ଲିଙ୍ଗରାଜ ଷ୍ଟେସନ ନବୀକରଣର ସମୀକ୍ଷା କଲେ ସାଂସଦ

 ଭୁବନେଶ୍ୱର : ନୂଆରୂପ ପାଇବାକୁ ଯାଉଛି ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ରେଳ ଷ୍ଟେସନ  । ଏନେଇ ମଙ୍ଗଳବାର ଲିଙ୍ଗରାଜ ଟେମ୍ପଲ ରୋଡ଼୍ ରେଳ ଷ୍ଟେସନର ଉନ୍ନତିକରଣ ଏବଂ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  । ପୂର୍ବତଟ ରେଳବାଇର ଡିଆରଏମ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିଜେ ଅପରାଜିତା ଷ୍ଟେସନ ପରିସରରେ ସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଟିକିନିଖି ବୁଝିଥିଲେ । ଏହାସହ କାର୍ଯ୍ୟର ମାନ ତର୍ଜ୍ଜମା କରିବା ସହ ଯେମିତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ ହେବ ସେନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଠିକାଦାରଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି । ଲିଙ୍ଗରାଜ ଟେମ୍ପଲ ରୋଡ଼୍ ରେଳ ଷ୍ଟେସନର ଉନ୍ନତିକରଣ ଏବଂ ନବୀକରଣ ଲାଗି ଅନେକ ଦିନରୁ ଦାବି ହୋଇଆସୁଥିଲା  । ଯାହାକୁ ନେଇ ସାଂସଦ ଏକିଧିକବାର ରେଳ ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଦୃଷ୍ଟି ଆକର୍ଷଣ କରିଆସିଥିଲେ । 
ରେଳ ଷ୍ଟେସନ ଉନ୍ନତିକରଣ ପ୍ରକଳ୍ପ ଲାଗି ମୋଟ୍ ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ପ୍ରସ୍ତାବିତ ପ୍ରକଳ୍ପରେ ୭୬୫ ବର୍ଗ ମିଟରର ଗ୍ରାଉଣ୍ଡ ପ୍ଲସ୍ ୨ର ଏକ ନୂତନ ଷ୍ଟେସନ ବିଲ୍ଡିଂ ନିର୍ମାଣ କରାଯାଉଛି । ଷ୍ଟେସନର ସାମ୍ନା ପଟକୁ ମୁହଁକରି ଥିବା ୧୧ଶହ ବର୍ଗ ମିଟରର ବିଲ୍ଡିଂର ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ସେହିପରି ୧୨ ମିଟର ଓସାରର ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ । ୨୬୦ ବର୍ଗ ମିଟରର ଅଞ୍ଚଳରେ ଉଭୟ ଦୁଇ ଚକିଆ ଓ ତିନି ଚକିଆ ଯାନ ପାଇଁ ପୃଥକ୍ ପୃଥକ୍ ପାର୍କିଂସ୍ଥଳ ସହ ୧୩୦ ବର୍ଗ ମିଟରର ଏକ ପ୍ରତୀକ୍ଷାଳୟ ମଧ୍ୟ ନିର୍ମାଣ ହେବ । ଉଭୟ ପୁରୁଷ ଏବଂ ମହିଳାଙ୍କ ଲାଗି ୬୫ ବର୍ଗମିଟରର ପ୍ରିମିୟମ୍ ମଡୁ୍ୟଲାର ଟଏଲେଟ୍ ସାଙ୍ଗକୁ ୧, ୨ ଏବଂ ୩ ନଂବର ପ୍ଲାଟଫର୍ମରେ ଗ୍ରାନାଇଟ୍ ଏବଂ ମୋଜାଇକ୍ ଚଟାଣ ଲାଗି ମଧ୍ୟ ଯୋଜନା ରହିଛି । ଏହା ସମେତ ୨୯ ବେଜ୍ ର ଅତିରିକ୍ତ ପ୍ଲାଟଫର୍ମ ସେଲ୍ଟର ନିର୍ମାଣ କରାଯିବ   । ଏହି ୨୯ ବେଜ୍ ମଧ୍ୟରେ ୧୩ ବେଜ୍ର ସେଲ୍ଟର ୧ ନମ୍ବର ଏବଂ ୨ ନଂବର ପ୍ଲାଟଫର୍ମ ଲାଗି , ଆଉ ୧୬ ବେଜ୍ ର ସେଲ୍ଟର ୩ ନଂବର ପ୍ଲାଟଫର୍ମ ଲାଗି ନିର୍ମାଣ କରାଯିବ   । ତାଛଡ଼ା କୋଚ୍ ଇଣ୍ଡିକେସନ ବୋର୍ଡ, ଟ୍ରେନ୍ ଇଣ୍ଡିକେସନ ବୋର୍ଡ ଏବଂ ସାଇନେଜ୍ ଲାଗି ମଧ୍ୟ ଅନୁଦାନ ଦେଇଛି ରେଳ ମନ୍ତ୍ରାଳୟ   । ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ପରେ ସାଂସଦ କହିଛନ୍ତି ରେଳ ନବୀକରଣ କାମ ପାଇଁ ଭୀମଟାଙ୍ଗିର ଅଂଚ୍ଚଳବାସୀ ଅନେକ ବାର ଭୁବନେଶ୍ୱର ସାଂସଦଙ୍କୁ ସାକ୍ଷାତ କରି ଅନୁରୋଧ କରି ଦାବି ଜଣାଇଥିଲେ । ନିଜେ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ୨୦ କୋଟି ଟଙ୍କା ମଞ୍ଜୁର କରାଇଥିଲେ  । ବର୍ତ୍ତମାନ ରେଳ ଉନ୍ନତିକରଣ କାମ ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଭୁବନେଶ୍ୱର ସାଂସଦ  ।