"ମାଆର ଛାଟ'
ଓଡ଼ିଶାରେ ଦିନକୁ ଦିନ ବିବାହ ବିଚ୍ଛେଦର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହା ଦ୍ୱାରା ଅନେକ ସାମାଜିକ ସମସ୍ୟା ସୃଷ୍ଟି ହେଉଛି । ତେଣୁ ବିବାହ ବିଚ୍ଛେଦ ଗୁଡ଼ିକୁ କମେଇବା ପାଇଁ ରାଜ୍ୟ ସରକାର ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଯୋଜନାଟିର ନାଁ ହେଉଛି "ମାଆର ଛାଟ ।' ବର୍ତ୍ତମାନ ରାଜ୍ୟରେ କୋରାପୁଟ, ପୁରୀ ଏବଂ ବାଲେଶ୍ୱରରେ ଛାଡ଼ପତ୍ର ସର୍ବାଧିକ ହେଉଥିବା ଦେଖାଯାଉଛି । ବର୍ଷକୁ ବର୍ଷ ଏ ସମ୍ପର୍କିତ ମାମଲା ସବୁ ବଢ଼ିବାରେ ଲାଗିଛି । ବର୍ଷକୁ ବର୍ଷ ମାମଲା ସଂଖ୍ୟା ବଢ଼ିଲା ବେଳକୁ ଏ ଗୁଡ଼ିକ ଛିଡ଼ିବାକୁ ମଧ୍ୟ ବର୍ଷ ବର୍ଷ ସମୟ ନେଉଛି । ଏଥିରେ ଉଭୟ ପୁଅ ଏବଂ ଝିଅଙ୍କର ଜୀବନ ନଷ୍ଟ ହେବା ସହିତ ଦୀର୍ଘ ବର୍ଷ ଧରି ସେମାନଙ୍କ ବୈବାହିକ ସ୍ଥିତି ଦ୍ୱନ୍ଦ୍ୱରେ ପଡ଼ିଯାଉଛି । ଏଥିପାଇଁ ସେମାନଙ୍କୁ କାଉନ୍ସେଲିଂ ବା ପରାମର୍ଶ ମାଧ୍ୟମରେ ଏ ପ୍ରକାରର ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ସରକାର ଚାହୁଁଛନ୍ତି ।
ତେବେ କୌଣସି ସମସ୍ୟା ଉପୁଜିଲେ ତାର ପ୍ରତିକାର କରିବା ଅପେକ୍ଷା ସମସ୍ୟା କିଭଳି ନହେବ ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ବର୍ତ୍ତମାନ ସମାଜରେ ମନୋରଞ୍ଜନ ନାମରେ ଟେଲି ଧାରାବାହିକ, ଚଳଚ୍ଚିତ୍ର, ଯାତ୍ରା ଜଗତ ଆଦି ଯେଉଁ ପ୍ରକାରର କାହାଣୀ ପ୍ରଦର୍ଶନ କରୁଛନ୍ତି ସେସବୁରେ ବୈବାହିକ ଜୀବନ ସତ୍ତ୍ୱେ ଅନେକ ପୁରୁଷ କିମ୍ବା ଅନେକ ନାରୀଙ୍କ ସହିତ ସମ୍ପର୍କ ରଖିବା କାହାଣୀର ମୁଖ୍ୟ ଭାବରେ ପ୍ରଦର୍ଶନ କରାଯାଉଛି । କୌଣସି ଏକ ପରିବାରରେ କିଭଳି ଶାନ୍ତିପୂର୍ଣ୍ଣ ଜୀବନଯାପନ କରିହେବ ସେସମ୍ପର୍କରେ ମନୋରଞ୍ଜନ ଜଗତ ନୀରବ । ଏବେ ମନୋରଞ୍ଜନ ଜଗତ ଆନିମଲ୍ କିଙ୍ଗ୍ଡ଼ମ୍ରେ ପରିଣତ ହୋଇଯାଇଛି । ମନୋରଞ୍ଜନ ଜଗତରେ କାହାର କାହା ସହିତ ଏବଂ କେତେଜଣଙ୍କ ସହିତ କି ପ୍ରକାରର ସମ୍ପର୍କ ତାହ ଜାଣିବା ସମ୍ଭବ ନୁହେଁ । କାହାଣୀ ଗୁଡ଼ିକରେ ଯାହା ପ୍ରଦର୍ଶନ କରାଯାଉଛି ସେସବୁ କୌଣସି ଗୋଟିଏ ଗୋଟିଏ ବିରଳ ଘଟଣାମାତ୍ର । ସାର୍ବଜନୀନ ଭାବରେ ଏସବୁ ଘଟଣା ଘଟୁନାହିଁ । ମଦ ପିଇବା, ନିଶା ଦ୍ରବ୍ୟ ସେବନ କରିବା, ବନ୍ଧୁକ ଧରି ବୁଲିବା, ମାରଣାସ୍ତ୍ର ପାଖରେ ରଖିବା ଖାଦ୍ୟରେ ବିଷ ମିଶେଇବା, ଅବୈଧ ଭାବରେ ନିଷିଦ୍ଧ ପଦାର୍ଥର ପ୍ରୟୋଗ କରିବା, ମୃତୁ୍ୟ ହୋଇଗଲେ ପୁଲିସ୍କୁ ଲାଞ୍ଚ ଦେବା, ଡ଼ାକ୍ତରଙ୍କୁ ଲାଞ୍ଚ ଦେଇ ଭୁଲ୍ ରିପୋର୍ଟ୍ ଆଣିବା ଭଳି ଘଟଣା ଗୁଡ଼ିକ କେବଳ ମନୋରଞ୍ଜନ ଜଗତରେ ହିଁ ଘଟୁଛି । ତେବେ ଦୁଃଖର କଥା ହେଲା ସେସବୁକୁ ଘର ଭିତରେ ଅଗଣିତ ସଂଖ୍ୟାର ଦର୍ଶକ ଦେଖୁଛନ୍ତି ଏବଂ ସେ ପ୍ରକାରର ଘଟଣା ଗୁଡ଼ିକୁ ସତ ବୋଲି ଗ୍ରହଣ କରି ନେଉଛନ୍ତି ।
ମନୋରଞ୍ଜନ ମାଧ୍ୟମରେ ଡ଼ାକ୍ତର, ଶିକ୍ଷକ, ସେବିକା ଏବଂ ପୁଲିସ୍ଙ୍କର ବୃତ୍ତିଗତ କାର୍ଯ୍ୟର ଘୋର ଅପମାନ କରାଯାଉଛି । କୌଣସି ବି ଡ଼ାକ୍ତର ଟଙ୍କା ନେଇ କେବେ ହେଲେ ଏକ ଭୁଲ୍ ରିପୋର୍ଟ୍ ଦେବେ ନାହିଁ । କାରଣ ଜଣେ ଡ଼ାକ୍ତରଙ୍କ ପାଖରେ ଭୁଲ୍ ରିପୋର୍ଟ୍ ଆସିଗଲେ ରୋଗୀ ଅନ୍ୟ ଡ଼ାକ୍ତରଙ୍କ ପାଖକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । କୌଣସି ବି ପରିସ୍ଥିତିରେ ଜଣେ ଡ଼ାକ୍ତର ଲାଞ୍ଚ ନେଇ ଏକ ଭୁଲ ରିପୋର୍ଟ୍ ଦେଲେ ତାଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ମଧ୍ୟ ରହିଛି । ଡ଼ାକ୍ତରୀ ଶିକ୍ଷା ପରେ ନୈତିକତା ଏବଂ ବୃତ୍ତିଗତ ଗୋପନୀୟତାକୁ ନେଇ ଡାକ୍ତରମାନେ ଶପଥ ମଧ୍ୟ କରିଥାନ୍ତି । ଏସବୁ ସତ୍ତ୍ୱେ ମନୋରଞ୍ଜନ ଜଗତ ଦେଖାଉଥିବା ଦୃଶ୍ୟର ପ୍ରତିବାଦ କେହି କରୁନାହାନ୍ତି । ଅନ୍ୟପକ୍ଷରେ ଏହାର ପ୍ରଭାବରେ ପାରିବାରିକ ଜୀବନ ନଷ୍ଟ ହେଉଛି । ଏଣୁ ରାଜ୍ୟ ସରକାର "ମାଆର ଛାଟ' ଭଳି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଚିନ୍ତା କରିବା ଉଚିତ୍ ଯେ ଗଛକୁ ନ ଉପାଡ଼ି ଫଳକୁ ଛିଣ୍ଡେଇଲେ କିଛି ଲାଭ ହେବ ନାହିଁ । ସାମାଜିକ ସଂହତିକୁ ସଜାଡ଼ି ପାରିଲେ ଅନେକ ସାମାଜିକ ବିସଙ୍ଗତି ସଜାଡ଼ି ହେଇଯିବ ।