ବିଜେଡି ସହ ଅଛି ଆଉ ରହିବି : ସନାତନ ମହାକୁଡ

ବିଜେଡି ସହ ଅଛି ଆଉ ରହିବି :  ସନାତନ ମହାକୁଡ

 ବିଧାୟକ ଦଳ ବୈଠକରେ ଚମ୍ପୁଆ ବିଧାୟକ ଅନୁପସ୍ଥିତ ରହିବା ଆଉ ପରେ ପରେ, ସନା ମହାକୁଡଙ୍କୁ ନବୀନଙ୍କ ତାଗିଦ୍ କରିବା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଖୋଦ୍ ସନାତନ ମହାକୁଡଙ୍କ ପ୍ରତିକ୍ରିୟା । ସନାତନ କହିଛନ୍ତି, ନବୀନ ଆମ ଦଳର ମୁଖିଆ, ତେଣୁ ସେ ପଚାରିପାରିବେ । କାଲି ବିଧାୟକ ଦଳ ବୈଠକକୁ କାହିଁକି ଯାଇନଥିଲି ବୋଲି ସେ ପଚାରିଥିଲେ । ଯାହାର ଉତ୍ତରରେ ମୋ ଦେହ ଖରାପ ଯୋଗୁଁ ଯାଇନଥିଲି ବୋଲି ସେ କହିଥିଲେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସନାତନ କହିଛନ୍ତି ।

ଅନ୍ୟପଟେ ସେ ବିଜେଡିରେ ଅଛନ୍ତି, ଆଉ ରହିବେ ବୋଲି କହିଛନ୍ତି । ଏହାସହ ୨୦୨୯ ପର୍ଯ୍ୟନ୍ତ କେଉଁ ଦଳକୁ ଯାଇ ପାରିବି ନାହିଁ । ବିଜେପିକୁ ଯିବା ଚର୍ଚ୍ଚା ଠିକ୍ ନୁହେଁ । ଆମ ଜିଲ୍ଲାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ମାଝୀ । ତେଣୁ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେ ଭେଟିଛନ୍ତି । ଖାଲି ସେ ନୁହେଁ, ବିଜେଡିର ଆଉ ଦୁଇ ଜଣ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବୋଲି କହିଛନ୍ତି ସନାତନ ମହାକୁଡ । ଅନ୍ୟପଟେ ଏହି ଘଟଣାରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ନବୀନ ଭୟଭୀତ ହେଇଗଲେଣି । କାଳେ ସବୁ ନେତା ବିଜେପିକୁ ପଳେଇବେ, ବୋଲି ସେ ଜାଣିସାରିଛନ୍ତି । ତେବେ ବିଜେପି କେନ୍ଦ୍ର ନେତୃତ୍ୱ ଚାହିଁଲେ, ବିଜେଡିକୁ ଖଣ୍ଡ ଖଣ୍ଡ କରିଦେବେ । ମୁଁ ଆଗରୁ ମଧ୍ୟ କହିଥିଲି ଯେ, ହୁଇସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ ।