ପାର୍କିଂ ଜୋନ୍ ପାଲଟିଛି ରାସ୍ତା: ବଢୁଛି ଦୁର୍ଘଟଣା, ଅକାଳରେ ଯାଉଛି ଜୀବନ

 ଭୁବନେଶ୍ୱର :  ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥର ଲପଙ୍ଗା ସାତଗଛିଆରୁ ଠେଲକୋଲୋଇ ପର୍ଯ୍ୟନ୍ତ ରାସ୍ତା ଯାତ୍ରୀମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ନିୟମିତ ବ୍ୟବଧାନରେ ଛୋଟବଡ ସଡ଼କ ଦୁର୍ଘଟଣା ଘଟି ଲୋକେ ମୃତାହତ ଏବଂ ଭିନ୍ନକ୍ଷମ ହେଉଥିଲେ ମଧ୍ୟ ପ୍ରଶାସନ କିମ୍ବା ପରିବହନ ବିଭାଗ ଦୁର୍ଘଟଣାର ସ୍ଥାୟୀ ନିରାକରଣ ଦିଗରେ କୌଣସି ପ୍ରତିକାର କରୁନାହାନ୍ତି । ସର୍ବସାଧାରଣ ଗମନାଗମନ ପାଇଁ ଉଦ୍ଦିଷ୍ଟ ଏହି ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱ ଶିଳ୍ପାନୁଷ୍ଠାନମାନଙ୍କର ପାର୍କିଂ ଜୋନ୍ରେ ପରିଣତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଭାରି ମାଲବାହୀ ଯାନର ଲମ୍ବାଧାଡି ଯାତ୍ରୀମାନଙ୍କ ପାଇଁ କାଳ ସାଜିଛି । ୬/୭ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ବିଷମ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସାତଗଛିଆରୁ ସିଟିଆର ରୋଡ୍ ଠେଲକୋଲୋଇ ପର୍ଯ୍ୟନ୍ତ କୋଇଲା ପରିବହନକାରୀ ଟ୍ରକମାନଙ୍କର ବେଆଇନ ପାର୍କିଂ ଯୋଗୁଁଁ ରାସ୍ତା ସଂକୁୁଚିତ ହୋଇପଡୁଛି । ଏହାବ୍ୟତୀତ ଏହି ଅଞ୍ଚଳରେ ଥିବା କଳକାରଖାନା ଓ ଖଣି ଖଦାନରୁ ନିର୍ଗତ ଧୂଆଁ, ଧୂଳି, କୋଇଲା ଗୁଣ୍ଡ ଉଡି ଆକାଶରେ ପ୍ରଦୂଷଣର କଳାବାଦଳ ଢାଙ୍କି ରହୁଥିବାରୁ ସକାଳ ଏବଂ ସନ୍ଧ୍ୟାରେ କୃତ୍ରିମ ଘନ ଅନ୍ଧକାର ସୃଷ୍ଟି ହେବା ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇଛି । ରାସ୍ତା ପାର୍ଶ୍ୱରେ ବେଆଇନ୍ ପାର୍କିଂ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଖିଣ୍ଡା ଅଞ୍ଚଳର ବିଭିନ୍ନ ସଙ୍ଗଠନ ଏବଂ ଜନପ୍ରତିନିଧି ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଦାବି କରିବା ସହିତ ଏ ସଂକ୍ରାନ୍ତରେ ଶାନ୍ତିପୂର୍ଣ୍ଣ ଭାବରେ ଆନେ୍ଦାଳନ କରି ଆସୁଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ।
ଅଞ୍ଚଳର ଜଳ ଜମି ଜଙ୍ଗଳ ହାତେଇ ନେଇ ଅଜସ୍ର ମୁନାଫା କରୁଥିବା କଳ କାରଖାନା, ଖଣି ଖଦାନ କର୍ତ୍ତୃପକ୍ଷ ନିଜସ୍ୱ ପାର୍କିଂ ଜୋନ୍ ନିର୍ମାଣ କରିବାର ନିୟମ ରହିଛି । କିନ୍ତୁ ଏହି ନିୟମକୁ ଆଖିଠାର ମାରି ସଂପୃକ୍ତ ଶିଳ୍ପାନୁଷ୍ଠାନକୁ ଆସୁଥିବା ଭାରି ଯାନଗୁଡିକ ରାଜ୍ୟ ରାଜପଥକୁ ପାର୍କିଂ ଜୋନ୍ ରୂପେ ବ୍ୟବହାର କରୁଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ ହେଉଛି । କୋଟି କୋଟି ଟଙ୍କା ମୁନାଫା କରୁଥିବା ବହୁରାଷ୍ଟ୍ରୀୟ କମ୍ପାନୀ ନିଜସ୍ୱ ପାର୍କିଂ ଜୋନ୍ ନିର୍ମାଣ ନକରି ରାଜ୍ୟ ରାଜପଥକୁ ପାର୍କିଂ ଜୋନ୍ ଭଳି ବ୍ୟବହାର କରୁଥିଲେ ମଧ୍ୟ ପ୍ରଶାସନ ଏବଂ ରାଜ୍ୟ ସରକାର ନୀରବଦ୍ରଷ୍ଟା ହୋଇ ରହିବା ଚରମ ବିଡମ୍ବନାର ବିଷୟ । ସଡ଼କ ଦୁର୍ଘଟଣାରେ ମୃତୁ୍ୟବରଣ କରୁଥିବା ପରିବାରକୁ କିଛି ଟଙ୍କା କ୍ଷରିପୂରଣ ଦେଇ କମ୍ପାନୀ ଓ ପ୍ରଶାସନ ତଥା ସରକାର ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ପଛକେ ବେଆଇନ ପାର୍କିଂର ପ୍ରତିକାର ହେଉନାହିଁ । ସଧାରଣ ଲୋକ ଟ୍ରାଫିକ୍ ଆଇନ ଉଲ୍ଲଂଘନ କଲେ କଡା ଜୋରିମାନା ଓ ଦଣ୍ଡ ଦିଆଯାଉଛି । କିନ୍ତୁ କମ୍ପାନୀ ଆଇନ ଉଲ୍ଲଂଘନ କରୁଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା କାହିଁକି ବୋଲି ପ୍ରଶ୍ନ ହେଉଛି । ବେଆଇନ୍ ପାର୍କିଂରୁ ମାସିକିଆ ଅସୁଲି କରାଯାଇ ଭାଗବଣ୍ଟା ହେଉଥିବାରୁ ବେଧଡକ ରାସ୍ତା କଡ଼ରେ ପାର୍କିଂ ହେଉଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।