ରାସ୍ତା ମରଣଯନ୍ତା, ବିଭାଗୀୟ ଅଧିକାରୀ ନିରବ
ରାଜନଗରରୁ ବସନ୍ତ କୁମାର ହାତି: ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଜୟଗୁରୁ ଆଶ୍ରମ ନିକଟରୁ ମଲିଆବୁଦା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ବାଇପାସ ରାସ୍ତା ଦିନକୁ ଦିନ ମରଣଯନ୍ତା ପାଲଟିବାରେ ଲାଗିଛି । ରାଜନଗର-ତାଳଚୁଆ ରାସ୍ତାଟି ରାଜନଗର ବଜାର ବଡଦାଣ୍ଡ ଦେଇ ଯାଇଥିଲା । ଜନବସତି ମଧ୍ୟରେ ଯାନବାହନ ବିଶେଷକରି ମାଲବାହୀ ଟ୍ରକ ଓ ବସଗୁଡିକ ଯିବା ଆସିବା କରୁଥିଲା । ଅନେକ ସମୟରେ ଜନଗହଳିପୂର୍ଣ୍ଣ ଏହି ରାସ୍ତାରେ ବିଭିନ୍ନ ସମସ୍ୟା ଉପୁଜୁଥିଲା । ଦୁଇବର୍ଷ ପୂର୍ବେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜନଗର-ଗୁପ୍ତି ରାସ୍ତାର ଜୟଗୁରୁ ଆଶ୍ରମ ନିକଟରୁ ଆରମ୍ଭ ହୋଇ ଦୁଇ କିଲୋମିଟରରୁ ଉଦ୍ଧ୍ୱର୍ ରାସ୍ତା ରାଜନଗର-ତାଳଚୁଆ ପୂର୍ତ୍ତ ବିଭାଗ ରାସ୍ତା ସହିତ ମଲିଆବୁଦା ଗାଁ ପୂର୍ବରୁ ହଳଦିନାଳୀ ନିକଟରେ ସଂଯୋଗ ହୋଇଥିଲା । ବାଇପାସ ନିର୍ମାଣ ପରେ ବଜାର ଓ ବଡଦାଣ୍ଡରେ ଗହଳି କମିବା ସହିତ ତାଳଚୁଆ ଓ ଡାଙ୍ଗମାଳରୁ ଫେରୁଥିବା ଟ୍ରକ, ବସ ଓ ଅନ୍ୟ ଚାରିଚକିଆ ଗାଡିଗୁଡିକ ଚଳାଚଳ କରୁଛନ୍ତି । ନିର୍ମାଣର ଦୁଇବର୍ଷ ନପୁରୁଣୁ ଏହି ରାସ୍ତାର ଆରମ୍ଭ, ଶେଷ, ମଝି ଓ ବିଭିନ୍ନ ସ୍ଥାନରେ ବଡବଡ ଗାଢ ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷାରେ ଏଗୁଡିକ ଗାଡିଆର ଭ୍ରମ ସୃଷ୍ଟି କରୁଛି । ଅନେକ ବାଇକ ଆରୋହୀ, ଚାରିଚକିଆ ଯାନଗୁଡିକ ଦୁର୍ଘଟଣାଗସ୍ତ ହେଉଥିବା ଦେଖିବାକୁ ମିଳିଛି । ଭିତରକନିକା ଜାତୀୟ ଉଦ୍ୟାନକୁ ସ୍ଥଳପଥରେ ଏହା ମୁଖ୍ୟ ରାସ୍ତା । ଦେଶ ବିଦେଶର ଶହଶହ ପର୍ଯ୍ୟଟକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ପ୍ରତିଦିନ ବସ, ଟ୍ରକ ଓ ଅନ୍ୟ ଯାନବାହାନ ଯିବା ଆସିବା କରିଥାନ୍ତି । ।ଏପରି ଏକ ସମ୍ବେଦନଶୀଳ ରାସ୍ତାକୁ ବିଭାଗ ଗୁରୁତ୍ୱ ନଦେବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ନଟବର ପ୍ରଧାନଙ୍କୁ ପଚାରିବାରୁ ଖୁବଶିଘ୍ର ମରାମତି କରାଯିବ ବୋଲି କହିଛନ୍ତି ।