ତିନି ରଥର ୪୨ଚକ ନିର୍ମାଣ ଶେଷ
ପୁରୀ: ରଥ ନିର୍ମାଣ କାର୍ଯ୍ୟର ୨୭ତମ ଦିବସରେ ୩ ରଥର ୪୨ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୨୦୫ଜଣ ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତିନି ରଥର ଚାରି ନାହାକା, ଗରଗରା ଏବଂ ପୋଲଗୟଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଏଥିସହ ତାଳଧ୍ୱଜ ରଥର ପୋଲଗୟଳ ଚିରଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କରତି ସେବକମାନେ । ଏଥିପାଇଁ ଆରମ୍ଭ ହୋଇଛି ତିନି ରଥର ଅଖ ନିର୍ମାଣ କାର୍ଯ୍ୟ । ଗରଗରା, ଚାରିନାହାକା, ପୋଲଗୟଳ ଓ ଅଖ ନିର୍ମାଣ ପାଇଁ କେଉଁ କାଠ ଉପଯୋଗୀ ତାହା ଚିହ୍ନଟ ପରେ ତିନି ରଥର ଭୋଇ ସେବକମାନଙ୍କ ସହାୟତାରେ ତିନି ରଥ ଚାଳିକୁୁ ଗରଗରା ନିର୍ମାଣ ପାଇଁ ୨ଟି ଲେଖାଏଁ ୨୦ଫୁଟିଆ ଧଉରା କାଠ, ଚାରିନାହାକା ପାଇଁ ପ୍ରଥମ ଦଫାରେ ୨ଟି ଲେଖାଏଁ ୨୦ଫୁଟିଆ ଧଉରା କାଠ ଏବଂ ପୋଲଗୟଳ ନିର୍ମାଣ ପାଇଁ ଗୋଟିଏ ୪୦ଫୁଟିଆ ଧଉରା କାଠ ଯୋଗାଇବା ପରେ ତିନି ରଥର ମହାରଣା ମାନେ ଗରଗରା, ଚାରିନାହାକା, ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିସହିତ ତିନି ରଥର ବ୍ରେକ୍, ଅଖର ନିର୍ମାଣ ଶେଷ ପରେ ତିନି ରଥର ଦୁଇଟି ଲେଖାଏଁ ପଡ଼ିନାହାକା ଅଖର ଉଭୟ ପାଶ୍ୱର୍ ଚଉପଟ ପରେ ଗୋଲେଇ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । କରତି ସେବକମାନେ ବାହାର ରଥଖଳା ଠାରେ ତାଳଧ୍ୱଜ ରଥର ପୋଲଗୟଳ ନିର୍ମାଣ ପାଇଁ ୪୦ଫୁଟିଆ ଧଉରା କାଠର ଉଭୟ ପାଶ୍ୱର୍କୁ ହାଣି ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିତା କାର୍ଯ୍ୟ ପରେ ପୋଲଗୟଳର ଚିରଟ କାର୍ଯ୍ୟ ଆରମ୍ଭ ହେବ । ରୂପକାର ସେବକମାନେ ତିନି ରଥର ୧୧ଟି ଲେଖାଏଁ ସାଲଗୁଜ ମଧ୍ୟରୁ ୧୦ଟି ଲେଖାଏଁ ଗୁଜରେ ରୂପ ଅଙ୍କନ ସହ ପଲିସ୍ କାର୍ଯ୍ୟ ଶେଷ କରି ରୂପଗୁଡ଼ିକର ଅଳଙ୍କାର ପକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ତିନି ରଥର ଗୋଟିଏ ଲେଖାଏଁ ଗୁଜର ରୂପ ଖୋଦେଇ ଜାରି ରହିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା ନିର୍ମାଣ କରୁଛନ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାରେ ଆବଶ୍ୟକ କାଠ ସରଞ୍ଜାମ ନିର୍ମାଣ ଚାଲିଛି ।