ଜିଡିପି ଅଭିବୃଦ୍ଧି ୮.୨%

  • ଟ୍ରମ୍ପଙ୍କ ଟାରିଫ ସତ୍ତେ୍ୱ ଦ୍ୱିତୀୟ ତ୍ରୈମାସିକରେ ଉଲ୍ଲେଖନୀୟ ବୃଦ୍ଧି
  • ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ : ଭାରତର ଜିଡିପିରେ ଆଖିଦୃଶିଆ ଅଭିବୃଦ୍ଧି ଘଟିଛି । ଟ୍ରମ୍ପଙ୍କ ଶୁଳ୍କ ମାଡ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ କିଛି ଫରକ ପକାଇ ପାରିନି । ସେପ୍ଟେମ୍ବର ତ୍ରୈମାସିକରେ ଭାରତର ଅର୍ଥନୈତିକ ଇଞ୍ଜିନ ଅଧିକ ଗତି ପାଇଛି । ସରକାରୀ ତଥ୍ୟ ଦର୍ଶାଉଛି ଯେ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ପ୍ରକୃତ ଜିଡିପି ୮.୨% ବୃଦ୍ଧି ପାଇଛି । ଯାହା ଗତ ବର୍ଷ ରେକର୍ଡ କରାଯାଇଥିବା ୫.୬% ଠାରୁ ବହୁତ ଅଧିକ । ପ୍ରଥମ ତ୍ରୈମାସିକରେ ପ୍ରକାଶିତ ୭.୮% ଅପେକ୍ଷା ଅଧିକ ଓ ଛଅ ତ୍ରୈମାସିକରେ ସର୍ବାଧିକ । ଏହି ବୃଦ୍ଧି ଅଧିକାଂଶ ପୂର୍ବାନୁମାନକୁ ମଧ୍ୟ ପଛରେ ପକାଇ ଦେଇଛି ।

 

           ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ପ୍ରକାଶିତ ସଂଖ୍ୟାଗୁଡ଼ିକ ଉତ୍ପାଦନ, ନିର୍ମାଣ ଓ ଏକ ଦୃଢ଼ ସେବା କ୍ଷେତ୍ର ଦ୍ୱାରା ନେତୃତ୍ୱାଧୀନ ଏକ ଦୃଢ଼ ଗତିକୁ ସୂଚିତ କରେ । ସ୍ଥିର ମୂଲ୍ୟରେ ଜିଡିପି ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୪୮.୬୩ ଲକ୍ଷ କୋଟି ଟଙ୍କା ଥିଲା । ଯାହା ଗତ ବର୍ଷ ୪୪.୯୪ ଲକ୍ଷ କୋଟି ଟଙ୍କା ଥିଲା । ନାମମାତ୍ର ଜିଡିପି ୮.୭% ବୃଦ୍ଧି ପାଇ ୮୫.୨୫ ଲକ୍ଷ କୋଟି ଟଙ୍କା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟଙ୍କ "କଠିନ ପରିଶ୍ରମ ଏବଂ ଉଦ୍ୟୋଗ’ ପାଇଁ ଧନ୍ୟବାଦ ଦେଇ ଏହି ସଂଖ୍ୟାଗୁଡ଼ିକୁ "ଅତ୍ୟନ୍ତ ଉତ୍ସାହଜନକ’ ବୋଲି କହିଛନ୍ତି । ୨୦୨୫-୨୬ ର ଦ୍ୱିତୀୟ  ତ୍ରୈମାସିକରେ ୮.୨% ଜିଡିପି ଅଭିବୃଦ୍ଧି ଅତ୍ୟନ୍ତ ଉତ୍ସାହଜନକ । ଏହା ଆମର ଅଭିବୃଦ୍ଧି ସମର୍ଥକ ନୀତି ଏବଂ ସଂସ୍କାରର ପ୍ରଭାବକୁ ପ୍ରତିଫଳିତ କରେ । ଏହା ଆମ ଲୋକଙ୍କ କଠିନ ପରିଶ୍ରମ ଏବଂ ଉଦ୍ୟୋଗକୁ ମଧ୍ୟ ପ୍ରତିଫଳିତ କରେ । ଆମ ସରକାର ସଂସ୍କାରକୁ ଆଗକୁ ବଢାଇବା ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ସହଜ ଜୀବନଧାରଣକୁ ସୁଦୃଢ଼ କରିବା ଜାରି ରଖିବ ବୋଲି ସେ ଟ୍ୱିଟ୍‌ କରିଛନ୍ତି ।