ଡମି ସ୍କୁଲରେ ପଢୁଥିଲେ... ଦେଇପାରିବନି ବୋର୍ଡ ପରୀକ୍ଷା
ନୂଆଦିଲ୍ଲୀ : ଏଣିକି ଡମି ସ୍କୁଲ୍ରେ ପଢ଼ୁଥିଲେ ବୋର୍ଡ ପରୀକ୍ଷା ଅନୁମତି ମିଳିବା ଅସହଜ ହେବ । ଡମି ସ୍କୁଲ୍ରେ ଅଧ୍ୟୟନରତ ଦ୍ୱାଦଶ ପିଲାଙ୍କୁ ଚେତାବନୀ ଦେଇ ଏପରି କହିଛନ୍ତି ସିବିଏସ୍ଇ ବୋର୍ଡ କର୍ତ୍ତୃପକ୍ଷ । ସେହିପରି ସ୍କୁଲ୍କୁ ନିୟମିତ ଆସୁ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯିବ । ଆଉ ଏଥିପାଇଁ କେବଳ ଛାତ୍ରଛାତ୍ରୀ ନୁହନ୍ତି ଅଭିଭାବକମାନେ ମଧ୍ୟ ସମାନ ଭାବେ ଦାୟୀ ରହିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ନିକଟରେ ଜଣେ ଡମି ସ୍କୁଲ୍ରେ ପଢ଼ୁଥିବା ଛାତ୍ର ଜେଇଇ (ମେନ୍ସ) ରେ ଟପ୍ପର୍ ହେବା ପରେ ଏହି ସମସ୍ୟା ଚର୍ଚ୍ଚାର ପରିସରଭୁକ୍ତ ହୋଇଥିଲା । ଛାତ୍ର ଜଣକ ପଢୁଥିବା ନାଙ୍ଗଲୋଇର ଏସ୍ଜିଏନ୍ ପବ୍ଲିକ୍ ସ୍କୁଲ ଗତବର୍ଷ ବିଭିନ୍ନ ମାନଦଣ୍ଡରେ ବିଫଳ ହୋଇଥିଲା । ଉପସ୍ଥିତ ରହୁ ନ ଥିବା ଛାତ୍ରଙ୍କ ନାମ ଲେଖାରୁ ନେଇ ବିଭିନ୍ନ ପ୍ରସଙ୍ଗରେ ସ୍କୁଲ୍ଟି ‘ସର୍ପ୍ରାଇଜ୍ ଭିଜିଟ୍’ ବା ବୋର୍ଡ କର୍ତ୍ତୃପକ୍ଷଙ୍କ ଅଚାନକ ପରିଦର୍ଶନ ସମୟରେ ସ୍କୁଲ୍ର ଯାବତୀୟ ଦୋଷତ୍ରୁଟିକୁ ନେଇ ସ୍ପଷ୍ଟୀକରଣ ଦେଇପାରି ନ ଥିଲା । ଏହାସହ ସ୍କୁଲ୍ଟି ସିବିଏସ୍ଇ ମାନଦଣ୍ଡ ପାଳନ କରିବାରେ ବିଫଳ ସାବ୍ୟସ୍ତ ହୋଇଥିଲା । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଡମି ସ୍କୁଲଗୁଡ଼ିକର କାର୍ଯ୍ୟକୁ ନାପସନ୍ଦ କରିଥିଲେ । ଏହାସହ ସିବିଏସ୍ଇ ଏବଂ ଦିଲ୍ଲୀ ସରକାରଙ୍କୁ ଜରୁରୀ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ନିକଟରେ ୨୦୨୫ ଜାନୁଆରୀ ୨୭ରେ ଏକ ଆଦେଶରେ ଦିଲ୍ଲୀ ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ ଏବଂ ବିଚାରପତି ତୁଷାର ରାଓ ଗେଡେଲାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କର୍ତ୍ତୃପକ୍ଷଙ୍କୁ ଏପରି କେନ୍ଦ୍ରଗୁଡ଼ିକର ଯାଞ୍ଚ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସୂଚନାଯୋଗ୍ୟ ସିବିଏସ୍ଇ ପୂର୍ବରୁ ଦେଶବ୍ୟାପୀ ୩୦୦ରୁ ଅଧିକ ଡମି ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରମ୍ପରିକ ସ୍କୁଲିଂର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛି ।