ବାଣଭଟ୍ଟଙ୍କ ‘କାଦମ୍ବରୀ’


ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଗଭୀର ଭାବେ ଅନୁଧ୍ୟାନ କଲେ ଆମେ ଜାଣିପାରିବା ଭାରତୀୟ ଜ୍ଞାନ ପରମ୍ପରା ହିଁ  ପ୍ରଜ୍ଞାର ଆଲୋକ ବର୍ତ୍ତିକାଟିଏ  ହୋଇ ବିଶ୍ୱର ଅଜ୍ଞାନ ଅନ୍ଧକାରକୁ ବିନାଶ କରିଛି  । ଫ୍ରାନ୍ସର ରାଷ୍ଟ୍ର ବିପ୍ଲବ ହେଉ ବା ଇଂଲଣ୍ଡର ଶିଳ୍ପ ବିପ୍ଲବ ହେଉ ତାରି ପଛରେ ରହିଛି ଭାରତୀୟ ଜ୍ଞାନ ପରମ୍ପରା  । ଏ କଥାକୁ ଅତି ଚତୁରତା ସହ ଲୋକଙ୍କ ନିକଟରୁ ଦୂରେଇ ଦିଆ ଯାଇଛି  । ପାଶ୍ଚାତ୍ୟ ସାହିତ୍ୟ ଓ ପାଶ୍ଚାତ୍ୟ ଇତିହାସକୁ ଆଧୁନିକ ଶିକ୍ଷାରେ ଗୁରୁତ୍ୱ ଦିଆଯାଇ ଭାରତୀୟ ଚିନ୍ତା ଓ ଚେତନାକୁ ଅନ୍ଧକାର ଭିତରକୁ ଠେଲି ଦିଆଗଲା  । ମହାକବି ବାଣଭଟ୍ଟଙ୍କ ରଚିତ ‘କାଦମ୍ବରୀ’ ଏହାର ଏକ ଜ୍ୱଳନ୍ତ ଉଦାହରଣ  । 
ସମାଜରେ ପରିବର୍ତ୍ତନ ଆଣିବା ପାଇଁ ବେଦ, ଉପନିଷଦ, ଗୀତା ଓ ଅଷ୍ଟାଦଶ ପୁରାଣକୁ ବାଦଦେଲେ ବିଶ୍ୱର ପ୍ରଥମ ଉପନ୍ୟାସ ‘କାଦମ୍ବରୀ’ର ଭୂମିକା କୌଣସି ଗୁଣରେ କମ ନୁହେଁ  । ‘ବହୁଜନ ହିତାୟ, ବହୁଜନ ସୁଖାୟ’ ଦୃଷ୍ଟିକୋଣକୁ ନେଇ ସପ୍ତମ ଶତାବ୍ଦୀର ପୂର୍ବାର୍ଦ୍ଧରେ ରଚିତ ‘କାଦମ୍ବରୀ’ ମୂଳତଃ ସଂସ୍କୃତ ଭାଷାରେ ରଚିତ ହୋଇଥିଲା କାରଣ ସଂସ୍କୃତ ଭାଷା ତକôାଳୀନ ସମୟର ପ୍ରଚଳିତ ଭାଷା ଥିଲା  । ବାଣଭଟ୍ଟଙ୍କ ରଚିତ ଏ ସାହିତ୍ୟ କୃତିର ପରିକଳ୍ପନା, ଚମକôାରିତା ଓ ଅଲୌକିକତା ରାଜା ହର୍ଷବର୍ଦ୍ଧନଙ୍କୁ ତଥା ରାଜପରିଷଦ ବର୍ଗଙ୍କୁ କରିଥିଲା ବିସ୍ମୟାବିଭୂତ  । ପ୍ରେମ ଭାବନାକୁ ନେଇ ଏହା ଏକ କାଳ୍ପନିକ କଥା ହୋଇଥିବା ଯୋଗୁଁ କାଦମ୍ବରୀର ମୁଖ୍ୟ ରସ ଶୃଙ୍ଗାର ରସ ଥିଲେ ବି, ସେ ତକôାଳୀନ ସମାଜର ଅବସ୍ଥା, ସ୍ୱଭାବ, ଆଚାର ଓ ଉପଚାରର ବିସ୍ତୀର୍ଣ୍ଣ ପରିସୀମାକୁ ଅନୁଧ୍ୟାନ କରି ସମାଜରେ ସଂସ୍କାର ଆଣିବା ପାଇଁ, ଏହା ଥିଲା ତାଙ୍କର ଏକ ଅମୋଘ ଅସ୍ତ୍ର  । ଦୁଃଖର କଥା, ‘କାଦମ୍ବରୀ’ ରଚନା ସଂପୂର୍ଣ୍ଣ ହେବା ପୂର୍ବରୁ ବାଣଭଟ୍ଟ ଏ ସଂସାରରୁ ବିଦାୟ ନେଇଥିଲେ  । କିନ୍ତୁ ତାଙ୍କ ସୁପୁତ୍ର ଭୂଷଣଭଟ୍ଟ ପିତାଙ୍କ ପଦାଙ୍କ ଅନୁସରଣ କରି ଏହାକୁ ସଂପୂର୍ଣ୍ଣ କରିଥିଲେ  । ‘କାଦମ୍ବରୀ’ ରଚିତ ହେବା ପୂର୍ବରୁ ଚଣ୍ଡୀଶତକ ଓ ପାର୍ବତୀ ପରିଣୟ କାବ୍ୟ ବାଣଭଟ୍ଟ ରଚନା କରିଥିଲେ  । ତାଙ୍କର ସମସ୍ତ କୃତି ଭିତରୁ ‘ହର୍ଷଚରିତ’ ବହୁତ ପ୍ରସିଦ୍ଧି ଲାଭ କରିଥିଲା, ଯେଉଁଥିରେ ସେ ରାଜା ହର୍ଷବର୍ଦ୍ଧନଙ୍କ ଜୀବନୀ ତଥା ପ୍ରଶାସନ ବିଷୟରେ ଅନେକ ତଥ୍ୟ ଦେଇଛନ୍ତି  । ଗବେଷକଙ୍କ ମତରେ କାଦମ୍ବରୀର ପ୍ରତିଟି ପୃଷ୍ଠା ଭାବ ଓ ରସରେ ପରିପୂର୍ଣ୍ଣ ଯାହାକି କବିଙ୍କର ମୌଳିକ ଦୃଷ୍ଟିଭଙ୍ଗୀର ସୂଚନା ଦିଏ ଓ ତାହା ସାଙ୍ଗକୁ ମାନବର ଅଭିବ୍ୟକ୍ତି ରୂପମୟ ଅବସ୍ଥିତି ଠାରୁ ମାନସିକ ରୂପାନ୍ତରଣ ପର୍ଯ୍ୟନ୍ତ କିପରି ସମ୍ପ୍ରସାରିତ ହୁଏ, ତାହା ଏଥିରେ ଦେଖିବାକୁ ମିଳେ  । ଏହା ଥିଲା ତାଙ୍କ ପାଣ୍ଡିତ୍ୟର ପରିଚୟ  । 
କାଦମ୍ବରୀ ଲେଖାର କେନ୍ଦ୍ରବିନ୍ଦୁ ରାଜକୁମାର ଚନ୍ଦ୍ରାପୀଡ ଅଟନ୍ତି  । ଯାହାଙ୍କ ଜୀବନ ଥିଲା ସଂପୂର୍ଣ୍ଣ ବିଳାସମୟ  । ଅସାଧାରଣ ସୁନ୍ଦରୀ କାଦମ୍ବରୀ ଥିଲେ ଏ ଗଦ୍ୟକାବ୍ୟର ପ୍ରଧାନ ନାୟିକା  । ଏଥିରେ ଚନ୍ଦ୍ରାପୀଡ, ବୈଶମ୍ପାୟନ ଓ ମହାଶ୍ୱେତାଙ୍କ ତିନି ଜନ୍ମର କଥା ବର୍ଣ୍ଣନା କରାଯାଇଛି  । ଏଥିରେ ଚନ୍ଦ୍ରାପୀଡଙ୍କ ବିନୟୀ ଭାବ ଓ ବ୍ୟବହାର ଅତି ସୁନ୍ଦର ଭାବେ ପ୍ରକାଶ ପାଇଛି  । 
ରାଜା ତାରାପିଡଙ୍କ ମନ୍ତ୍ରୀ ଥିଲେ ଶୁକନାଶ  ।  ସେ ଅନ୍ତର ସହ ରାଜାଙ୍କୁ ରାଜକାର୍ଯ୍ୟରେ ସହଯୋଗ କରୁଥିଲେ  । ରାଜ୍ୟର ସମସ୍ତ ଦାୟିତ୍ୱ ମନ୍ତ୍ରୀଙ୍କ ଉପରେ  ନ୍ୟସ୍ତକରି ରାଜା ଆନନ୍ଦରେ ଦିନ ଅତିବାହିତ କରୁଥିଲେ  । ଶୁକନାଶଙ୍କ ଉପଦେଶାବଳୀ ଯାହାକି ‘ଶୁକନାଶୋପଦେଶ’ ରୂପେ ପ୍ରକାଶିତ ତାହା ସମାଜକୁ ସତ୍ମାର୍ଗରେ ଯିବା ପାଇଁ ସଚେତନର ବାର୍ତ୍ତା ଦେଉଛି, ତାହା ଏଥିରେ ସ୍ଥାନିତ  । ପ୍ରକୃତି ଚିତ୍ରଣରେ ବାଣଭଟ୍ଟ ଥିଲେ ଧୂରୀଣ  । ବିଷୟ କ୍ରମେ ପ୍ରଭାତର ରୂପକୁ ଜୀବନ୍ତ କରିବାକୁ ଯାଇ ସେ ଲେଖିଛନ୍ତି, “ଦିନଟି କ୍ରମଶଃ ଅତିକ୍ରାନ୍ତ ହେବାକୁ ବସିଲା  । ସୂର୍ଯ୍ୟ ତାଙ୍କ ରକ୍ତାଭ ଅରୁଣିମାକୁ ଭୂପୃଷ୍ଟରୁ ନେଇ ପଦ୍ମ ବନରେ କେନ୍ଦ୍ରିତ କଲେ  । ସେଠାରୁ ମୁହଁ ଫେରାଇ ତରୁ ଶିଖର ଓ ପରେ ପରେ ପର୍ବତ  ଶିଖରରେ  ପହଞ୍ଚିଲେ  । ମନେହେଲା ସତେ ଯେମିତି ସେମାନେ ସୁବର୍ଣ୍ଣ ଖଚିତ  । ସୂର୍ଯ୍ୟାସ୍ତ ପରେ ତରୁଲତାଙ୍କ ଶାଖାପ୍ରଶାଖା ସନ୍ଧ୍ୟା ପବନରେ ଆନେ୍ଦାଳିତ ହେଲାବେଳେ ପ୍ରତୀୟମାନ ହେଉଥାଏ ସତେ ଯେପରିକି ସେମାନେ ପକ୍ଷୀକୁଳକୁ ନିଜ ନିଜ ନୀଡକୁ ପ୍ରତ୍ୟାବର୍ତ୍ତନ କରିବା ସକାଶେ ଅଙ୍ଗୁଳି ନିଦେ୍ର୍ଦଶ କରୁଛନ୍ତି  । ସମସ୍ତ ମୁନି ପ୍ରାର୍ଥନାରେ ବସି ସନ୍ଧ୍ୟାପର୍ବ ସମାପନ କଲେ...” ।  ଆମର ଦୈନନ୍ଦିନ ଜୀବନରେ ସୁଖ ଓ ଦୁଃଖ ଥାଏ  । ଦୁଃଖରେ ଭାଙ୍ଗି ନ ପଡିବା ପାଇଁ ବାଣଭଟ୍ଟ ଅତି ସୁନ୍ଦର ଭାବେ ରାଜା ତାରାପିଢ ଓ ରାଣୀ ବିଳାସବତୀଙ୍କ କଥୋପକଥନ ଜରିଆରେ ଏକ ସୁନ୍ଦର ବାର୍ତ୍ତା ଯୁବ ସମାଜକୁ ଦେଇଛନ୍ତି  । ତାହା ହେଉଛି “ଯେଉଁ ପରିସ୍ଥିତି ଉପରେ ଆମର ନିୟନ୍ତ୍ରଣ ନାହିଁ, ତା ପାଇଁ ଅନୁଶୋଚନା ବର୍ଜନୀୟ  । ମଣିଷର ଶତ ପ୍ରୟାସ ସତ୍ବେ ପ୍ରଭୁଙ୍କର ଆଶୀର୍ବାଦ ନ ଥିଲେ କୌଣସି କାମନା ପୂରଣ ହେବ ନାହିଁ....” ।  
ଠିକ ସେପରି ସମୟର ପ୍ରାଣସ୍ୱନ୍ଦନକୁ ପ୍ରତିଫଳିତ କଲାବେଳେ ତଥା ଯୁବ ସମାଜକୁ ଉପଦେଶ ଦେବା ଛଳରେ ସେ ମନ୍ତ୍ରୀ ଓ ଯୁବରାଜଙ୍କ କଥୋପକଥନ ମାଧ୍ୟମରେ  ଏଥିରେ ଲେଖିଛନ୍ତି, “ଯୌବନ ସାଙ୍ଗକୁ ପ୍ରଭୁତ୍ୱ ତଥା ସମ୍ପତ୍ତିର ମିଳନ ମଣିଷ ପାଇଁ ଏକ ଚେତନା ଉଦ୍ରେକକାର  । ଯୁବ ସମୟ ଅରଣ୍ୟ ଭଳି  । ଯେ ତା ମଧ୍ୟକୁ ପ୍ରବେଶ କରେ ସିଏ ପାଶବିକତା ଆଡକୁ ମୁହେଁଇ ଯାଏ  । ତରୁଣ ଭାବେ ଲୋଭ, କ୍ଷୁଧା, କ୍ରୋଧ, ତା’ର ଆନନ୍ଦ ପ୍ରଦାୟିନୀ ମାର୍ଗ  । ଏଥିପାଇଁ ସେ ଗର୍ବୋନ୍ମତ୍ତ ହୋଇଯାଏ  । ସମସ୍ତ ହିତାହିତ ପଥରେ ଏହା କଣ୍ଟକ ହୁଏ  । ଏହା ଧନ ଅର୍ଜନ ସକାଶେ ମଣିଷକୁ ମାତାଲ କରେ  । ମଣିଷ ଭୌତିକ ଆହରଣ ସକାଶେ କୌଣସି ପାପ କରିବାକୁ କୁଣ୍ଠାବୋଧ କରେ ନାହିଁ  । ଯେମିତି ଏକ ଲେଲିହାନ ଶିଖା ଦେହରେ ସିଏ ଜଳି ପୋଡି ମରିବାକୁ ଚାହେଁ  । ଏହା ମାତାଲ ମାନସିକତା  । ଏଥିରୁ ହିଁ ଗର୍ବ ତଥା ଅହମିକାର ଉତ୍ପତ୍ତି...” ।  ବାଣଭଟ୍ଟଙ୍କ କାଦମ୍ବରୀକୁ ପାଠକଲେ ଆମେ ଆଜି ହୃଦୟଙ୍ଗମ କରିବା, ଆମ ଶିକ୍ଷା ପ୍ରାଚୀନ କାଳରେ କେତେ ଉନ୍ନତମାନର ଥିଲା, ଯାହାକି ଆଜି ଦୁଷ୍ପ୍ରାପ୍ୟ  । ପ୍ରଚାର ସର୍ବସ୍ୱ ଆଭିମୁଖ୍ୟର ବିଡମ୍ବନା ଏପରି ଗ୍ରନ୍ଥକୁ ତ୍ୟାଗ କରିଛି ସତ  କିନ୍ତୁ  ସକଳ ଶାସ୍ତ୍ର ତଥା ଜ୍ଞାନର ଭଣ୍ଡାର କାଦମ୍ବରୀ ପ୍ରଜ୍ଞାର ଆଲୋକବର୍ତ୍ତିକାଟିଏ , ଯାହାକି ସଂସାରକୁ ଆଜି ବି ପ୍ରଦାନ କରେ ଦିବ୍ୟ ଆଲୋକ  । ଭାରତୀୟ ସଂସ୍କୃତିର ସମୁନ୍ନତ ସ୍ଥିତି ଏବଂ ସୁରକ୍ଷାର ପ୍ରୟାସ କରିଥିବା କବି ଥିଲେ ବାଣଭଟ୍ଟ  ।  ଗୁଣାତ୍ମକ ମାନ ଦୃଷ୍ଟିରୁ ଏ ଗଦ୍ୟକାବ୍ୟର ଶୋଭା ଆଜି ବି ଅସାଧାରଣ ଯାହାକି ନିଜସ୍ୱ ଗୁଣରେ ମହିମାମଣ୍ଡିତ ତଥା ଚୀର ସ୍ମରଣୀୟ  । 
ବ୍ରହ୍ମପୁର,ମୋ:୯୪୩୮୩ ୬୨୨୬୨