ଶୀତଳ ଷଷ୍ଠୀ ଉତ୍ସବ ଉଦ୍ୟାପିତ : ଶିବ ପାର୍ବତୀଙ୍କ ବିବାହ ଓ ନଗର ପରିକ୍ରମା

 କେନ୍ଦ୍ରାପଡା  : ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ଗୋପସ୍ଥିତ ଅମରେଶ୍ୱର ପୀଠରେ ଶ୍ରୀ ଅମରେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଶ୍ରୀ ଅମରେଶ୍ୱରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ଶୀତଳ ଷଷ୍ଠୀ ଉତ୍ସବ ରବିବାର ମହାସମାରୋହରେ ଉଦ୍ୟାପିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବା ପରେ ଶୁକ୍ରବାର ସକାଳେ କଳସ ଜଳଯାତ୍ରା ସହିତ ଅଗ୍ନୀସ୍ଥାପନ ପରେ ରୁଦ୍ରାଭିଷେକ, ହୋମଯଜ୍ଞ, ଚଣ୍ଡିପାଠ କରାଯାଇଥିଲା ।   ସେହିପରି ଶନିବାର ଦିନ  କରାଯାଇ ଅଗ୍ନି ସ୍ଥାପନ ପୂର୍ବକ ରୁଦ୍ରାଭିଷେକ, ହୋମଯଜ୍ଞ ଓ ଚଣ୍ଡିପାଠ କରାଯିବା ପରେ ହର-ପାର୍ବତୀ ବିବାହ ଉସôବ ଅନୁଷ୍ଠିତ ହୋଇଥିଲା । ସେହିପରି ରବିବାର ଦିନ ରୁଦ୍ରାଭିଷେକ, ହୋମଯଜ୍ଞ, ଚଣ୍ଡିପାଠ ଓ ପୂର୍ଣ୍ଣାହୁତୀ କରାଯିବା ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ବେଦି ଉପରେ ଉପବିଷ୍ଟ କରାଯାଇ ରୀତି ନୀତି ଅନୁଯାୟୀ ବାଣ ଫୁଟାଇ, ବାଜା ବଜାଇ ଏହି ବିବାହ ଉତ୍ସବ ସମ୍ପନ୍ନ କରାଯାଇଥିଲା । ଏହି ବିବାହ ଉତ୍ସବକୁ ବହୁ ଭକ୍ତ ଶ୍ରଦ୍ଧାର ସହିତ ଉପଭୋଗ କରିଥିଲେ । ଅମରେଶ୍ୱରଙ୍କ ପିତା ଭାବେ ମୁଖ୍ୟ ସେବକ ସୁଧାଂଶୁ ପଣ୍ଡା ପାର୍ବତୀଙ୍କ ପିତା ଭାବେ ପୂର୍ବତନ ପୌରସଭ୍ୟ ଦେବେନ୍ଦ୍ର କୁମାର ରାଉତ ବିବାହ ସମ୍ପନ୍ନ କରିଥିଲେ । ପରେପରେ ଅପରାହ୍ନ ୪ଟାରେ ସୁସଜ୍ଜିତ ବୃଷବ ବିମାନ ଉପରେ ଉପବିଷ୍ଟ କରାଯାଇ ଶିବପାର୍ବତୀ ବରଯାତ୍ରୀଙ୍କ ସହିତ ନଗର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ସମୟରେ ବାଜାବାଣ ସହିତ ହଜାର ହଜାର ଶ୍ରଦ୍ଧାଳୁ ସହର ମଧ୍ୟରେ ହରପାର୍ବତୀଙ୍କୁ ବିଦାୟ ଦେବା ସହିତ ହରିବୋଲ ହୁଳହୁଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରିଥିଲେ । ଗୋପରୁ ଶୋଭାଯାତ୍ରା ବାହାରି ସାନମଙ୍ଗଳା, କେଶପୁର, ନସଡିପୁର, ମିରପାଟଣା, କାକଟ, ବଡହାଟ, ପୁରୁଣା ବସଷ୍ଟାଣ୍ଡ, ମଢିଆଳ, ବଳଗଣ୍ଡି, ସାନ୍ତସାହି, ବଡମଙ୍ଗଳା ଦେଇ ବଳଦେବଜୀୟୁ ମନ୍ଦିର ପରିକ୍ରମା କରିଥିଲେ । ଏହା ପରେ ଭେଟଭାଟ ହେବା ପରେ ଗୋପ ମନ୍ଦିରକୁ ଫେରିଥିଲେ । ଏହି କାର୍ଯ୍ୟକ୍ରମକୁ ଅମରେଶ୍ୱର ଶୀତଳ ଷଷ୍ଠୀ କମିଟିର ମହେନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ନାୟକ, ମହେନ୍ଦ୍ର କୁମାର ରାଉତ, ପୌରସଭ୍ୟ ନିରାକାର ସ୍ୱାଇଁ, ସାମ୍ବାଦିକ ପରେଶ ଦାସ, ଆଇନଜୀବୀ ପ୍ରକାଶ ସାମଲ, ସେବକ ହିମାଂଶୁ ପଣ୍ଡା, ଶୁଭ୍ରାଂଶୁ ଜେନା, ସୁକୁମାର ଚାନ୍ଦ, ଗୁନା ମଲ୍ଲିକ, ବୁନା ବରାଳ ପ୍ରମୁଖ ପରିଚାଳନା କରିଥିଲେ ।