ରିଭର ସାଇଡ ପାର୍କ ପାଇଁ ୫ କୋଟି
ବାଲେଶ୍ୱର : ବାଲେଶ୍ୱର ସହରବାସୀଙ୍କ ପାଇଁ ଏକ ସର୍ବାଙ୍ଗ ସୁନ୍ଦର ପାର୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଦର ବିଧାୟକ ମାନସ କୁମାର ଦତ୍ତ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ ସହ ସହଯୋଗ କାମନା ସହ ଅନୁନ୍ୟ ୫କୋଟି ଟଙ୍କାର ଅନୁଦାନ ଅର୍ଥ ଦାବି କରିଥିଲେ । ମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ପୌରପାଳିକା ପକ୍ଷରୁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯାଇଥିଲା । ଏପରିକି ସଦର ବିଧାୟକ ଶ୍ରୀ ଦତ୍ତଙ୍କ ଦାବିକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର ବାଲେଶ୍ୱର ଗସ୍ତ କାଳରେ ସ୍ଥାନୀୟ ନୁଣିଆଯୋଡି ଠାରେ ପ୍ରସ୍ତାବିତ ରିଭର ସାଇଡ ପାର୍କର କ୍ଷେତ୍ର ପରିଦର୍ଶନ ସହ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଅନୁଦାନ ଅର୍ଥ ଅଭାବରୁ ପାର୍କର ନିର୍ମାଣ କାର୍ଯ୍ୟ ଆଗକୁ ବଢିପାରୁନଥିଲା । ଏହାକୁ ନେଇ ବିଧାୟକ ଶ୍ରୀ ଦତ୍ତ ବଜେଟ ଅଧିବେଶନର ପ୍ରଶ୍ନକାଳରେ ଉଦ୍ବେଗ ପ୍ରକାଶ କରିଥିଲେ ।
ବାଲେଶ୍ୱର ଭଳି ରାଜ୍ୟ ଅନ୍ୟତମ ପୁରାତନ ପୌରାପାଳିକା ଅଂଚଳର ଜନସାଧାରଣଙ୍କ ଚିତ୍ତବିନୋଦନ ପାଇଁ ଏକ ଭଲ ପାର୍କର ଆବଶ୍ୟକତା ଥିବା ବେଳେ ବିଭାଗୀୟ ମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିବା ସେ କହିଥିଲେ । ବାଲେଶ୍ୱର ସହର ଉପକଣ୍ଠ ନୁଣିଆଯୋଡି ଠାରେ ଏକ ରିଭରସାଇଡ ପାର୍କ ନିର୍ମାଣ ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଦାନ ପ୍ରଦାନକୁ ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ଉଠାଇଥିଲେ । ବିଭାଗୀୟ ମନ୍ତ୍ରୀ ଡାକ୍ତର ମହାପାତ୍ର ଏହି ପ୍ରଶ୍ନର ବାସ୍ତବତାକୁ ଗୁରୁତ୍ୱ ଦେଇ ଅନୁଦାନ ମଞ୍ଜୁର ହୋଇଥିବା ପ୍ରକାଶ କରିଛନ୍ତି । ନୁଣିଆଯୋଡି ରିଭରସାଇଡ ପାର୍କ ନିର୍ମାଣ ପାଇଁ ପୂର୍ବରୁ ୪କୋଟି ଟଙ୍କାର ଫିଲିଙ୍ଗ କାର୍ଯ୍ୟ ସମ୍ପାଦିତ ହୋଇଛି । ପାର୍କ ନିର୍ମାଣକୁ ବାସ୍ତବ ରୂପ ଦେବା ନେଇ ଡିପିଆର ପ୍ରସ୍ତୁତ ହେବା ପରେ ୫କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ମନ୍ତ୍ରୀ ଡାକ୍ତର ମହାପାତ୍ର ଘୋଷଣା କରିଛନ୍ତି । ଖୁବଶୀଘ୍ର ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ଦେଇଛନ୍ତି ।