ସମ୍ପର୍କର ସମାହାର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଲୋକନ କରିବା ଜୀବନରେ ସମ୍ପର୍କର ସମାହାରକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକଙ୍କ ଜୀବନରେ, ମନୁଷ୍ୟ କ୍ଷେତ୍ରରେ, ଏପରିକି ପ୍ରକୃତି କ୍ଷେତ୍ରରେ ମଧ୍ୟ ଭଲ ଓ ଖରାପ ସମୟ ଆସେ । ପ୍ରକୃତି ସବୁବେଳେ ଶାନ୍ତ, କମନୀୟ ଏବଂ ଉପଭୋଗ୍ୟ ନଥାଏ । ଝଡଝଞ୍ଜା ଆସେ, ପ୍ରବଳ ବର୍ଷା, କୁଆପଥର ମାଡ, ବଜ୍ରପାତ, ଘୂର୍ଣ୍ଣିବାତ୍ୟା ଆସେ । ପୁଣି ଶାନ୍ତ ସରଳ ଉପଭୋଗ୍ୟ ବସନ୍ତର ଦିନଟିଏ ମଧ୍ୟ ଆସେ ।
ଠିକ୍ ସେହିପରି ପ୍ରତିଟି ମନୁଷ୍ୟ ଜୀବନରେ ଦୁଃଖ ଅଛି, ସୁଖ ଅଛି, ସମସ୍ୟାର ଝଡଝଞ୍ଜା ଅଛି, ସବୁକିଛି ଅଛି । ସୁଖ ସମୟରେ ବନ୍ଧୁମାନେ ସୁଖକୁ ବାଣ୍ଟିବା ପାଇଁ ଆସିଯାନ୍ତି । ଦୁଃଖ ସମୟରେ ସମବେଦନା ଜ୍ଞାପନ କରି ଧୈର୍ଯ୍ୟ ଧରିବାର ଶାନ୍ତ୍ୱନା ମଧ୍ୟ ଦିଅନ୍ତି । ହେଲେ ସୁଖ ସମୟରେ ବନ୍ଧୁମାନଙ୍କର ଶାନ୍ତ୍ୱନା ଯେତିକି ଥାଏ, ଦୁଃଖ ସମୟରେ ବନ୍ଧୁମାନଙ୍କର ସଂଖ୍ୟା ସେତିକି ନଥାଏ । ଅନେକ ଅଛନ୍ତି କେବଳ ସୁଖ ବେଳେ ଥାଆନ୍ତି ଆଉ ସୁଖ ସରିଗଲେ ଦେଖାଦର୍ଶନ ନଥାଏ । ଜୀବନରେ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ କି ବିପଦ ସମୟରେ ମଧ୍ୟ ସମ ପରିମାଣରେ ଦୁଃଖର ସହଭାଗୀ ହୋଇ ଆସନ୍ତା ସମୟ ଗୁଡିକର ସମ୍ମୁଖୀନ ହେବା ପାଇଁ ଧୈର୍ଯ୍ୟ ଧରିବାର ପ୍ରେରଣା ଦିଅନ୍ତି, ଶାନ୍ତ୍ୱନା ଦିଅନ୍ତି । ଏଭଳି ବନ୍ଧୁ ଓ ସମ୍ପର୍କୀୟମାନେ ହିଁ ପ୍ରକୃତରେ ବନ୍ଧୁ, ପ୍ରକୃତରେ ସମ୍ପର୍କୀୟ । ଏମାନଙ୍କର ପାଇବାର ଲୋଭ ନଥାଏ; ବରଂ ଦେବାରେ ଆନନ୍ଦ ଥାଏ ।
ଯେଉଁ ବ୍ୟକ୍ତି ସବୁବେଳେ 'ମୋର' 'ମୋର' କହେ ସେ କେବେ ହେଲେ ଅନ୍ୟକୁ କିଛି ବି ଦେଇପାରିବ ନାହିଁ । କେବଳ ନେବା ପାଇଁ ବନ୍ଧୁତାର ଛଳନା କରୁଥାଏ । ସେହିମାନେ ହିଁ ପ୍ରକୃତ ସମ୍ପର୍କୀୟ ବା ପ୍ରକୃତ ବନ୍ଧୁ ଯେଉଁମାନେ ପ୍ରକୃତ ଦୁଃଖ ସମୟରେ ବ୍ୟକ୍ତିର ସହାୟତା କରିବାକୁ ଆଗେଇ ଆସନ୍ତି ଆଉ ଦୁଃଖକୁ ଧୈର୍ଯ୍ୟର ସହ ସମ୍ମୁଖୀନ ହେବା ପାଇଁ ପ୍ରେରଣା ଦିଅନ୍ତି । ପାରସ୍ପରିକ ଭଲପାଇବା ସେବା ଭିତର ଦେଇ ଅଧିକ ସୁଦୃଢ ହୋଇଥାଏ । ସେଥିପାଇଁ ବନ୍ଧୁତ୍ୱକୁ ସମ୍ପର୍କକର ଶ୍ରେଷ୍ଠ ପରିଭାଷା ବୋଲି ବିବେଚିତ କରାଯାଇଛି । ଅନ୍ୟପକ୍ଷରେ ବନ୍ଧୁତ୍ୱର ଅସଲ ପରିଚୟ କେବଳ ଦୁଃଖ ନୁହେଁ ଉକôର୍ଷତାରେ ବି ମଧ୍ୟ ପରଖା ଯାଇଥାଏ । ଦୁଃଖର ଘଡିରେ ପ୍ରକୃତ ବନ୍ଧୁ ଆସି ଛିଡା ହୋଇଥାଏ । ଏହା ଉଭୟଙ୍କର ସମ୍ପର୍କର ବାସ୍ତବତାକୁ ପ୍ରତିପାଦିତ କରିଥାଏ । ତେଣୁ ସୁଖଦୁଃଖରେ ପରସ୍ପରର ସାଥି ହୋଇ ଚାଲିବାରେ ହିଁ ମଣିଷ ଜୀବନର ସାର୍ଥକତା ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।