୬ ହଜାରରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ହୋଇପାରିନାହିଁ ।