ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ
ସାରସକଣା: ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ପାଣ୍ଡରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିଳମ୍ବରେ ଶିକ୍ଷକ ଆସିବା ସହିତ ମଧ୍ୟାହ୍ନ ଭୋଜନ ଠିକ୍ ଭାବେ ଦିଆନଯିବାକୁ ଉତ୍ତେଜନା ଦେଖାଦେଇଛି । ଯାହାକୁ ନେଇ ସ୍କୁଲ ଗେଟ ଆଗରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଖବରରୁ ପ୍ରକାଶ ଯେ, ସ୍କୁଲକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଆସିଥିବାବେଳେ ସ୍କୁଲ୍ ଖୋଲାଯାଇନଥିବାରୁ ଗେଟ୍ ସମ୍ମୁଖରେ ବିଦ୍ୟାର୍ଥୀ ଅପେକ୍ଷା କରିଥିଲେ । ଯାହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା । ଏବଂ ବିଦ୍ୟାଳୟର ମୁଖ୍ୟ ଫାଟକକୁ ଅଭିଭାବକମାନେ ତାଲା ପକାଇଦେଇଥିଲେ । ଛୋଟ ଛୁଆମାନେ ବିଦ୍ୟାଳୟକୁ ଆସୁଥିବାବେଳେ ସ୍କୁଲ ବନ୍ଦ ରହିବା ଯୋଗୁଁ କୌଣସି ଅଘଟଣ ହେଲେ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା କିଏ ଦେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ଶିକ୍ଷକ ନିଜ ଛୋଟ ଛୁଆକୁ ସ୍କୁଲକୁ ନେଇ ଆସୁଥିବାବେଳେ କୌଣସି କାରଣ ନ ଥାଇ ଗାଳି ଗୁଲଜ କରୁଛନ୍ତି, ତତ୍ସହିତ ପିଲାଙ୍କୁ ଭାତ ସହିତ କଖାରୁ ପତ୍ରର ଝୋଳ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ତେବେ ଘଟଣାସ୍ଥଳରେ ସାରସକଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଲ ଚରଣ ସିଂ ପହଞ୍ଚô ଆପୋଷ ବୁଝାମଣା ପରେ ସ୍କୁଲ ଗେଟ୍ ଖୋଲିଥିଲେ । ତେବେ ଶିକ୍ଷକ ଜଣକ କେବେ କେମିତି ବିଳମ୍ବ ହେଉଥିବା ସ୍ୱୀକାର କରିଛନ୍ତ । ଯାହାକୁ ନେଇ ବିଇଓ ଗୋଟିଏ ମାସର ଦରମା ବନ୍ଦ କରିବାର ପ୍ରତିଶ୍ରୁତି ଦେବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀ ଶାନ୍ତ ହୋଇଥିଲେ ।